କ୍ରାଇମବ୍ରାଞ୍ଚ ପାଇଁ ନୂଆ ଆହ୍ୱାନ: ବ୍ୟାଙ୍କ ନାଁରେ ନକଲି ୱେବସାଇଟ୍‌

ସାଇବର୍ ଅପରାଧୀ ଖୋଲିଛନ୍ତି କଷ୍ଟମର କେୟାର, ଗୁଗୁଲରେ ମାଳମାଳ ଠକଙ୍କ ନମ୍ବର

କଟକ: ଟଙ୍କା ନେଣଦେଣରେ ତ୍ରୁଟି ଥିଲେ ବ୍ୟାଙ୍କ ସହାୟତା ପାଇଁ ଗୁଗୁଲରୁ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର୍‌ କେୟାର ନମ୍ବର ସଂଗ୍ରହ କରୁଛନ୍ତି କି? ସତର୍କ ରୁହନ୍ତୁ! ସାଇବର ଅପରାଧୀମାନେ ଦେଶର ପ୍ରମୁଖ ବ୍ୟାଙ୍କ ଓ ଟଙ୍କା ନେଣଦେଣ ସଂକ୍ରାନ୍ତ ଆପ୍ଲିକେସନ୍‌ ନାଁରେ ନକଲି ୱେବସାଇଟ୍‌ ପ୍ରସ୍ତୁତ କରି କଷ୍ଟମର୍‌ କେୟାର୍‌ ନମ୍ବର ଅପସନ୍‌ରେ ନିଜର ନମ୍ବର ଦେଇ ବ୍ୟାଙ୍କ ଗ୍ରାହକଙ୍କୁ ଠକୁଛନ୍ତି। ସାଇବର ଅପରାଧୀଙ୍କ ଏ ପ୍ରକାର ନୂଆ କୌଶଳ କ୍ରାଇମବ୍ରାଞ୍ଚ ଦୃଷ୍ଟିକୁ ଆସିଛି। ଯାହାକୁ ନେଇ ବ୍ୟାଙ୍କ ଗ୍ରାହକ ବି ଭୟଭୀତ ହୋଇପଡ଼ିଛନ୍ତି।

ତେବେ ଏଭଳି ନୂଆ କୌଶଳକୁ କ୍ରାଇମବ୍ରାଞ୍ଚ ମୁକାବିଲା କରିବା ପାଇଁ ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି। ଜିଲ୍ଲାରେ ପୁଲିସ ଆଲୋଚନାଚକ୍ର ମାଧ୍ୟମରେ ଏବେ ମୋବାଇଲ୍ ଗ୍ରାହକମାନେ ଟଙ୍କା ନେଣଦେଣ ପାଇଁ ସର୍ବାଧିକ ବ୍ୟବହାର କରୁଥିବା ଫୋନ ପେ, ଗୁଗୁଲ ପେ, ପେଟିଏମ୍‌, ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଭଳି ବ୍ୟାଙ୍କିଙ୍ଗ ସଂସ୍ଥାର ୱେବ୍‌ସାଇଟ୍‌କୁ କ୍ଲୋନିଂ କରୁଛନ୍ତି ସାଇବର୍ ଅପରାଧୀ। www. HYPERLINK “http://about.me”about.me, Freehosting.com, Wix.com, Awardspace.com ଭଳି ସଂସ୍ଥା ମାଗଣା ୱେବସାଇଟ୍ ତିଆରି ପାଇଁ ସୁବିଧା ଦେଉଥିବାରୁ ଏହାର ଫାଇଦା ଉଠାଉଛନ୍ତି ସାଇବର୍ ଅପରାଧୀ। ପ୍ରଥମେ ଅନଲାଇନ୍‌ରେ ଉପରୋକ୍ତ ବ୍ୟାଙ୍କିଙ୍ଗ୍‌ ୱେବସାଇଟ୍‌ର ଅବିକଳ ନକଲି ‌ୱେବ୍‌ସାଇଟ୍ ପ୍ରସ୍ତୁତ କରୁଛନ୍ତି। ଏହି ୱେବ୍‌ସାଇଟ୍‌ ଖୋଲିବା ପରେ କଷ୍ଟମର କେୟାର ଏକଜିକ୍ୟୁଟିଭ୍ ନମ୍ବର ସ୍ଥାନରେ ସାଇବର୍ ଅପରାଧୀମାନେ ନିଜର ଯୋଗାଯୋଗ ନମ୍ବର ଅପଲୋଡ୍ କରି ଦେଉଛନ୍ତି। ଏହି ନକଲି ‌ୱେବସାଇଟ୍ ପ୍ରସ୍ତୁତ ହେବା ପରେ ଗୁଗୁଲରେ ସର୍ଚ୍ଚ କଲେ ଯେଭଳି ଉପର ଆଡୁ ପ୍ରଥମେ ଏହି ନକଲି ବ୍ୟାଙ୍କିଙ୍ଗ୍‌ ୱେବ୍‌ସାଇଟ୍ ଆସିବ ସେଥିପାଇଁ https:/HYPERLINK “http://ads.google.com/”ads.google.com/ ମାଧ୍ୟମରେ ପଞ୍ଜୀକରଣ କରୁଛନ୍ତି। ଗୁଗୁଲ ଆଡସ୍ ସାହାଯ୍ୟ ନେଇ ନକଲି ୱେବସାଇଟ୍ ଇଣ୍ଟରନେଟ୍‌ରେ ଅପଲୋଡ୍‌ କରୁଛନ୍ତି ସାଇବର୍ ଅପରାଧୀ। ଏଥିପାଇଁ ଗୁଗୁଲକୁ ଟଙ୍କା ଦେଉଛନ୍ତି ସାଇବର ଅପରାଧୀ। ଜଣେ ଗ୍ରାହକ ଯେତେବେଳେ ସମ୍ପୃକ୍ତ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର କଷ୍ଟମର୍‌ କେୟାର୍‌ ଏକଜିକ୍ୟୁଟିଭ୍ ନମ୍ବର ଗୁଗୁଲରେ ସର୍ଚ୍ଚ କରୁଛନ୍ତି, ଗୁଗୁଲ ପେଜ୍‌ରେ ଉପର ଆଡ଼ୁ ନକଲି ୱେବସାଇଟରେ ଦିଆଯାଇଥିବା ସାଇବର ଅପରାଧୀଙ୍କ ନମ୍ବର ବ୍ୟାଙ୍କର କଷ୍ଟମର କେୟାର ନମ୍ବର ଭାବେ ଦେଖାଯାଉଛି।

ଏସ୍‌ବିଆଇ, ଫୋନ ପେ, ଗୁଗୁଲ ପେ, ପେଟିଏମ୍‌ ନାଁରେ ନକଲି ନମ୍ବର

ସାଧାରଣତଃ ଯେତେବେଳେ କୌଣସି ବ୍ୟାଙ୍କ କିମ୍ବା ଟଙ୍କା ନେଣଦେଣ ଆପ୍ଲିକେସନ ମାଧ୍ୟମରେ ଜଣେ ଗ୍ରାହକ କାହାକୁ ଟଙ୍କା ପଠାଉଛନ୍ତି କିମ୍ବା କୌଣସି ରିଚାର୍ଜ କରୁଛନ୍ତି, ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟଙ୍କା ଯାଇନଥାଏ କିମ୍ବା ରିଚାର୍ଜ ହୋଇନଥାଏ। ଆକାଉଣ୍ଟରୁ ଟଙ୍କା କଟି ଯାଇଥିବାରୁ ଗ୍ରାହକ ତରବରିଆ ଭାବେ ଗୁଗୁଲରୁ ସମ୍ପୃକ୍ତ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର କଷ୍ଟମର କେୟାର ଏକଜିକ୍ୟୁଟିଭ୍ ନମ୍ବର ସଂଗ୍ରହ କରି ଫୋନ୍ କରନ୍ତି। ତେବେ ଉକ୍ତ ବ୍ୟାଙ୍କିଂ ସଂସ୍ଥାର ଅସଲି ୱେବସାଇଟରୁ ଏହି ନମ୍ବର ସଂଗ୍ରହ ବଦଳରେ ଗୁଗୁଲରୁ ସଂଗ୍ରହ କରନ୍ତି। ଫଳରେ ସାଇବର୍ ଅପରାଧୀ ନକଲି ୱେବସାଇଟ୍ ମାଧ୍ୟମରେ ଅପଲୋଡ କରିଥିବା ନିଜ ନମ୍ବରକୁ ଗ୍ରାହକମାନେ କଷ୍ଟମର କେୟାର ଏକଜିକ୍ୟୁଟିଭ୍ ନମ୍ବର ଧରି ନିଅନ୍ତି। ଗ୍ରାହକ ଏହି ନମ୍ବରରେ ଫୋନ୍ କଲା ପରେ ନିଜକୁ କଷ୍ଟମର କେୟାର ଅଧିକାରୀ ପରିଚୟ ଦେଉଥିବା ସାଇବର ଅପରାଧୀ ବ୍ୟାଙ୍କ ଗ୍ରାହକଙ୍କୁ କୁଇକ୍ ସପୋର୍ଟ, ଟିମ୍‌ ଭିଉଅର୍‌ ଏବଂ ଏନି-ଡେସ୍କ ଭଳି ଆପ୍ଲିକେସନ ମୋବାଇଲରେ ଡାଉନଲୋଡ୍‌ କରିବାକୁ କହିଥା’ନ୍ତି। ପରେ ଏହି ଆପ୍ଲିକେସନ୍‌ ଜରିଆରେ ସାଇବର୍‌ ଠକ ଗ୍ରାହକଙ୍କ ସମସ୍ତ ଗୋପନୀୟ ତଥ୍ୟ ଚୋରି କରି ଟଙ୍କା ହଡ଼ପ କରି ନେଉଛନ୍ତି।

ଏ ସଂପର୍କରେ ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି ଯେ ଟଙ୍କା ନେଣଦେଣ ମାମଲାରେ କୌଣସି ବ୍ୟାଙ୍କ ଗ୍ରାହକଙ୍କ କଷ୍ଟମର କେୟାର ନମ୍ବର ଆବଶ୍ୟକ ହେଲେ ସେହି ବ୍ୟାଙ୍କର ଆପ୍ଲିକେସନ୍ କିମ୍ବା ୱେବସାଇଟରୁ ନମ୍ବର ସଂଗ୍ରହ କରନ୍ତୁ। ଗୁଗୁଲରୁ ଖୋଜିଲେ ସାଇବର ଠକଙ୍କ ନକଲି ବ୍ୟାଙ୍କିଂ ୱେବସାଇଟରେ ଦିଆଯାଇଥିବା ନମ୍ବର ହିଁ ମିଳିବ। ସବୁବେଳେ କଷ୍ଟମର କେୟାର ନମ୍ବର ଏକ ଦେୟମୁକ୍ତ ନମ୍ବର ହୋଇଥାଏ। ନଚେତ ଲ୍ୟାଣ୍ଡଲାଇନ୍ ନମ୍ବର ହୋଇଥାଏ। ସାଧାରଣତଃ ମୋବାଇଲ ନମ୍ବର ଦିଆଯାଇନଥାଏ। ମୋବାଇଲ ନମ୍ବରକୁ ଫୋନ୍ କରନ୍ତୁ ନାହିଁ। ନଚେତ ସିଧାସଳଖ ଟଙ୍କା ନେଣଦେଣ ସମସ୍ୟା ସମ୍ପର୍କରେ ବ୍ୟାଙ୍କକୁ ଯାଇ ଯୋଗାଯୋଗ କରାଯାଇପାରିବ। କ୍ରାଇମବ୍ରାଞ୍ଚର ଜଣେ ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏଭଳି ଘଟଣାରେ ଓଡ଼ିଶାରେ ପ୍ରତି ମାସରେ ହାରାହାରି ୮୦ରୁ ୧୦୦ ଲୋକ ଠକାମିରେ ପଡ଼ୁଛନ୍ତି। ସାଇବର୍ ଅପରାଧ କରୋନା ସମୟରେ ଯେଉଁ ହାରରେ ବୃଦ୍ଧି ପାଇଛି ଏହା କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ବର୍ଷ ୨୦୨୧ରେ ରାଜ୍ୟରେ ୨ ହଜାର ୮୫ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ବର୍ଷରେ ୧୯୩୧ ମାମଲା ରୁଜୁ ହୋଇଥିଲା। ୨୦୧୯ରେ ୧୪ଶହ ୮୫ ଓ ୨୦୧୮ରେ ୮୪୩ ମାମଲା ରୁଜୁ ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର