ଜଗତପୁର: ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ପ୍ରଚଳନ କରିଛନ୍ତି। ଏଥି ସହିତ ରୂପାନ୍ତରରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଶିକ୍ଷାଦାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନଯିବା ଫଳରେ ପିଲାମାନଙ୍କ ଭବିଷ୍ୟତ ଅନିଶ୍ଚିନ୍ତତା ଭିତରକୁ ଟାଣି ହୋଇଯିବା ସହ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏହାର ସଦ୍ୟ ଉଦାହରଣ ଜଗତପୁର ଅଞ୍ଚଳରେ ପ୍ରତିଷ୍ଠିତ ପ୍ରାଚୀନ ଶିକ୍ଷାନୁଷ୍ଠାନ ନିମପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ୧୯୬୭ ମସିହାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଟାଙ୍ଗୀ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଧୀନରେ ଚାଲୁଅଛି। ବହୁ ସଫଳତା ପାଇଥିବା ବିଏହି ଦ୍ୟାଳୟରେ ଏବେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଦିଆଯାଇ ନ ଥିବାରୁ  ଶିକ୍ଷାଦାନରେ ବିଶେଷ ସମସ୍ୟା ଦେଖା ଦେଇଛି। ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୭୪ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେଥି ମଧ୍ୟରୁ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୩୭୫ ଜଣ ଥିବା ବେଳେ ୯ମ ଓ ୧୦ମ ଶ୍ରେଣୀରେ ୨୯୯ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଦୁଇଭାଗରେ ବିଭକ୍ତ କରାଯାଇଛି। ପ୍ରାଥମିକ ଶିକ୍ଷାଦାନ ନିମନ୍ତେ ୬ଟି ବିଭାଗରେ ମୋଟ ୩୭୫ ଛାତ୍ରଛାତ୍ରୀଙ୍କ ଲାଗି ୬ଜଣ ଶିକ୍ଷକ ରହିଛନ୍ତି।

Advertisment

ଆଉ ୩ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ସେହିପରି ମାଧ୍ୟମିକ ଶିକ୍ଷାଦାନ ନିମନ୍ତେ ଦୁଇଗୋଟି ଶ୍ରେଣୀର ୪ଟି ବିଭାଗରେ ମୋଟ ୨୯୯ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଧାନଶିକ୍ଷକ, ୩ଜଣ ସହକାରୀ ଶିକ୍ଷକ ନିୟୋଜିତ ଅଛନ୍ତି। କିନ୍ତୁ ଏହି ୩ଜଣଙ୍କ ମଧ୍ୟରୁ ମାତ୍ର ୨ମାସ ହେବ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଶିକ୍ଷା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ସେପଟେ, ବିଜ୍ଞାନ, ହିନ୍ଦୀ ବିଷୟପାଇଁ ୨ବର୍ଷରୁ ଶିକ୍ଷକ ନଥିବା ବେଳେ ଗତ ଅଗଷ୍ଟ ମାସରୁ ୨ଜଣ (ବିଜ୍ଞାନ ଓ ହିନ୍ଦୀ) ଅତିଥି ଶିକ୍ଷକଙ୍କୁ ପ୍ରଶାସନ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛି। ଏହି ଶିକ୍ଷକଦ୍ବୟ ମାସକୁ ମାତ୍ର ୨୦ ଦିନ ପଢାଇବା ପାଇଁ ବ୍ୟବସ୍ଥା ରହିଛି। ତିନିମାସ ତଳେ କ୍ରୀଡ଼ ଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ଅବସର ପରେ ଏଯାବତ ତାଙ୍କ ବଦଳରେ କେହି ନିଯୁକ୍ତି ପାଇନାହାନ୍ତି। ଫଳରେ ଛାତ୍ରଛାତ୍ରୀ କ୍ରୀଡା ଓ ଡ୍ରିଲ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟର ଏକମାତ୍ର କିରାଣୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବାରୁ ପ୍ରଧାନଶିକ୍ଷକ ଉକ୍ତ ଦାୟିତ୍ୱ ତୁଲାଇବାକୁ ବାଧ୍ୟ ହେଉଛନ୍ତି। ଏବେ ଯେଉଁ କିରାଣୀଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି ତାଙ୍କୁ ଆଡଭୋକେଟ୍‌ ଜେନେରାଲ୍‌ଙ୍କ ଗଣଶିକ୍ଷା ସେଲ୍‌ରେ ବି ନିଯୁକ୍ତି ଦିଆଯାଇଛି। ବିଦ୍ୟାଳୟ ପରିଚାଳନାରେ ସହଯୋଗ ପାଇଁ ୩ଜଣ ପିଅନଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ୨ଜଣ। ଦୁଇବର୍ଷରୁ ଅଧିକ ସମୟ ହେଲା ରାତି ଜଗୁଆଳି ନାହାନ୍ତି। ଫଳରେ ବିଦ୍ୟାଳୟ ପରିସର ଅସାମାଜିକଙ୍କ ଆଡ଼ା ପାଲିଟିଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଅଶୋକ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସହରର ଏକାଧିକ ବସ୍ତି ବିସ୍ଥାପିତ ହୋଇ ନିମପୁରରେ ଥଇଥାନ ହୋଇଥିବାରୁ ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା ବୃଦ୍ଧି ପାଉଛି। ଶିକ୍ଷକ ଅଭାବ ନେଇ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ତତ୍ପରତାର ସହ ପଦକ୍ଷେପ ନେବାକୁ ଅଭିଭାବକ ଓ ସାଧାରଣରେ ଦବେି ହୋଇଛି।