୬୦ବର୍ଷରେ ରେଭେନ୍‌ସା ନୂଆ ଛାତ୍ରାବାସ, ଡିସେମ୍ବର୍‌ରେ ହୀରକ ଜୟନ୍ତୀ ସମାରୋହ

କଟକ: ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଥିବା ୭ଟି ପ୍ରମୁଖ ଛାତ୍ରାବାସ ମଧ୍ୟରେ ନ୍ୟୁ ହ‌ଷ୍ଟେଲ(ନୂଆ ଛାତ୍ରାବାସ)ର ସ୍ବତନ୍ତ୍ର ପରିଚୟ ରହିଛି। ତିନିମହଲା ବିଶିଷ୍ଟ ଏହି ଛାତ୍ରାବାସ ଅନେକ ଲବ୍‌ଧପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଗଢ଼ି ତୋଳିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଦେବୀପ୍ରସାଦ ବାଗ୍‌ଚୀ, ସୁବାସ ପାଣି, ପୂର୍ବତନ ପୁଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ରେଭେନ୍‌ସା ପୂର୍ବତନ କୁଳପତି ପ୍ରକାଶ ଷଡ଼ଙ୍ଗୀ, ବର୍ତ୍ତମାନର କୁଳପତି ସଞ୍ଜୟ କୁମାର ନାୟକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭାଗବତ ବେହେରା, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ପ୍ରତିଷ୍ଠାତା ଶିକ୍ଷାବିତ୍‌ ସ୍ବର୍ଗତ ବିଜୟ ସାହୁ, ପୂର୍ବତନ ଭିଜିଲାନ୍‌ସ ନି‌ର୍ଦ୍ଦେଶକ ସ୍ବର୍ଗତ ଦେବାଶିଷ ପାଣିଗ୍ରାହୀ ଭଳି ସଫଳ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏଇଠି ରହିଥିଲେ। ଦୀର୍ଘ ୬୦ବର୍ଷ ଧରି ଅନେକ ଛାତ୍ରଙ୍କୁ ଆଶ୍ରୟ ଦେବା ସହ ସଫଳ କରି ଗଢ଼ିତୋଳିଛି ଏହି ପ୍ରମୁଖ ଛାତ୍ରାବାସ। ଚଳିତବର୍ଷ ୬୦ବର୍ଷରେ ପଦାର୍ପଣ କରିଥିବା ନୂଆ ଛାତ୍ରାବାସ ଆସନ୍ତା ଡିସେମ୍ବର୍‌ରେ ପାଳିନ କରୁଛି ହୀରକ ଜୟନ୍ତୀ। ଏଥିପାଇଁ ପ୍ରାକ୍ତନ ଓ ଅଧୁନାତନ ଅନ୍ତେବାସୀଙ୍କ ଆରମ୍ଭ କରିଛନ୍ତି ପ୍ରସ୍ତୁତି।
ରେଭେନ୍‌ସା ପିଲାଙ୍କ ପାଇଁ ଇଷ୍ଟ୍‌ ହଷ୍ଟେଲ୍‌ ଓ ୱେଷ୍ଟ୍‌ ହଷ୍ଟେଲ୍‌ରେ ସ୍ଥାନ ଅଭାବ ହେବାରୁ ଅନେକ ଛାତ୍ରଙ୍କୁ ବାହାରେ ରହିବାକୁ ପଡ଼ିଲା। ଏହାର ସମାଧାନ ପାଇଁ ରେଭେନ୍‌ସା ଛାତ୍ରମା‌ନେ ବଳପୂର୍ବକ ଯୋବ୍ରାସ୍ଥିତ ସ୍ବାସ୍ଥ୍ୟବିଭାଗର କୋଠା(ବର୍ତ୍ତମାନ ଜଗନ୍ନାଥ ଛାତ୍ରାବାସ)କୁ ଅକ୍ତିଆର କରିବାରୁ ରାଜ୍ୟ ସରକାର ଏହାକୁ ରେଭେନ୍ସାକୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ। ଏହା ସତ୍ତ୍ବେ ଅଭାବ ପୂରଣ ନହେବାରୁ ଛାତ୍ରଙ୍କ ଦାବି ଅନୁସାରେ ୧୯୬୧-୬୨ରେ ତିନିମହଲା ବିଶିଷ୍ଟ କୋଠା ତିଆରି ହୋଇ ଏହାର ନାମ ନୂଆ ଛାତ୍ରାବାସ ହେଲ। ଏଥିରେ ୭୫ଟି କଠୋରି ରହିଥିବା ବ‌େଳେ ପାଖାପାଖି ୨ଶହ ଅନ୍ତେବାସୀଙ୍କ ରହିବା ବ୍ୟବସ୍ଥା ରହିଛି। ଆରମ୍ଭରୁ ଏଠାରେ ପିଜି ପିଲା ରହୁଥିଲେ। ପରେ ଯୁକ୍ତ ଦୁଇଠୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ପିଲା ରହିଛନ୍ତି। ଏବେ କେବଳ ସ୍ନାତକ ଶ୍ରେଣୀ ଛାତ୍ରମାନେ ରହୁଥିବା ବେଳେ ଡକ୍ଟର ଖଗେନ୍ଦ୍ର ସେଠୀ ଏହାର ୱାର୍ଡେନ‌୍ ଅଛନ୍ତି। ଆସନ୍ତା ଡିସେମ୍ବର ମାସରେ ଏହା ୬୦ବର୍ଷ ପୂର୍ତ୍ତି ଉତ୍ସବ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ହୀରକ ଜୟନ୍ତୀ ପାଳନ ପାଇଁ ‘ରେଭେନ୍ସା ନୂତନ ଛାତ୍ରାବାସ ପୂର୍ବ ଅନ୍ତେବାସୀ ସଂଘ’ ଗଠନ କରାଯାଇଛି। ସଭାପତି ଭାବେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର୍‌ ଅରବିନ୍ଦ ବେହେରା, ସାଧାରଣ ସଂପାଦକ ଭାବ‌େ ଡାକ୍ତର ଜ୍ଞାନରଞ୍ଜନ ପଣ୍ଡା ରହିଥିବା ବେଳେ ପ୍ରାକ୍ତନ ବାଣିଜ୍ୟକର କମିସନର ବିଧୁଭୂଷଣ ମହାନ୍ତି, ମ୍ୟାନେଜମେଣ୍ଟ ଗୁରୁ ଅଜୟ ମହାନ୍ତି, ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ, ବିଭୁଦତ୍ତ ବେହେରା ପ୍ରମୁଖ କର୍ମକର୍ତ୍ତା ଅଛନ୍ତି। ଗତକାଲି ସଂଘର ସଭାପତି ଡକ୍ଟର ବେହେରାଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ନାୟକଙ୍କୁ ଭେଟି ଆସନ୍ତା ଡିସେମ୍ବର ହୀରକ ଜୟନ୍ତୀ ପାଳନ କରିବା ପ୍ରସଙ୍ଗରେ ଆଲୋଚନା କରିବା ସହିତ ନୂଆ ଛାତ୍ରବାସର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ କୁଳସଚିବ ଡକ୍ଟର ଭକ୍ତଚରଣ ପ୍ରଧାନ, ବିତ୍ତ ନିୟନ୍ତ୍ରକ ଜାହାଙ୍ଗିର ଖାନ, ଛାତ୍ରାବାସ ୱାର୍ଡେନ‌୍ ଖଗେନ୍ଦ୍ର ସେଠୀ, ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର ବୈରାଗୀ ଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର