କଟକ: ଏସ୍ସିବି ଏମ୍ସ ପ୍ଲସ୍ ପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ରାସ୍ତା ସଂପ୍ରସାରଣ କାମ ଚାଲିଛି। ଯୋବ୍ରା ବ୍ୟାରେଜରୁ ବିରିବାଟୀ ପର୍ଯ୍ୟନ୍ତ କେନାଲ ରାସ୍ତା ସଂପ୍ରସାରଣ କରାଯାଉ ଥିବା ବେଳେ ଏହା ଉପରେ ୪୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯାଉଛି ୯ଟି ନୂଆ ସେତୁ। ସେପଟେ କେନାଲ ରାସ୍ତାକୁ ଦେଖି କଲ୍ୟାଣନଗରଠାରେ ଏନ୍ଏଚ୍ ପାର୍ଶ୍ବରେ ଥିବା ୨ଟି ଲୁହାର ସର୍ଭିସ ବ୍ରିଜକୁ ତଳୁଆ କରାଯିବ। ମାତୃଭବନ ନିକଟରେ ଥିବା ରେଳ ଓଭର ବ୍ରିଜ ତଳେ କେନାଲ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ଏଠାରେ କେନାଲ ପାର୍ଶ୍ବରେ କଂକ୍ରିଟ ପାଚେରି କରି ଓଭର ବ୍ରିଜ ପାଇଁ ରାସ୍ତାକୁ ତଳୁଆ କରି ନିର୍ମାଣ କାମ ଆରମ୍ଭ ହୋଇଛି। ଆସନ୍ତା ଜୁନ ମାସ ସୁଦ୍ଧା ରାଣୀହାଟରୁ ମାତୃଭବନ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହା ସମ୍ଭବ ହେଲେ କଟକର ଚିତ୍ର ହୁଏତ ଅନେକାଂଶରେ ବଦଳି ଯିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ବ୍ୟାରେଜରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ୨୦୨୦ ଅକ୍ଟୋବରରେ ଶେଷ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ରାଣୀହାଟ ପୋଲରୁ ମାତୃଭବନ ମଧ୍ୟରେ ଥିବା କେନାଲ ରାସ୍ତା କାମ ଆରମ୍ଭ ହୋଇଛି। କେନାଲ ଉପରେ ନିର୍ମାଣ ହେବାକୁ ଥିବା ୯ଟି ବ୍ରିଜ ମଧ୍ୟରୁ ଯୋବ୍ରାରୁ ମାତୃଭବନ ମଧ୍ୟରେ ୫ଟି, ଏନ୍ଏଚ୍-୧୬ରୁ ନୂଆବଜାର ମଧ୍ୟରେ ଗୋଟିଏ ଓ ନୂଆବଜାରରୁ ବିରିବାଟୀ ମଧ୍ୟରେ ୩ଟି ପୋଲ ନିର୍ମାଣ ହେବ। ବ୍ୟାରେଜ ନିକଟରେ ନିର୍ମାଣ ହୋବକୁ ଥିବା ପୋଲଟି ସବୁଠାରୁ ବଡ ହେବ। ଉକ୍ତ ବ୍ରିଜ ପାଇଁ ୭ କୋଟି ଟଙ୍କାର ବଜେଟ ରଖାଯାଇଛି। ବାକି ୮ଟି ବ୍ରିଜ ପିଛା ୩ରୁ ୫ କୋଟି ଟଙ୍କା ରଖାଯାଇଛି। ୮ଟି ମଧ୍ୟରୁ ଗୋଟିଏ ବ୍ରିଜ ବୋସ୍କୁ ସଂଯୋଗ କରୁଥିବା ରାସ୍ତାରେ ୩ କୋଟି ଟଙ୍କାରେ ଗତ ୨୦୨୦ରେ ନିର୍ମାଣ ହୋଇଛି।
ଅନ୍ୟ ୭ଟି ମଧ୍ୟରୁ ରାଣୀହାଟ ପୋଲ ନିକଟରେ ଗୋଟିଏ, ପ୍ରଫେସରପଡାକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ଓ ବିଶିନାବରକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ବ୍ରିଜ କାମ ଆରମ୍ଭ ହୋଇଛି। ବିଶିନାବର ଠାରେ ନିର୍ମାଣ ଚାଲିଥିବା ପୋଲଟି ସିଧା ମାଲଗୋଦାମକୁ ସଂଯୋଗ କରିବ। ସେହିପରି କଲ୍ୟାଣନଗର ନିକଟରେ ଥିବା ଏନ୍ଏଚ୍-୧୬ର ଦୁଇଟି ସର୍ଭିସ ଲୁହା ବାଡା ପୋଲକୁ ତଳକୁ କରାଯିବ। ଯେପରିକି ଏଠାରେ ଥିବା ଏନ୍ଏଚ୍-୧୬ର ଓଭର ବ୍ରିଜ ତଳ ଦେଇ ବଡ ଆମ୍ଭୁଲାନ୍ସ ଏସ୍ସିବିକୁ ଚଳପ୍ରଚଳ କରିପାରିବ। ଅନ୍ୟପଟେ ମାତୃଭବନ ନିକଟରେ ଥିବା ୩ଟି ରେଳ ଓଭର ବ୍ରିଜ ତଳେ କେନାଲ ରାସ୍ତାକୁ ତଳୁଆ କରାଯିବ। ଏଥିପାଇଁ କୋନଲର ଉଭୟ ପାର୍ଶ୍ବରେ ୧୫ପୁଟ୍ ଉଚ୍ଚତା ଓ ଦୁଇ ଫୁଟ ଚଉଡାରେ ଦୁଇଶହ ଫୁଟ ଲମ୍ବର ପାଚେରି ନିର୍ମାଣ କାମ ଚାଲିଛି। ଉକ୍ତ ସ୍ଥାନରେ ରେଳ ପୋଲ ପାଇଁ କେନାଲ ରାସ୍ତାର ଓସାର ୨୫ରୁ ୩୦ ଫୁଟ ମଧ୍ୟରେ ରହିବ। ଏନ୍ଏଚ୍-୧୬ରୁ ନୂଆବଜାର ମଧ୍ୟରେ ଗୋଟିଏ ବ୍ରିଜ ସହିତ କେନାଲର ରାସ୍ତା ସଂପ୍ରସାରଣ ପାଇଁ ୧୧ କୋଟି ଟଙ୍କାର ଟେଣ୍ଡର ଶେଷ ହୋଇ ଥିବା ବେଳେ ଏହାକୁ ଖୁବଶିଘ୍ର ଆରମ୍ଭ କରାଯିବ ବୋଲି ପୂର୍ତ୍ତ ବିଭାଗ-୧ ଉପନିର୍ବାହୀ ଯନ୍ତ୍ରୀ ରଂଜନ କୁମାର ସାମଲ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/TALADANDA-CANAL-RA-RENOVATION-8073721.jpg)