କଟକ: ବୟସ ମାତ୍ର ୧୮ ବର୍ଷ। ହାତଗୋଡ ଚାଲୁ ନାହି କି କିଛି କଥା କହି ପାରୁନାହାନ୍ତି। ବିଛଣାରେ କଟୁଛି ଜୀବନ। ୨୦୧୭ରେ ରୁବେଲା ଏବଂ ସୁବାକ୍ରୁଟ ସ୍କିଲରୋଜିଙ୍ଗ ପାନେନ୍ସେଫାଲାଇଟିସ୍(ଏସ୍ଏସ୍ପି) ରୋଗରେ ଆକ୍ରାନ୍ତ ହୋଇ ଖଟ ଉପରେ ସବୁ କରୁଛନ୍ତି ମଙ୍ଗଳାବାଗ ଥୋରିଆସାହିର ତ୍ରିଲୋଚନ ସେଠୀ ଓ ସଂଯୁକ୍ତା ସେଠୀଙ୍କ ଝିଅ ମୋନାଲିସା। ଡାକ୍ତରଙ୍କ କହିବା ଅନୁସାରେ ୫ ଲକ୍ଷ େଲାକଙ୍କ ମଧ୍ୟରୁ ଜଣକଠାରେ ଏହି ରୋଗ ଦେଖାଯାଏ।
ଏହା ଏକ ମସ୍ତିଷ୍କ ରୋଗ। ଯାହା ମଣିଷର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥାଏ। ଓଡ଼ିଶା ତଥା ଦେଶର ବଡ ବଡ ଡାକ୍ତର ଓ ଡାକ୍ତରଖାନାରେ ମୋନାଲିସାଙ୍କ ଚିକିତ୍ସା ହୋଇଥିବା ବେଳେ କୌଣସି ସୁଫଳ ମିଳିନାହିଁ। ଏବେ ପରିବାର ଲୋେକ ଏଲୋପାଥିକ୍ ବଦଳରେ ଆର୍ୟୁବେଦିକ୍ ଚିକିତ୍ସା ଆରମ୍ଭ କରିଛନ୍ତି। ଏହା ଝିଅଠାରେ କାମ କରୁଥିବାର ପରିବାର ଲୋକ କହିନ୍ତି। ମାତ୍ର ଏଥିପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଝିଅର ଚିକିତ୍ସାକୁ ନେଇ ବାପା ମା’ ଚିନ୍ତାରେ ଅଛନ୍ତି।
ମୋନାଲିସା ୨୦୧୭ରେ ମାଟ୍ରିକ ପରୀକ୍ଷା ଦେବା ସମୟରେ ତାଙ୍କ ଠାରେ ରୋଗର ଲକ୍ଷଣ ଦେଖା ଦେଇଥିଲା। କଲେଜଛକ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ହେଉଛନ୍ତି ମୋନାଲିସା। ପରୀକ୍ଷାର ଦୁଇଟି ବିଷୟ ବାକି ଥିବା ସମୟରେ ତାଙ୍କ ଦେହ ଥରିବା ସହିତ ମୁହଁ ଓ ହାତ ବଙ୍କା ହୋଇଯାଇଥିଲା। ପ୍ରଥମେ ପରୀକ୍ଷାକୁ ଡରି ଝିଅର ଏପରି ଅବସ୍ଥା ହୋଇଥିବା ପରିବାର ଲୋକ ଚିନ୍ତା କରିଥିଲେ। ମାତ୍ର କାଳକ୍ରମେ ଏହା ବଢିବାକୁ ଲାଗିଲା। ଧିରେ ଧିରେ ତାଙ୍କର ପରିସ୍ଥିତି ଖରାପ ହେବାକୁ ଲାଗିଲା। ଓଡ଼ିଶାର ଅନେକ ବଡ ବଡ ଡାକ୍ତରଙ୍କୁ ମୋନାଲିସାଙ୍କୁ ଦେଖାଗଲା। ହେଲେ କେହି ରୋଗ ବିଷୟରେ କହି ପାରିଲେ ନାହିଁ।
ବାଙ୍ଗଲୋରର ଏନ୍ଆଇଏମ୍ଏଚ୍ଏନ୍କୁ ଚିକିତ୍ସା ପାଇଁ ମନୋଲିସାଙ୍କୁ ନିଆଗଲା। ସେଠାରେ ସେ ଏସ୍ଏସ୍ପିଇରେ ଆକ୍ରାନ୍ତ ହୋଇଥିବାର ଡାକ୍ତର କହିଥିଲେ। ପରିବାରର ପକ୍ଷରୁ ସେଠାରେ କିଛି ମାସ ରଖି ଚିକିତ୍ସା ପରେ ଘରକୁ ନେଇ ଆସିଥିଲେ। ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ରାଞ୍ଚିର ଏକ ହସ୍ପିଟାଲକୁ ନେଇ ମୋନାଲିସାଙ୍କ ଚିକିତ୍ସା କରାଇଲେ। ହେଲେ ସେଠାରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ପ୍ରତିମାସ ତ୍ରିଲୋଚନ ରାଞ୍ଚିକୁ ଯାଇ ୩୦ ହଜାର ଟଙ୍କାର ଔଷଧ ଅାଣି ଝିଅଙ୍କୁ ଦିଅନ୍ତି। ମାତ୍ର ଲକ୍ଡାଉନ୍ ପାଇଁ ଏବେ ସେ ରାଞ୍ଚି ଯାଇ ପାରୁ ନାହାନ୍ତି। କଟକରେ ଯେତିକି ଔଷଧ ମିଳୁଛି ତାହା ଝିଅକୁ ଖାଇବାକୁ ଦେଉଛନ୍ତି।
ତ୍ରିଲୋଚନ ଏକ ଦୋକାନରେ କାମ କରୁଥିବା ବେଳେ ଗୋଟିଏ ଝିଅର ଚିକିତ୍ସା ପାଇଁ ସବୁ କିଛି ଏବେ ବିକ୍ରି କରି ସାରିଲେଣି। ଗତ ୧୫ ଦିନ ହେବ ଝିଅର ଆର୍ୟୁବେଦିକ ଚିକିତ୍ସା ଆରମ୍ଭ କରିଛନ୍ତି। ଏଥିରେ ଝିଅର ସ୍ବାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଆସିଥିବାର କହନ୍ତି ତ୍ରିଲୋଚନ। ମାତ୍ର ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ଝିଅର ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିଦେଇଛନ୍ତି ସେ। କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ମୋନାଲିସାର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇବାକୁ ନିବେଦନ କରିଛନ୍ତି ତ୍ରିଲୋଚନ। ଯଦି କୌଣସି ସହୃଦୟ ବକ୍ତି ମୋନାଲିସାକୁ ସହଯୋଗ କରିବାକୁ ଇଛା କରନ୍ତି ତେବେ ସେ ତ୍ରିଲୋଚନଙ୍କ ୮୨୪୯୪୯୬୨୩୭ରେ ଯୋଗାଯୋଗ କରିପାରିବେ।