ଏନ୍ଆରଆର୍‌ଆଇ ବୈଜ୍ଞାନିକଙ୍କ ସଫଳତା: ୯ ପ୍ରକାରର ନୂଆ ଧାନର ଉଦ୍ଭାବନ

ଅଧିକ ଅମଳକ୍ଷମ, ରୋକପୋକ ଦାଉରୁ ବି ରକ୍ଷା ମିଳିବ, ପାଣିରେ ବୁଡ଼ି ରହିଲେ ବି ଭଲ ଅମଳ ଦେବ

କଟକ-ବିଦ୍ୟାଧରପୁର : କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୫ ଜଣ ବୈଜ୍ଞାନିକ ୯ଟି ବିଭିନ୍ନ କିସମର ଅଧିକ ଅମଳକ୍ଷମ ଓ ରୋଗପୋକ ନିରୋଧକ ଧାନ ଉଦ୍ଭାବନ କରିଛନ୍ତି। ଖାଲୁଆ ଜମି, ପାଣିରେ ଦୀର୍ଘ ଦିନ ବୁଡ଼ିରହିଲେ ବି ଅଧିକ ଅମଳ ଦେଇ ପାରୁଥିବା ଏଭଳି ଧାନ ଏବେ ଚାଷୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି। ବୈଜ୍ଞାନିକମାନେ ୧୦ ବର୍ଷ କାଳ ଗବେଷଣା କରି ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରି ପାରିଥିବାରୁ ଅନୁଷ୍ଠାନର ନିର୍ଦେଶକ ଡକ୍ଟର ଦୀପଙ୍କର ମାଇତି ତାହାର ପ୍ରଶଂସା କରିଛନ୍ତି। ପ୍ରଧାନ ବୈଜ୍ଞାନିକ ଡକ୍ଟର ଶରତ ପ୍ରଧାନଙ୍କର ସି ଆର ଧାନ ୪୧୩ (ରୀତା ପାଣି ଧାନ), ସି ଆରଧାନ ୫୧୨ (ଶତୃଘ୍ନ), ସି ଆର ଧାନ ୮୦୩ (ତ୍ରିଲୋଚନ), ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁଶାନ୍ତ କୁମାର ଦାସଙ୍କ ସି ଆର ଆର ଆଇ ଗୈାରବ, ପ୍ରଧାନ ବୈଜ୍ଞାନିକ ଡକ୍ଟର ମୀରା କୁମାରୀ କରଙ୍କ ସିଆର ୩୧୭ ରୋସନ, ପ୍ରଧାନ ବୈଜ୍ଞାନିକ ଡକ୍ଟର ରାମ ଲକ୍ଷ୍ମଣ ବର୍ମାଙ୍କ ସିଆର ୭୦୨, ସିଆର ୭୦୩ ଓ ପ୍ରଧାନ ବୈଜ୍ଞାନିକ ଡକ୍ଟର ଚଟ୍ଟୋପାଧାୟଙ୍କ ସିଆର ୪୧୨ ଅମ୍ବିକୀ, ସିଆର ଧାନ ୪୧୧ (ସ୍ବର୍ଣ୍ଣାଞ୍ଜଳି) ଏବେ ଚାଷୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି। ଏହି ସବୁ ଧାନ ଅଧିକ ଅମଳକ୍ଷମ ହୋଇଥିବା ବେଳେ ରୋଗ ପୋକ ନିରୋଧକ ଏବଂ ଚାଷୀମାନଙ୍କ ଆୟ ଏହା ଦ୍ବାରା ଦ୍ବିିଗୁଣିତ ହୋଇ ପାରିବ ବୋଲି ନିର୍ଦ୍ଦେଶକ ଡକ୍ଟର ମାଇତି କହିଛନ୍ତି।

ବୈଜ୍ଞାନିକ ଡକ୍ଟର ଶରତ ପ୍ରଧାନ କହିବା ଅନୁଯାୟୀ ରୀତା ପାଣି ଧାନ କିସମ ବନ୍ୟାଞ୍ଚଳ ପାଇଁ ଉପଯୁକ୍ତ। ଏହି ଧାନ ବନ୍ୟା ଜଳରେ ଦୁଇ ସପ୍ତାହ ବୁଡି ରହିବାର କ୍ଷମତା ରଖିଛି। ଏହି ଧାନ ୧୪୫ ଦିନରେ ଏକର ପିଛା ୫୦ କୁଇଣ୍ଟାଲ ଅମଳ ହୋଇଥାଏ। ଧାନ ଗଛର ଉଚ୍ଚତା ୧୧୦ରୁ୧୨୦ ସେମି ହେବା ସହିତ ସବୁ ପ୍ରକାର ରୋଗ ପୋକ ନିରୋଧକ ଅଟେ। ସିଆର ୫୧୨ କିସମ ଧାନ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ଖାଲୁଆ ଓ ଜଳମଗ୍ନ ଜମି ପାଇଁ ଉପଯୁକ୍ତ। ଏହି ଗଛ ୧୩୦ ସେମି ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହି ଧାନ ୧୬୦ ଦିନରେ ଅମଳ ହୋଇଥାଏ ଓ ଏକର ପିଛା ୪୦ କୁଇଣ୍ଟାଲ ଫଳିଥାଏ। ଏହା ସରୁ କିସମର ଧାନ ଓ ଏହାର ବିଭିନ୍ନ ପ୍ରକାର ରୋଗ ସହନଶୀଳ ଶକ୍ତି ରହିଛି। ସିଆର ୮୦୩ ବନ୍ୟାପାଣିରେ ବୁଡି ରହିଲେ ମଧ୍ୟ ପଚିସଢି ନଥାଏ। ଏହା ୧୫୦ ଦିନରେ ହେକ୍ଟର ପିଛା ୮୫ କୁଇଣ୍ଟାଲ ଅମଳ ହୋଇଥାଏ। ବିଭିନ୍ନ ରୋଗପୋକ ଯଥା କାଣ୍ଡ ବିନ୍ଧା, ଚକଡା଼, ପତ୍ର ପୋଡ଼ା, ନେକବ୍ଲାଷ୍ଟ ଆଦି ଅନେକ ରୋଗର ସହନ ଶକ୍ତି ଏହି ଧାନର ରହିଛି। ଡକ୍ଟର ତ୍ରିଲୋଚନ ମହାପାତ୍ର ଏଠାରେ ନିର୍ଦେଶକ ଥିବା ବେଳେ ତାଙ୍କର ପ୍ରେରଣାରେ ଏହି ଧାନର ଗବେ‌ଷଣା ଆରମ୍ଭ ହୋଇଥିବାରୁ ତାଙ୍କ ନାଁରେ ଧାନକୁ ଉତ୍ସର୍ଗ କରାଯାଇଛି। ଡକ୍ଟର ସୁଶାନ୍ତ କୁମାର ଦାସ ସି ଆର ଆର ଆଇ ଗୈାରବ, ଇଣ୍ଡୋନେସିଆର ଟ୍ରପିକାଲ ଜାପାନିକା ଓ ଭାରତୀୟ ଧାନ ପ୍ରଜଜନରେ ତାଙ୍କର ନୂଆ ଧାନ ଉଦ୍ଭାବନ କରିଛନ୍ତି। ଏହା କମ୍ ଜମିରେ ଅଧିକ ଅମଳକ୍ଷମ ହୋଇ ପାରୁଥିବା ବେଳେ ୧୩୦ରୁ ୧୩୫ ଦିନରେ ହେକ୍ଟର ପିଛା ୫୦ କୁଇଣ୍ଟାଲ ଅମଳ ହୋଇଥାଏ। ଜଳସେଚିତ ଜମି, ଅଳ୍ପ ଖାଲ, ମଧ୍ୟମ ଧରଣର ପାଣି, ଢିପ ଜମିରେ କେଣ୍ଡାରେ ସାଧାରଣ ଧାନ ଠାରୁ ୨୦୦ରୁ ୨୫୦ ଅଧିକ ଦାନା ଏଥିରେ ମିଳିଥାଏ। ସିଆର୩୧୭ (ରୋସନ)ର ଉଦ୍ଭାବନକାରୀ ଡକ୍ଟର ମୀରା କୁମାରୀ କର କହିଛନ୍ତି ଯେ ଏହି ଧାନ ମଧ୍ୟମ ଧରଣର ଜଳସେଚିତ ଜମିରେ ଚାଷ ହୁଏ। ୧୩୫ରୁ ୧୪୦ ଦିନରେ ହେକ୍ଟର ପିଛା ୫୦ କୁଇଣ୍ଟାଲ ଅମଳ ହୋଇଥାଏ। ଡକ୍ଟର କ୍ରିଷ୍ଣେନ୍ଦୁ ଚଟ୍ଟୋପାଧାୟଙ୍କ ସିଆରଧାନ ୪୧୧ ସ୍ବର୍ଣ୍ଣାଞ୍ଜଳି ଓ ୪୧୨ ଅମ୍ବିକୀ ଧାନ ଅଧିକ ପ୍ରୋଟିନ ଯୁକ୍ତ। ଅଳ୍ପ ଖାଲ ଜମିରେ ୧୪୦ରୁ୧୪୫ ଦିନ ମଧ୍ୟରେ ଏଥିରେ ୬୦ କୁଇଣ୍ଟାଲ ଅମଳ ହୋଇଥାଏ। ଏଥିରେ ଲବଣ ସହନଶୀଳତା ଶକ୍ତି ରହିଛି। ଏହି ଧାନ ଲୁଣିପାଣି ଅଞ୍ଚଳରେ ଅଧିକ ଫଳେ। ଡକ୍ଟର ରାମ ଲକ୍ଷ୍ମଣ ବର୍ମାଙ୍କ ସିଆର ଧାନ ୭୦୨, ସିଆର ଧାନ ୭୦୩ ହେଉଛି ହାଇବ୍ରିଡ ଧାନ। ଜଳସେଚିତ ଜମି ଓ ଅଳ୍ପ ଖାଲୁଆ ଜମିରେ ଏହା ଚାଷ ହୁଏ। ଏହା ୧୩୫ ଦିନରୁ ୧୪୦ ଦିନରେ ହେକ୍ଟର ପିଛା ୮୦ କୁଇଣ୍ଟାଲ ଅମଳ ହୁଏ। ଉଭୟ ଖରିଫ୍ ଓ ରବି ଋତୁରେ ଏହା ଚାଷ ହୋଇଥାଏ। ଏହାର ସବୁ ପ୍ରକାର ରୋଗକୁ ପ୍ରତିରୋଧ କରିବାର ଶକ୍ତି ‌‌‌‌‌‌‌‌‌‌ରହିଛି। ଏଥିରେ ଲମ୍ବା ସରୁ ଚାଉଳ ମିଳିଥାଏ ବୋଲି ଏନଆରଆରଆଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର