କଟକ: ବସ୍ତିରୁ ଆସି ସିଏମ୍ସିର ସର୍ବକନିଷ୍ଠ ଡେପୁଟି ମେୟର ହୋଇଛନ୍ତି ୪୯ ନମ୍ବର କର୍ପୋରେଟର ଦମୟନ୍ତୀ ମାଝୀ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ପିଜି କରୁଥିବା ସମୟରେ ତାଙ୍କୁ ପ୍ରଥମେ କର୍ପୋରେଟର ଓ ପରେ ଡେପୁଟି ମେୟର ହେବାର ସୁଯୋଗ ମିଳିଛି। ରାଜନୀତିରେ ପ୍ରଥମ କରି ପାଦ ଦେଇଥିବା ଦମୟନ୍ତୀ ଦାୟିତ୍ବ ନେବା ପରେ ଯାହା କହିଛନ୍ତି...
ସର୍ବକନିଷ୍ଠ ଡେପୁଟି ମେୟର ହେବା ପରେ କିପରି ଲାଗୁଛି?
ସିଏମ୍ସି ୪୯ ନମ୍ବର ୱାର୍ଡର କର୍ପୋରେଟର ହେବା ପରେ ଡେପୁଟି ମେୟର ହେବା ମୋ ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ଏପରି ଏକ ସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ବିଧାୟକ ସୌଭିକ ବିଶ୍ବାଳ ମୋତେ ବାଛି ଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୋର ଏହି ସଫଳତାରେ ମୋ ପରିବାରର ସମସ୍ତ ସଦସ୍ୟ ବହୁ ଖୁସି ଅଛନ୍ତି।
ଛାତ୍ର ଜୀବନରୁ ରାଜନୀତିକୁ ଆସି କିପରି କାମ କରିବେ?
ରାଜନୀତିରେ ମୋର କୌଣସି ଅଭିଜ୍ଞତା ନାହିଁ। ତଥାପି ସିଏମ୍ସିର କର୍ପୋରେଟର ଓ ପରେ ଡେପୁଟି ମେୟର ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି। ଡେପୁଟି ମେୟର ହିସାବରେ ଆସନ୍ତା ୫ବର୍ଷ ପାଇଁ ୫୯ଟି ୱାର୍ଡର ସମସ୍ତ ବାସିନ୍ଦାଙ୍କ ହିତରେ କାମ କରିବି। ଯେଉଁ ଆଶା ଓ ଭରସାରେ ମୋତେ ଏହି ଦାୟିତ୍ବ ଦିଆଯାଇଛି ତାହା ସଫଳ କରିବା ଦିଗରେ ଉଦ୍ୟମ କରିବି।
ବସ୍ତିବାସିନ୍ଦାଙ୍କ ପାଇଁ କ’ଣ ଯୋଜନା ରଖିଛନ୍ତି?
ବସ୍ତିରେ ରହୁଥିବାରୁ ଏହାର ସମସ୍ୟା ଗୁଡିକୁ ଅତି ନିକଟରୁ ଜାଣିଛି। ବସ୍ତିବାସିନ୍ଦାଙ୍କର କ’ଣ ଆବଶ୍ୟକତା ରହିଛି ଏହାକୁ ପିଲାଟି ସମୟରୁ ଦେଖିଛି। ରାଜ୍ୟ ସରକାରଙ୍କ ଜାଗା ମିସନରୁ ଆରମ୍ଭ କରି ବିଜୁ ଆଦର୍ଶ କଲୋନି ପରି ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ପାଇଁ କାମ କରିବି। ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦାଙ୍କ ଥଇଥାନରୁ ଆରମ୍ଭ କରି ସେମାନଙ୍କ ରାସନକାର୍ଡ ଓ ଭତ୍ତା ପରି ପ୍ରସଙ୍ଗକୁ ଅଗ୍ରାଧିକାର ଦେବି।
୫୯ଟି ୱାର୍ଡର ସମସ୍ୟା ବୁଝି ପାରିବେ?
କର୍ପୋରେଟର ହିସାବରେ ମୁଁ ମୋ ୱାର୍ଡ କଥା ବୁଝିବି। ମାତ୍ର ଡେପୁଟି ମେୟର ହିସାବରେ ପୁରା ସହର ହେଉଛି ମୋର କର୍ମକ୍ଷେତ୍ର। ସବୁ ୱାର୍ଡର ଲୋକଙ୍କ ସମସ୍ୟାକୁ ଶୁଣି ସିଏମ୍ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ତାହାର ସମାଧାନ ଦିଗରେ ଉଦ୍ୟମ କରାଯିବ।
ବସ୍ତିର ଝିଅ ହିସାବରେ ସେଠିକାର ମହିଳାଙ୍କ ପାଇଁ କ’ଣ କରିବେ?
ଡେପୁଟି ମେୟର ହିସାବରେ ସହରର ସମସ୍ତ ବସ୍ତି ହେଉଛି ମୋର ଘର। ସେଠାରେ ରହୁଥିବା ମହିଳାଙ୍କ ହାତକୁ ଯେପରି କାମ ପହଞ୍ଚିବ ଏଥିପାଇଁ ଅଧିକ ସଂଖ୍ୟାରେ ଏସ୍ଏଚ୍ଜି ଗ୍ରୁପ କରି ସେଗୁଡିକୁ ପଞ୍ଜୀକରଣ କରିବା ଦିଗରେ ସେମାନଙ୍କୁ ସହଯୋଗ ସହ ଉତ୍ସାହିତ କରିବି।
ରାଜନୀତି ଓ ପାଠ ମଧ୍ୟରେ କିପରି ସମନ୍ବୟ ରଖିବେ ?
ପାଠ ପଢିଥିବାରୁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି। ଡେପୁଟି ମେୟର ଦାୟିତ୍ବ ସହିତ ପାଠପଢାକୁ ଜାରି ରଖିବି। ଭବିଷ୍ୟତରେ ଅଧିକ ପଢିବାକୁ ଇଚ୍ଛା ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/CMC.sapath-patha-17-210x300-1.jpg)