ସିଏମ୍‌ସି କମିସନର୍‌ ଭାବେ ଦାୟିତ୍ବ ନେଲେ ନିଖିଲ୍‌ ପୱନ୍‌ କଲ୍ୟାଣ

କଟକ: କଟକ ପୌର ନିଗମ (ସିଏମ୍‌ସି)ର ୧୮ତମ କମିସନର ଭାବେ ନିଖିଲ୍‌ ପୱନ୍‌ କଲ୍ୟାଣ ଆଜି ଦାୟିତ୍ବ ନେଇଛନ୍ତି। କମିସନର ଭାବେ ଦାୟିତ୍ବ ନେବା ପୂର୍ବରୁ ଶ୍ରୀ କଲ୍ୟାଣ ଚଣ୍ଡୀମନ୍ଦିରରେ ପୂଜା କରିଥିଲେ। କାମରେ ଯୋଗ ଦେବା ପରେ ବିଜୁ ଭବନ ପରିସରରେ ଥିବା ସମସ୍ତ ବିଭାଗକୁ ଶ୍ରୀ କଲ୍ୟାଣ ବୁଲି ଦେଖିଥିଲେ। ବିଶେଷ ଭାବେ କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା କୋଠାକୁ ଦେଖି ଇଂଜିନିୟରିଂ ବିଭାଗର ଅଧିକାରୀଙ୍କ ସହିତ ଏହାର ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଏହାପରେ ସିଏମ୍‌ସିର ସମସ୍ତ ଅଧିକାରୀ ଓ କମର୍ଚାରୀଙ୍କ ସହିତ ବିଜୁ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ସହରବାସୀଙ୍କ ପାଇଁ ନିଷ୍ଠାପର ଭାବେ କାମ କରିବାକୁ ସେ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ବାନ ଦେଇଛନ୍ତି।

ଏହାସହ ବିନା କାରଣରେ କାମ ବନ୍ଦ କରିବା କିମ୍ବା ଫାଇଲ ଆଗକୁ ନ ବଢିବା ପରି ଅଭିଯୋଗ ଆସିଲେ ଏହା ଉପରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଭାରେ ନୂଆ କମିସନର ଚେତାବନୀ ଦେଇଛନ୍ତି। ୨୦୧୨ ବ୍ୟାଚ୍‌ ଆନ୍ଧ୍ରପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ପୱନ କଲ୍ୟାଣ ସିଏମ୍‌ସିରେ କମିସନର ଭାବେ ଯୋଗ ଦେବା ପୂର୍ବରୁ ସୁନ୍ଦରଗଡର ଜିଲ୍ଲାପାଳ ଭାବେ କାମ କରିଛନ୍ତି। ଓଡ଼ିଶାରେ ପ୍ରଥମେ ସେ ଟିଟିଲାଗଡରେ ନିଯୁକ୍ତି ପାଇଥିଲେ। ଏହାପରେ ଗଞ୍ଜାମର ଅତିରିକ୍ତି ଜିଲ୍ଲାପାଳ ଭାବେ, କେନ୍ଦୁଝରର ପିଡିଡିଆରଡିଏ ଭାବେ, ବ୍ରହ୍ମପୁର ମହାନଗର ନିଗମରେ କମିସନର ଭାବେ ଓ ପରେ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ସୁନ୍ଦରଗଡକୁ ଯାଇଥିଲେ। ଶ୍ରୀ କଲ୍ୟାଣଙ୍କ ଘର ଆନ୍ଧ୍ର ପ୍ରଦେଶ‌ର ମଚ୍ଛଲିପଟନମ୍‌ରେ।

ସମ୍ବନ୍ଧିତ ଖବର