ନିଆଳି ସଂରକ୍ଷିତ ନିର୍ବାଚନମଣ୍ଡଳୀ : ଏଥର କିଏ?, ସ୍ଥିତି ଏବେ ବି ଅସ୍ପଷ୍ଟ

ନିଆଳି : ନିଆଳି ସରଂକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଦିନକୁ ଦିନ ଉଷ୍ମ ହଉଛି। ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ ନିଆଳି ନିର୍ବାଚନମଣ୍ଡଳୀ ଗଠନ ହେବା ଠାରୁ ଗତ ଦୁଇଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ତୃତୀୟଥର ପାଇଁ ବିଜେଡ଼ିରୁ ଟିକଟ ପାଇ ହାଟ୍ରିକ୍ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ତେବେ ଡ଼ାକ୍ତର ମଲ୍ଲିକ ତୃତୀୟ ଥର ପାଇଁ ବିଜେଡ଼ି ଟିକେଟ୍ ପାଇବେ କି ନାହିଁ? ଅନ୍ୟଦଳରୁ କିଏ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇବେ ଏ ସବୁ ପ୍ରଶ୍ନ ନିଆଳିନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଭିତରେ ଆଲୋଚନାର ବିଷୟ ହୋଇଛି।

ବହୁ ବର୍ଷଧରି ଏହି ଅଞ୍ଚଳ ଅଣ କଂଗ୍ରେସ ଦଳର ଦୁର୍ଗ ଭାବେ ରହି ଆସିଛି। ୨୦୦୯ରେ ନୂତନ ନିଆଳିନର୍ବାଚନ ମଣ୍ଡଳୀ ସଂରକ୍ଷିତ ହେବା ପରେ କଂଗ୍ରେସ ପ୍ରାର୍ଥୀ ଆର୍ତତ୍ରାଣ ମଲ୍ଲିକଙ୍କୁ ୫୦ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇ ବିଜେଡ଼ି ପ୍ରାର୍ଥୀ ଡ଼ାକ୍ତର ମଲ୍ଲିକ ବିଜୟୀ ହୋଇଥିଲେ। ଅବଶ୍ୟ ସେତେବେଳେ କଂଗ୍ରେସର ଗୋଷ୍ଠୀ ବିବାଦ ଯୋଗୁଁ ଏଭଳି ଏକ ବଡ଼ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହାରିବାକୁ ପଡ଼ିଥିଲା। ସେହିପରି ୨୦୧୪ ମସିହାରେ ବିଜେଡ଼ି ପ୍ରାର୍ଥୀ ଡ଼ାକ୍ତର ମଲ୍ଲିକ, କଂଗ୍ରେସ ପାର୍ଥୀ ଛବି ମଲ୍ଲିକଙ୍କୁ ୨୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ପୁଣି ୨ଥର ବିଧାନସଭାକୁ ଯାଇଥିଲେ। ୨୦୧୯ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ବିଧାୟକ ଡ଼ାକ୍ତର ମଲ୍ଲିକ ଦଳୀୟ ଟିକେଟ୍ ପାଇଁ ଏକପ୍ରକାର ହାଟ୍ରିକ୍ କରିବାକୁ ନିଶ୍ଚିତ ହୋଇ ବସିଥିବା ବେଳେ ଦଳମଧ୍ୟରେ ବହୁ ବରିଷ୍ଠ ନେତାଙ୍କ ନାମ ଆଶାୟୀ ତାଲିକାରେ ଯୋଡ଼ି ହୋଇଯାଇଛି। ତାଲିକାରେ ବିଧାୟକ ମଲ୍ିକ, ଆର୍ତତ୍ରାଣ ମଲ୍ଲିକ, ପୂର୍ବତନ ବିଧାୟକ ସ୍ୱର୍ଗତ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ ଓ ନିରଂଜନ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିଭଳି ବିଜେପି ପକ୍ଷରୁ ଗତଥର କଂଗ୍ରେସରୁୁ ଟିକଟ୍ ପାଇ ୬୨ହଜାରରୁ ଅଧିକ ଭୋଟ୍‌ରେ ହାରିଥିବା ଛବି ମଲ୍ଲିକ, ଶୁଶାନ୍ତ ମଲ୍ଲିକ ଓ ବେଣୁଧର ବେହେରାଙ୍କ ନାମ ଚର୍ଚ୍ଚାରେ ରହିଛି।

ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୨ହଜାରରୁ ଅଧିକା ଭୋଟ୍ ପାଇଥିଲେ ମଧ୍ୟ ପରବର୍ତୀ ସମୟରେ କଂଗ୍ରେସ ନିଆଳିରେ ମୁରବୀ ଶୂନ୍ୟ ହୋଇପଡ଼ିଥିଲା। ତେବେ ଗତ ପଞ୍ଚାୟତ ନିର୍ବାଚନରେ ଯୁବନେତା ଶଶିକାନ୍ତ ଲେଙ୍କା ହିଁ କଂଗ୍ରେସର ମଙ୍ଗଧରି ନିର୍ବାଚନ ବୈତରଣୀ ପାର କରାଇଥିଲେ। ଏପରିକି ୮/୯ଟି ପଞ୍ଚାୟତରେ କଂଗ୍ରେସ ସମର୍ଥନରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜୟୀ କରାଇବାରେ ସଫଳ ହୋଇଥିଲେ। ଏବେ ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ଓ ନିଆଳିରେ ନିଜର ଦବଦବା ରଖିଥିବା ବିଜେଡ଼ି ସରକାରର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ମିଶିବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି।

୨୦୧୪ ନିର୍ବାଚନ ଫଳାଫଳ

ଦଳ              ପ୍ରମୁଖ ପାର୍ଥୀ                      ଭୋଟ
ବିଜେଡ଼ି     ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ     ୮୮୧୧୯
ବିଜେପି     ସୁଶାନ୍ତ ମଲ୍ଲିକ                       ୧୧୮୩୧
କଂଗ୍ରେସ    ଛବି ମଲ୍ଲିକ                          ୬୨୩୧୦
ଆମ ଓଡ଼ିଶା ପାର୍ଟି    ସନାତନ ମଲ୍ଲିକ          ୬୭୦
ବିଏସ୍ପି       ସୁସ୍ମିତା ମଲ୍ଲିକ                      ୭୬୭
ଓଜିଏମ୍     ରିନାବାଳା ଦାସ                    ୬୨୭
ନୋଟା                                           ୧୦୭୩

ସମ୍ବନ୍ଧିତ ଖବର