କଟକ :ସେମାନଙ୍କ ବାହାଘରକୁ ମାତ୍ର ତିନି ଦିନ ହୋଇଥିଲା। ବାହାଘର ପରେ ବୁଲିବା ପାଇଁ ନବ ଦମ୍ପତି ବାହାରିଥିଲେ ହାୱଡାରୁ ବେଙ୍ଗାଲୁରୁ। କରମଣ୍ଡଳ ଏକ୍ସପ୍ରେସ୍‌ରେ ଚେନ୍ନାଇ ଯାଇ ସେଠାରୁ ବାଙ୍ଗାଲୋର ଯିବାର ଯୋଜନା ଥିଲା। କିନ୍ତୁ ସବୁ ଯୋଜନା ଓଲଟପାଲଟ ହେଇଗଲା। ମେ ୨୯, ଶୁକ୍ରବାର ସଂଧ୍ୟା ସାତଟାରେ ବାହାନଗା ନିକଟରେ ସେହି ଛାତିଥରା ଟ୍ରେନ୍‌ ଦୁର୍ଘଟଣା ସେମାନଙ୍କ ସବୁ ଯୋଜନାକୁ ତ ଚୁରମାର୍‌ କରି ଦେଲା, ତା ସହିତ ପରସ୍ପରଠାରୁ ଅଲଗା ବି କରି ଦେଲା। ଘଟଣାର ସାତ ଦିନ ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କର ମିଳନ ହେଲା କଟକ ବଡ ମେଡିକାଲରେ। ଉଭୟଙ୍କର ଜୀବନ ବଞ୍ଚିଯିବା ସହିତ ପରସ୍ପରକୁ ଫେରି ପାଇବା ହୁଏତ ସବୁ ଦିନ ପାଇଁ ସେମାନଙ୍କ ଜୀବନର ମଧୁର ସ୍ବପ୍ନ ହୋଇ ରହିବ।

Advertisment

ଇଏ ହେଉଛି ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ବାସିନ୍ଦା ମହମ୍ମଦ ରଫିକ ଓ ତାଙ୍କ ପତ୍ନୀ ଦୀପିକା ପାଲିଙ୍କ ଅଙ୍ଗେନିଭା କଥା। ଟ୍ରେନ୍ ଦୁର୍ଘଟଣାରେ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଖି ସାମ୍ନାରେ ଶହ ଶହ ମୃତଦେହ ଆଉ ଯନ୍ତ୍ରଣାର ଆର୍ତ୍ତ ଚିତ୍କାର ଶୁଣିଛନ୍ତି। ଆଉ ଏବେ ବିଚ୍ଛେଦ ଆଉ ମିଳନର ଦୁଃଖ ଆଉ ସୁଖ ସାଉଁଟୁଛନ୍ତି। ଟ୍ରେନ ଦୁର୍ଘଟଣା ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଲେଶ୍ବର ଓ ପରେ କଟକ ବଡ ମେଡିକାଲକୁ ଅଣା ଯାଇଥିଲା। କିନ୍ତୁ ସେମାନେ ଆଉ ପରସ୍ପର ସଂପର୍କରେ ଖବର ପାଇ ପାରୁ ନଥିଲେ। ଜଣେ ଜାଣି ପାରୁ ନଥିଲା, ଅନ୍ୟ ଜଣଙ୍କ ସ୍ଥିତି ସଂପର୍କରେ। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ସହ ଯୋଡ଼ିବା ପ୍ରୟାସରେ ସେମାନେ ଦୁଇ ଦିନ ତଳେ ପରସ୍ପରକୁ ମେଡିକାଲ ଭିତରେ ଭେଟିବାର ସୁଯୋଗ ପାଇଥିଲେ। ଏବେ ମହମ୍ମଦ ରଫିକ ଟ୍ରମା ଓ ଦୀପିକା ପାଲି ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ସେହି କାଳ ରାତିର ଅନୁଭବରୁ ମୁକୁଳି ପାରୁ ନାହାନ୍ତି। ବାରମ୍ବାର ସେହି ସମୟକୁ ନେଇ ଶିହିରୀ ଉଠୁଛନ୍ତି ଉଭୟ ରଫିକ ଓ ଦୀପିକା। କିନ୍ତୁ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେଉଛନ୍ତି, ଉଭୟଙ୍କ ଜୀବନ ବଂଚି ଯିବା ଆଉ ପରସ୍ପରକୁ ଫେରି ପାଇଥିବା କାରଣରୁ।