କଟକ: କରୋନା ସଂକ୍ରମଣ ଓ ବାୟୁ ପ୍ରଦୂଷଣକକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦୀପାବଳିରେ ବାଣଫୁଟା ଉପରେ ସରକାର କଟକଣା ଲଗାଇଛନ୍ତି। ଲୋକେ ଯେପରି ବାଣ କିଣି ପାରିଲେ ନାହିଁ କାରଣ ବାଣ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଏଭଳି ସ୍ଥିତିରେ ବାଣ ରସିକ ଲୋକେ ବଜାରରୁ ଇଲେକ୍ଟ୍ରିକ୍ ବାଣ କିଣି ଦୀପାବଳି ପାଳିଛନ୍ତି । ଇଲେକ୍ଟ୍ରିକ କରେଣ୍ଟରେ ବାଣ ଫୁଟୁଥିବାରୁ ଏଥିରେ ବାୟୁ ପ୍ରଦୂଷଣ ହେଉନାହିଁ। ସେହି କାରଣରୁ ଚଳିତବର୍ଷ ବାଣ ବଦଳରେ ଏହାକୁ ଲୋକେ ଅଧିକ ସଂଖ୍ୟାରେ କିଣିଥିବା ଦେଖିବାକୁ ମିଳିଛି।
ବାରୁଦରେ ପ୍ରସ୍ତୁତ ବାଣ ଓ ଅଗ୍ନି ସଂଯୋଗରେ ଫୁଟୁଥିବା ବାଣକୁ ଚଳିତବର୍ଷ ବାରଣ କରାଯାଇଥିବାରୁ ଏଥର ବଜାରକୁ ଇଲେକ୍ଟ୍ରିକ୍ ବାଣ ଆସିଥିଲା, ଯାହା ଇଲେକ୍ଟ୍ରିକ୍ କରେଣ୍ଟରେ ଫୁଟିବ। ଏଥିରେ ନିଆଁ ସଂଯୋଗ କରିବାକୁ ପଡିବ ନାହିଁ କି ଏଥିରୁ ଧୂଆଁ କିମ୍ବା ବିଷାକ୍ତ ଗ୍ୟାସ ବାହାରିବ ନାହିଁ। ଉକ୍ତ ବାଣଟି ଡୋର ହ୍ୟାଙ୍ଗିଙ୍ଗ୍ ପରି ଦେଖିବାକୁ ହୋଇଛି। ଏହାକୁ ଗୋଟିଏ ସ୍ଥାନରେ ଟାଙ୍ଗିବା ସହିତ ଏଥିରେ ଇଲେକ୍ଟ୍ରିକ୍ କରେଣ୍ଟ ସଂଯୋଗ କରିବାକୁ ପଡିବ। ଏହା ସହିତ ମିଳିଥିବା ରିମୋଟ୍ ବଟନ ଟିପେଲେ ଜୋରରେ ବାଣ ଭଳି ଶବ୍ଦ ହେବ। ଯେତେବେଳ ପର୍ଯ୍ୟନ୍ତ ବଟନ୍ ଟିପି ଧରିଥିବେ ସେତେ ସମୟ ପର୍ଯ୍ୟନ୍ତ ବାଣ ଫୁଟୁଥିବ। ଏଥିରୁ ଧୂଆଁ କିମ୍ବା ବିଷାକ୍ତ ଗ୍ୟାସ ବାହାରିବ ନାହିଁ। ଇଲେକ୍ଟ୍ରିକ ବାଣର ମୂଲ୍ୟ ୨ ହଜାରରୁ ୨୨ଶହ ଟଙ୍କା ମଧ୍ୟରେ ରହିଛି। ଅନ୍ୟପଟେ ବାଣ ଫୁଟା ଉପରେ ରୋକ ଲଗାଯାଇଥିବାରୁ ଲୋକ ଘର ସଜାଇବା ପାଇଁ ଅଧିକ ପରିମାଣରେ ହାତ ତିଆରି ଲିଚୁ, ମଲ୍ଟିକଲର ଲିଚୁ, ଲାଇଟ୍ ଗଛ, ଲାଇଟ୍ ୱାଟର ଫଲ୍, ହ୍ୟାଣ୍ଡମେଡ୍ ଏଲ୍ଇଡି ଇତ୍ୟାଦି କିଣୁଥିବା ଦେଖିବାକୁ ମିଳିଥିଲା।