ରେଭେନ୍ସା ଉଚ୍ଚମାଧ୍ୟମିକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିଚିତ୍ର ନିୟମ, ମାତ୍ର ଘଣ୍ଟାଏ ପାଇଁ ବାହାରକୁ ଯାଇପାରିବେ ହଷ୍ଟେଲ୍‌ ଛାତ୍ରୀ

କୋଚିଂ ଓ ଟ୍ୟୁସନ୍‌ରେ ଗୁରୁତର ସମସ୍ୟା

କଟକ: ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀଙ୍କ ପାଇଁ କର୍ତ୍ତୃପକ୍ଷଙ୍କ ନୂଆ ନିୟମ ଏବେ ସମସ୍ୟାର କାରଣ ହୋଇଛି। ହଷ୍ଟେଲର ଛାତ୍ରୀଙ୍କୁ ଦିନକୁ କେବଳ ଏକ ଘଣ୍ଟା ପାଇଁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ଏଥିରେ ଟିଉସନ୍‌ କିମ୍ବା କୋଚିଂ ପାଇଁ ଯିବାକୁ ଛାତ୍ରୀଙ୍କୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବାର ଅଭିଯୋଗ ହୋଇଛି। ଗତ ଏକ ସପ୍ତାହ ହେବ ଛାତ୍ରୀଙ୍କୁ ଅପରାହ୍ନ ୪ରୁ ୫ଟା ମଧ୍ୟରେ ହଷ୍ଟେଲ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ମାତ୍ର ଗୋଟିଏ ଘଣ୍ଟା ପାଇଁ ଅନୁମତି ମିଳୁଥିବାରୁ ଛାତ୍ରୀମାନେ କୋଚିଂ କିମ୍ବା ଟିଉସନ୍‌କୁ ଯାଇ ପାରୁ ନାହାନ୍ତି। ଅନ୍ୟପଟେ ଅଭିଭାବକ ରେଭେନ୍ସାକୁ ଆସି ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ସେମାନଙ୍କ ପିଲାଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ହେଲେ ବହୁ ଅଭିଭାବକ ଏବେ ତୁରନ୍ତ କଟକ ଆସିବା ପରିସ୍ଥିତିରେ ନଥିବା ବେଳେ ସେମାନଙ୍କ ପିଲାଙ୍କ ପାଠପଢାରେ ବାଧା ‌ଉପୁଜିଛି। ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ନିବାସ ଗତ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଏବେ ଏଠାରେ ୩ଶହ ଛାତ୍ରୀ ରହୁଛନ୍ତି। ଏକ ବର୍ଷ ଧରି ଆରମ୍ଭ ହୋଇଥିବା ହଷ୍ଟେଲର ନିୟମରେ ଏବେ କର୍ତ୍ତୃପକ୍ଷ ପରିବର୍ତ୍ତନ ଆଣିଛନ୍ତି।

ପୂର୍ବରୁ କୋଚିଂ କିମ୍ବା ଟିଉସନ୍‌ ପାଇଁ ଛାତ୍ରୀଙ୍କୁ କ୍ଲାସ୍‌ ପୂର୍ବରୁ କିମ୍ବା ପରେ ହଷ୍ଟେଲ ବାହାରକୁ ଯିବାକୁ ଅନୁମତି ମିଳୁଥିଲା। ମାତ୍ର ଗତ କିଛି ଦିନ ହେବ ଏହାକୁ ପରିବର୍ତ୍ତନ କରାଯାଇଛି। ଛାତ୍ରୀ ନିବାସର ଅନ୍ତେବାସୀଙ୍କୁ କେବଳ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ବାହାରକୁ ଯିବାକୁ ଅନୁମତି ଦିଆଯାଉଛି। ଗୋଟିଏ ଘଣ୍ଟାଏ ପାଇଁ ଛାତ୍ରୀଙ୍କୁ ବାହାରକୁ ଛଡା ଯାଉଥିବା ବେଳେ ସେମାନେ ‌ଟିଉସନ୍‌ କିମ୍ବା କୋଚିଂ କ୍ଲାସ କରି ପାରୁନାହାନ୍ତି। ଆଗକୁ ଯୁକ୍ତ ୨ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ଥିବା ବେଳେ ହଷ୍ଟେଲ ଦାୟିତ୍ବରେ ଥିବା ଅଧ୍ୟାପିକା ଅନ୍ତେବାସୀଙ୍କୁ ଟିଉସନ୍‌ କିମ୍ବ‌ା କୋଚିଂ ପାଇଁ ଛାଡୁ ନଥିବାରୁ ବହୁ ପିଲା ମାନସିକ ଚାପରେ ଥିବାର ଅଭିଯୋଗ ହୋଇଛି। ଏପରିକି ଛାତ୍ରୀଙ୍କୁ ସକାଳ ଏବଂ ସଂଧ୍ୟାରେ ଜଳଖିଆ କରିବା ପାଇଁ ବାହାରକୁ ଯିବାକୁ ଅନୁମତି ମିଳୁନାହିଁ। ଏକ ସପ୍ତାହ ମଧ୍ୟରେ ହଷ୍ଟେଲର ନିୟମରେ ବାରମ୍ବାର ପରିବର୍ତ୍ତନ କରାଯାଉଥିବା ସମୟରେ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଅଭିଭାବକଙ୍କୁ କୌଣସି ନୋଟିସ୍‌ ମିଳି ନଥିବା କିଛି ଅଭିଭାବକ କହିଛନ୍ତି। ସେପଟେ ଦିନ ୧୦ରୁ ଅପରାହ୍ନ ୪ଟା ମଧ୍ୟରେ କ୍ଲାସ କରାଯାଉଥିବା ବେଳେ ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ କ୍ଲାସ ଗୁଡିକୁ ରଖାଯାଇଛି। ଏଭଳି ସ୍ଥିତିରେ ଅନେକ ପିଲା ଅପରାହ୍ନ କ୍ଲାସ ବି କରିପାରୁ ନାହାନ୍ତି। ଜେକେବିକେ, ଶୈଳବାଳା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ସକାଳ ୭ରୁ ଅପରାହ୍ନ ୨ଟା ମଧ୍ୟରେ କ୍ଲାସ୍‌ ହେଉଥିବା ସମୟରେ ରେଭେନ୍ସାରେ ସେହି ସମୟରେ କ୍ଲାସ୍‌ କରିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି ହୋଇଛି। କିନ୍ତୁ ସକାଳ ୭ରୁ ୯ଟା ଓ ସଂଧ୍ୟା ୪ରୁ ୫ଟା ମଧ୍ୟରେ ଛାତ୍ରୀକୁ ବାହାରକୁ ଯିବା ପାଇଁ ଅନୁମତି ରହିଛି ବୋଲି ଅଧ୍ୟକ୍ଷା ଡକ୍ଟର ଆରତି ତ୍ରିପାଠୀ କହିଛନ୍ତି। ଛାତ୍ରୀ ନିବାସର କିଛି ଛାତ୍ରୀ କୋଚିଂ ଓ ଟିଉସନ୍‌ ଆଳରେ ବାହାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଅଭିଭାବକଙ୍କୁ କଲେଜକୁ ଆସି ଲିଖିତ ଭାବେ ସେମାନଙ୍କ ପିଲାଙ୍କ ପାଇଁ ଅନୁମତି ନେବାକୁ କୁହାଯାଇଛି ବୋଲି ଅଧ୍ୟକ୍ଷା କହିଛନ୍ତି।

ସମ୍ବନ୍ଧିତ ଖବର