କଟକ ମାଟିର ପୁଅ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ

କଟକ: ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ କଟକ ସହରର ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଆଉ କିଶୋର କଟିଛି କଟକ ସହର ପାଣି ପବନରେ। ଷ୍ଟିୱାର୍ଟ ସ୍କୁଲ୍‌ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ)ରୁ ବାଲ୍ୟଶିକ୍ଷା ଆରମ୍ଭ କରିଥିବା ‌ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ସୁଭାଷ ଦିନେ ବଡ଼ ମଣିଷ ହେବେ ତାହା ତାଙ୍କ ଛାତ୍ରାବସ୍ଥାରୁ ସ୍ପଷ୍ଟ ବାରି ହେଉଥିଲା। ଛାତ୍ରବସ୍ଥାରେ ବଙ୍ଗାଳି ସାହି ରାମକୃଷ୍ଣ କୁଟୀର ଅନ୍ତେବାସୀଙ୍କୁ ସହାୟତା କରିବା, ସ୍କୁଲରେ ଖୁଦିରାମ ବୋଷଙ୍କ ସହିଦ୍ ଦିବସରେ ଉପବାସ କରିବା, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ ଆଦି ଧର୍ମନୁଷ୍ଠାନ ସହିତ ସଂପର୍କ ରଖିବା, ଯାଜପୁର ମହାମାରୀ ପୀଡ଼ିତଙ୍କ ସେବା କରିବା ଆଦି ଅନେକ ଘଟଣା ତାଙ୍କ ମହାନ ବ୍ୟକ୍ତିତ୍ବର ଆଭାସ ଦେଉଥିଲା। ଖାଲି ସେତିକି ପରବର୍ତ୍ତି କାଳରେ ଦେଶମାତୃକା ପାଇଁ ଆଇସିଏସ୍ ଭଳି ସମ୍ମାନଜନକ ଚାକିରି ଛାଡିବା ତାଙ୍କ ନିସର୍ତ୍ତ ‌ଦେଶପ୍ରେମର ପ୍ରମାଣ ଦେଇଥିଲା। ଏହିଭଳି ମହାନାୟକଙ୍କୁ ତାଙ୍କ ୧୨୫ତମ ଜୟନ୍ତୀରେ ଶତ ‌କୋଟି ପ୍ରଣାମ….।

୨୦୧୮ରୁ କଟକ ଷ୍ଟେସନ୍‌ ଗାଉଛି ସ୍ମୃତି

୨୦୧୮ ଅକ୍ଟୋବର ୨୮ତାରିଖରେ ଖୋର୍ଦ୍ଧା ରୋଡ ଡିଆର୍‌ଏମ୍ ବ୍ରିଜ୍‌ମୋହନ ଅଗ୍ରୱାଲ୍ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ବୁଲି ଆସିଥିଲେ। ବେଶ୍‌ ପ୍ରଭାବିତ ହୋଇଥିଲେ ସେ। ପରେ ସେ କଟକ ଷ୍ଟେସନରେ ନେତାଜୀଙ୍କ ସ୍ମୁତି ସ୍ଥାପନ ପାଇଁ ସଂକଳ୍ପ ନେଇଥିଲେ। ସେହି ବର୍ଷଠାରୁ କଟକ ରେଳ ଷ୍ଟେସନ୍ ମୁଖ୍ୟ ପ୍ରବେଶ ଦ୍ବାର ସୁଭାଷଙ୍କ ସ୍ମୃତି ଗାନ କରୁଛି। ଯାହା ସୂଚନା ଦେଉଛି ନେତାଜୀ କଟକର ପୁଅ।

ଏଥର ନୂଆ

ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ସଂଗ୍ରହାଳୟ ପକ୍ଷରୁ ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ନବୀକରଣ କାର୍ଯ୍ୟ କରାଯାଇଛି। ନେତାଜୀଙ୍କ ରାଜନୈତିକ ଜୀବନ, ସ୍ବାଧୀନତା ସଂଗ୍ରାମ ସମୟର କାର୍ଯ୍ୟକଳାପ, ବରିଷ୍ଠ ନେତାମାନଙ୍କ ସହ ତାଙ୍କ ସଂପର୍କ ଆଦି ବର୍ଣ୍ଣନା କରାଯାଇଥିବା ଗ୍ୟାଲେରି ନଂ-୪ର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ସେହିପରି ସଂପୂର୍ଣ୍ଣ ସଂଗ୍ରହାଳୟରେ ପୂର୍ବରୁ ଥିବା ସାଧାରଣ ଆଲୋକବ୍ୟବସ୍ଥାକୁ ହଟାଇ ଚଳିତ ବର୍ଷ ନୂଆ କରି ଫାସେଟ୍ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଆଲୋକବ୍ୟବସ୍ଥା ସଂଗ୍ରହାଳୟର ଦୃଶ୍ୟପଟ୍ଟକୁ ଅଧିକ ସୌନ୍ଦର୍ଯ୍ୟପ୍ରଦାନ କରୁଛି। ସଂଗ୍ରହାଳୟ ବା‌ହାର ଥିବା ଇଣ୍ଟରପ୍ର‌ିଟେସନ ସେଣ୍ଟରର ନୂଆ ପାଚେରି କରାଯାଇଛି। ଏଥି ସହିତ ଓଡ଼ିଶାର ୧୫ଜଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଦ୍ବାରା ନେତାଜୀଙ୍କ ବିଭିନ୍ନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହାକୁ ସଂଗ୍ରହାଳୟ ପରିସରରେ ସ୍ଥାୟୀ ଭାବେ ସ୍ଥାପନ କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ସଂଗ୍ରହାଳୟ ପକ୍ଷରୁ ପ୍ରତି ପ୍ରତିମୂର୍ତ୍ତି ପାଇଁ ସ୍ବତନ୍ତ୍ର ଷ୍ଟାଣ୍ଡ ତିଆରି କରାଯାଇଛି। ଆସନ୍ତାକାଲିଠାରୁ ଏହି ପ୍ରତିମୂର୍ତ୍ତିକୁ ସଂଗ୍ରହାଳୟ ପରିଦର୍ଶନ କରିବାକୁ ଆସୁଥିବା ଦର୍ଶକ ଓ ‌ନେତାଜୀ ପ୍ରେମୀ ଦେଖି ଅଧିକ ଜାଣି ପାରିବେ। ଏହା ବ୍ୟତୀତ ବୃକ୍ଷରାଜିକୁ ଭଲ ପାଇଥିବା ନେତାଜୀଙ୍କୁ ସମ୍ମାନାର୍ଥେ ସଂଗ୍ରହାଳୟ ପରିସର ବଗିଚାକୁ ସୁନ୍ଦର ପୁଷ୍ପ ଓ ବିଭିନ୍ନ ବୃକ୍ଷରାଜୀରେ ସଜାଯାଇଛି।

ଷ୍ଟିୱାର୍ଟ ସ୍କୁଲ୍‌ରୁ ଶିକ୍ଷା ଆରମ୍ଭ

‌୧୯୦୨ମସିହା ଜାନୁଆରି ୮ତାରିଖରେ ଷ୍ଟିୱାର୍ଟ ସ୍କୁଲର ପ୍ରଥମ ଶ୍ରେଣୀରେ ସୁଭାଷ ବୋଷଙ୍କ ନାମ‌ ‌ହୋଇଥିଲା। ୧୯୦୮ମସିହାରେ ସପ୍ତମ ପାସ୍ କରିଥ‌ିଲେ। ଷ୍ଟିୱାର୍ଟ ସ୍କୁଲ ଶିଖାଇଥିଲା ଶୃଙ୍ଖଳା ଓ କଠିନ ପରିଶ୍ରମର ମୂଲ୍ୟ। ପାଠ ପ୍ରତି ସୁଭାଷଙ୍କ ଆଗ୍ରହ ଦେଖି ଷ୍ଟିୱାର୍ଟ ସ୍କୁଲ ଶିକ୍ଷିକା ସାରା ଲରେନ୍‌ସ୍ ତାଙ୍କୁ ଖୁବ୍ ଭଲ ପାଉଥିଲେ। ସୁଭାଷ ଏତେ ସୁନ୍ଦର ଇଂରାଜୀ କହୁଥିଲେ ଯେ, ସେ ଭାରତୀୟ ଭଳି ଜଣାପଡ଼ୁ ନଥିଲେ।

Sambad

ବରା ଖାଇବାକୁ ଭଲ ପାଉଥିଲେ
କଟକର ସାହିବସ୍ତିରେ ପ୍ରସ୍ତୁତି ବରା ଖାଇବାକୁ ସୁଭାଷ ବୋଷ ଭାରି ଭଲ ପାଉଥିଲେ। ଷ୍ଟିଆର୍ଟ ସ୍କୁଲରେ ପଢ଼ୁଥିବା ପର୍ଯ୍ୟନ୍ତ ଘରେ ସେ ନିୟମିତ ବରା ଖାଉଥିଲେ। ଓଡ଼ିଆବଜାର ବାସିନ୍ଦା ଦୁର୍ଗା ବେୱା ଜାନକୀନାଥ ଭବନକୁ ପ୍ରତିଦିନ ସକାଳେ ଆସି ତାଙ୍କୁ ବରା ଦେଉଥିଲେ। ଖାଲି ସେତିକି ନୁହେଁ, ଅବସର ମିଳିଲେ ମହାନଦୀ ବନ୍ଧରେ ବସି କଟକ ସୁରକ୍ଷା କଥା ଭାବୁଥିଲେ। ଅନେକ ସମୟରେ ପ୍ରଧାନଶିକ୍ଷକଙ୍କ ସହ ନିଜ ମନକଥାକୁ ଆଲୋଚନା କରୁଥିଲେ। ୧୯୩୪ମସିହା ପରେ ସୁଭାଷ କଟକ ସହର ଛାଡି ଦେଇଥିଲେ। କିନ୍ତୁ କଟକ ସମେତ ଓଡ଼ିଶା ଖବର ସର୍ବଦା ରଖୁଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କୁ ସମସ୍ତ ଖବର ଦେଉଥିଲେ।

ସାର୍ବଜନିନ ଦୁର୍ଗାପୂଜାର ପ୍ରତିଷ୍ଠାତା
୧୯୧୫ ମସିହାରେ କୋଲ୍‌କାତା ପ୍ରେସିଡେନ୍‌ସି କ‌ଲେଜରେ ବିଏ ପଢ଼ିବା ସମୟରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ‌ଜଣେ ପ୍ରଫେସରଙ୍କୁ ବିରୋଧ କରି ସୁଭା‌ଷ କଲେଜରୁ ତଡା ଖାଇଥିଲେ। ସେହି ସମୟରେ ଜନ୍ମମାଟି କଟକ ଚାଲିଆସି ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଥିଲେ। ସେତିକି ବେଳେ ନିଜ ସାହି ଓଡ଼ିଆବଜାର ଯୁବକମାନଙ୍କୁ ଏଠାକି କରି ଜାନକୀନାଥ ଭବନରେ ଦୁର୍ଗା ପୂଜା ଆରମ୍ଭ କରିଥିଲେ ସେ। ୧୯୧୭ରେ ଉଚ୍ଚଶିକ୍ଷା ପାଇଁ ପୁଣି ଥ‌ରେ ତାଙ୍କୁ କୋଲକାତା ଯିବାକୁ ପଡ଼ିଥିଲା। ତାଙ୍କ ଅନୁପସ୍ଥିତିରେ ତାଙ୍କ ବନ୍ଧୁମାନେ ଦୁର୍ଗା ପୂଜା ପାଳନ କରୁଥିଲେ। ଏହି ପୂଜା ପରବର୍ତ୍ତି ସମୟରେ ସାର୍ବଜନିନ ଦୁର୍ଗାପୂଜା ଭାବେ ପାଳିତ ହେଉଛି।

କଲିଜିଏଟ୍ ସ୍କୁଲ୍‌ ହ‌ଷ୍ଟେଲ୍‌ ଭୂତକୋଠି, ନେତାଜୀଙ୍କ ପ୍ରକୋଷ୍ଠରେ କେବଳ ଫଟୋ

ନେତାଜୀ ରହୁଥିବା ରେଭେନ୍‌ସା କଲିଜିଏଟ୍ ସ୍କୁଲ ହଷ୍ଟେଲରେ ଆଉ କେହି ରହୁନାହାନ୍ତି। ୨୦ ପ୍ରକ‌ୋଷ୍ଠ ବିଶିଷ୍ଟ ହଷ୍ଟେଲ ଏବେ ଭୂତକୋଠୀ ପାଲଟିଛି। ୨୦୧୮ରୁ ହ‌ଷ୍ଟେଲରେ କେହି ରହୁ ନାହାନ୍ତି। ନେତାଜୀ ରହୁଥିବା ହଷ୍ଟେଲର ରୁମ୍ ନଂ-୧୧ରେ କେବଳ ନେତାଜୀଙ୍କ ଫଟୋ ରହିଛି। ଏକଦା ମେଧାବୀ ଛାତ୍ର ରହିବାକୁ ପ୍ରତିଯୋଗିତା ଚାଲିଥିବା ନେତାଜୀଙ୍କ ପ୍ରକୋଷ୍ଠ ଏବେ ଶୂନ୍ୟ। ଯାହା କିଛି କିଛି ପିଲା ରହୁଥିଲେ କରୋନା ପାଇଁ ଏବେ ସଂପୂର୍ଣ୍ଣ ହଷ୍ଟେଲ ଖାଁ ଖାଁ ଲାଗୁଛି।

Sambad

ରାମକୃଷ୍ଣ କୁଟୀର ସେବାକ୍ଷେତ୍ର, ରାହାସବିହାରୀ ମଠ ଆଧ୍ୟାତ୍ମିକ ପୀଠ
କଲିଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ସୁଭାଷ ‌ପକେଟ୍ ମନିକୁ ସଂଗ୍ରହ କରି ବଙ୍ଗଳି ସାହି ରାମକୃ‌ଷ୍ଣ କୁଟୀର ଅନ୍ତେବାସୀ ଗରିବ ଛାତ୍ରମାନଙ୍କୁ ସହାୟତା କରୁଥିଲେ। ଛାତ୍ର ଜୀବନରୁ ସେ ସେବା ଓ ଅଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇଥିଲେ। ପୁରୀଘାଟ ରାହାସବିହାରୀ ମଠ, ତାଙ୍କ ଘର ପାଖ ବାଉଁଶଗଳିସ୍ଥିତ ସଚ୍ଚିଦାନନ୍ଦ ମଠକୁ ଆଧ୍ୟାତ୍ମିକତା ଶିକ୍ଷା ପାଇଁ ସୁଭାଷ ବିଭିନ୍ନ ସମୟରେ ଯାଉଥିଲେ। ଛାତ୍ର ଜୀବନରୁ ସ୍ବାମୀ ବିବେକାନନ୍ଦ, ରାମକୃ‌ଷ୍ଣ ପରମହଂସ, ସଚ୍ଚିଦାନନ୍ଦ ମଠର ଭକ୍ତିବେଦାନ୍ତ ସ୍ବରସ୍ବତୀ ଗୋସ୍ବାମୀ ଠାକୁର, ରାହାସବିହାରୀ ମଠର ଗୁରୁ ରାମଦାସ ବାବାଜୀଙ୍କ ଅନୁଗାମୀ ଥିଲେ ସୁଭାଷ। ବାହାରୁ ଯିବା ସମୟରେ ସାଙ୍ଗରେ ଗୀତା ଓ କାଳୀଙ୍କ ଫଟୋ ନେଉଥିଲେ।

ଖୁଦିରାମ ବୋଷଙ୍କ ସହିଦ୍ ଦିବସରେ ଉପବାସ କରୁଥ‌ିଲେ
୧୯୦୯ରୁ ୧୯୧୩ ମସିହା ପର୍ଯ୍ୟନ୍ତ ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପଢ଼ୁଥିଲେ। ୧୯୧୩ରେ ସେ କଲିଜିଏଟ୍‌ରୁ ମାଟ୍ରିକ୍ ପାସ୍ କରିଥିଲେ। କଲିଜିଏଟ୍ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ବେଣୀମାଧବ ଦାସ ସୁଭାଷଙ୍କ ଆଦର୍ଶ ଥିଲେ। କଟକରେ ଘର ଥିଲେ ମଧ୍ୟ ଅଧିକ ସମୟ ପାଠପଢ଼ାରେ ଦେବା ପାଇଁ ସେ ହଷ୍ଟେଲରେ ରହୁଥିଲେ। ସାତ ବର୍ଷ କାଳ ମିସନାରୀ ସ୍କୁଲରେ ଟାଏ ପିନ୍ଧୁଥିବା ସୁଭାଷ କଲିଜିଏଟ୍‌ରେ ଧୋତି-କୁର୍ତ୍ତା ପିନ୍ଧି ସମସ୍ତଙ୍କୁ ଚକିତ କରିଥିଲେ। ୧୯୧୦ ମସିହା ଅଗଷ୍ଟ ୧୧ରେ ସହିଦ ଖୁଦିରାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସୁଭାଷ ଉପବାସ କରିବା ସହ ସାହପାଠୀଙ୍କୁ ଏଥି ପାଇଁ ପରାମର୍ଶ ଦେଇଥିଲେ। ଏପରିକି ପ୍ରଧାନଶିକ୍ଷକ ମଧ୍ୟ ଉପବାସ ପାଳିଥିଲେ।

୧୯୩୯ରେ ଶେଷଥର କଟକ ଆସିଥିଲେ, ହାତୀ ପିଠିରେ ବୁଲିଥିଲେ
୧୮୯୭ ମସିହାରୁ ବାପା ଜାନକୀନାଥ ‌ବୋଷଙ୍କ ପର‌ଲୋକ ୧୯୩୪ ମସିହା ପର୍ଯ୍ୟନ୍ତ ୩୭ ବର୍ଷ ଧରି ଜନ୍ମମାଟି କଟକ ସହିତ ନେତାଜୀଙ୍କ ସଂପର୍କ ଥିଲା। ୧୯୩୯ ମସିହାରେ ସୁଭାଷ ଶେଷଥର କଟକ ଆସିଥିଲେ। ସେ ସମୟରେ ତାଙ୍କୁ ଏକ ହାତୀ ପିଠିରେ ବସାଇ କଟକ ବୁଲାଇଥିଲେ ଲୋକେ। ପଣ୍ଡିତ ନୀଳକଣ୍ଠ ଦାସ ଓ ଅନ୍ୟ ନେତାଙ୍କ ସହିତ ସେ ତାଙ୍କର ରେଭେନ୍‌ସା କଲିଜିଏଟ୍ ଯାଇ ବନ୍ଧୁମାନଙ୍କ ସହିତ କିଛି ସମୟ ବିତାଇବା ସହିତ ଫଟୋ ମଧ୍ୟ ଉଠାଇଥିଲେ।

ସ୍ମୃତି ସାଇତି ରଖିଛି ଜନ୍ମସ୍ଥାନ ସଂଗ୍ରହାଳୟ

୨୦୦୪, ଜାନୁଆରି ୨୩ରେ ଜାନକୀନାଥ ଭବନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ରୂପାନ୍ତରିତ ହୋଇଛି। ୨୩ କୋଠରୀ ବିଶିଷ୍ଟ ବାସଭବନକୁ ୧୨ଟି ଗ୍ୟାଲେରିରେ ବିଭକ୍ତ କରି ନେତାଜୀଙ୍କ ଜନ୍ମରୁ ଆଦାଜ୍ ହିନ୍ଦ୍ ଫୌଜ୍ ଗଠନ ପର୍ଯ୍ୟନ୍ତ ଜୀବନର ସମସ୍ତ ଗୁରୁତ୍ବପୂର୍ଣ୍ଣ ଘଟଣା ସାଇତା ଯାଇଛି। ପ୍ରତି ବର୍ଷ ସଂଗ୍ରହାଳୟ ପକ୍ଷରୁ ଗବେଷଣା କରାଯାଇ ନୂଆ ତଥ୍ୟ, ନୂଆ ଉପକରଣ ଆଦି ଏଥିରେ ସାମିଲ କରାଯାଉଛି।

ସମ୍ବନ୍ଧିତ ଖବର