୨୦୨୧ର ଅପରାଧ ଚିଠା: ୯ ବର୍ଷର ରେକର୍ଡ ଭାଙ୍ଗିଲା ଦୁଷ୍କର୍ମ, ଠକେଇ

କଟକ: କଟକ ସହରରେ ଚଳତି ବର୍ଷ ଦୁଷ୍କର୍ମ ମାମଲା ଗଲା ୯ ବର୍ଷର ରେକର୍ଡ ଭାଙ୍ଗିଛି। ଏ ବର୍ଷ ମୋଟ ୮୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏବଂ ଏଥିରୁ ଅଧାରୁ ଅଧିକ ମାମଲାରେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ୪୩ ଜଣ ନାବାଳିକା ଏବଂ ୪୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ସେହିଭଳି ଠକେଇ ଭଳି ଅପରାଧ ବି କରୋନା କାଳରେ ୯ ବର୍ଷର ରେକର୍ଡ ଭାଙ୍ଗିଛି। ଏ ବର୍ଷ ମୋଟ ୩୭୩ଟି ଠକେଇ ମାମଲା ସହରରେ ରୁଜୁ ହୋଇଛି। ୨୦୨୦ ତୁଳନାରେ ଚୋରି ବି ବୃଦ୍ଧି ପାଇଛି। ୨୦୨୦ରେ ୫୪୨ଟି ମାମଲା ହୋଇଥିବା ବେଳେ ଚଳିତ ବର୍ଷ ୬୦୭ଟି ମାମଲା ରୁଜୁ ହୋଇଛି। ୨୦୨୦ ଓ ୨୦୨୧ ଭିତରେ ମୋଟ ୨୯୬ଟି ସାଇବର୍ ଅପରାଧ ମାମଲାରେ ଫସିଛନ୍ତି ସହରବାସୀ। କରୋନା କାଳରେ ସହରରେ ଦୁଷ୍କର୍ମ, ଠକେଇ ଓ ଚୋରି ସହିତ ସାଇବର୍ ଅପରାଧ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। କମିସନରେଟ୍ ପୁଲିସର ତଥ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବର ୨୯ ତାରିଖ ସୁଦ୍ଧା ହତ୍ୟାକାଣ୍ଡ ୨୫ଟି, ଡକାୟତି ୧୪ଟି, ଛିନତାଇ ୧୨୮ଟି, ସିନ୍ଧି ଚୋରି ୧୭୦ଟି, ଚୋରି ୬୦୭ଟି, ଠକେଇ ୩୭୩ଟି, ଦୁଷ୍କର୍ମ ୮୩ଟି ରୁଜୁ ହୋଇଛି। ୧୭୪ ଜଣଙ୍କୁ ଅପହରଣ କରାଯାଇଛି। ନାବାଳିକା ୧୫୧ ଜଣଙ୍କୁ ଅପହରଣ କରାଯାଇଥିବା ବେଳେ ନାବାଳକ ୧୩ ଜଣ ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ବ ୧୦ ଜଣଙ୍କୁ ଅପହରଣ କରାଯାଇଛି। ସାଇବର୍ ମାମଲା କଟକ କମିସନରେଟ୍ ପୁଲିସରେ ଚଳିତ ବର୍ଷ ୧୪୩ଟି ରୁଜୁ ହୋଇଛି। ୨୦୨୦ ବର୍ଷରେ ହତ୍ୟାକାଣ୍ଡ ମାମଲା ୨୪ଟି, ଡକାୟତି ୧୬ଟି, ଛିନତାଇ ୧୩୦ଟି, ସିନ୍ଧି ଚୋରି ୧୬୮ଟି, ଚୋରି ୫୪୨ଟି, ଠକେଇ ୩୩୧ଟି, ଦୁଷ୍କର୍ମ ୫୩ଟି, ସାଇବର୍ ଅପରାଧ ମାମଲା ୧୫୩ଟି ରୁଜୁ ହୋଇଥିଲା ବେଳେ ୨୦୧୯ ବର୍ଷରେ ହତ୍ୟାକାଣ୍ଡ ୩୦ଟି, ଡକାୟତି ୨୦ଟି, ଛିନତାଇ ୧୧୩ଟି, ସିନ୍ଧି ଚୋରି ୧୨୪ଟି, ଚୋରି ୬୪୩ଟି, ଠକେଇ ୨୬୭ଟି, ଦୁଷ୍କର୍ମ ୬୬ଟି ରୁଜୁ ହୋଇଥିଲା।

୨୦୧୮ ବର୍ଷରେ ହତ୍ୟାକାଣ୍ଡ ୨୯ଟି, ଡକାୟତି ୧୦ଟି, ଛିନତାଇ ୮୮ଟି, ସିନ୍ଧି ଚୋରି ୧୩୯ଟି, ଚୋରି ୫୮୭ଟି, ଠକେଇ ୧୭୪ଟି, ଦୁଷ୍କର୍ମ ୭୦ଟି, ୨୦୧୭ ବର୍ଷରେ ହତ୍ୟାକାଣ୍ଡ ୨୪ଟି, ଡକାୟତି ୧୭ଟି, ଛିନତାଇ ୬୮ଟି, ସିନ୍ଧି ଚୋରି ୧୫୨ଟି, ଚୋରି ୫୭୯ଟି, ଠକେଇ ୧୯୧ଟି, ଦୁଷ୍କର୍ମ ୫୬ଟି, ୨୦୧୬ ମସିହାରେ ଠକେଇ ମାମଲା ୧୫୩ଟି, ଦୁଷ୍କର୍ମ ମାମଲା ୬୪ଟି, ୨୦୧୫ରେ ଠକେଇ ୨୧୪ଟି, ୪୩ଟି ଦୁଷ୍କର୍ମ, ୨୦୧୪ରେ ଠକେଇ ୧୬୧ଟି, ୬୮ଟି ଦୁଷ୍କର୍ମ, ୨୦୧୩ରେ ଠକେଇ ୧୨୫ଟି, ୩୦ଟି ଦୁଷ୍କର୍ମ, ୨୦୧୨ରେ ଠକେଇ ୮୦ଟି, ୨୮ଟି ଦୁଷ୍କର୍ମ, ୨୦୧୧ରେ ୪୨ଟି ଠକେଇ, ୧୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୨୦୧୧ରୁ ୨୦୨୦ ଏହି ୯ ବର୍ଷ ଭିତରେ ଯେଉଁ ପରିମାଣର ଦୁଷ୍କର୍ମ ଓ ଠକେଇ ମାମଲା ରୁଜୁ ହୋଇଥିଲା ଏହାର ରେକର୍ଡ ୨୦୨୧ ବର୍ଷ ଭାଙ୍ଗି ଦେଇଛି। ଯାହାକି ପୁଲିସ ପାଇଁ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇଛି। ଡିସିପି ପ୍ରତୀକ ସିଂହ କାର୍ଯ୍ୟରେ ଯୋଗ ଦେବା ପରେ ସାଇବର୍ ସେଲ୍ ଗଠନ କରି ସାଇବର୍ ଅପରାଧୀଙ୍କୁ ଦମନ କ୍ଷେତ୍ରରେ ପ୍ରଥମ ଥର କଟକ କମିସନରେଟ୍ ପୁଲିସରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ। ବର୍ଷ ଶେଷରେ ପ୍ରାୟ ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତଙ୍କୁ ପୁଲିସ ଟଙ୍କା ଫେରସ୍ତ କରିବାରେ ସକ୍ଷମ ହୋଇଥିଲା। ଏହାବାଦ୍ ଚଳିତ ବର୍ଷ ପ୍ରତ୍ୟେକ ଥାନାରେ କ୍ରାଇମ୍ ୟୁନିଟ୍ ଗଠନ କରି ଅପରାଧଙ୍କ କ୍ଷେତ୍ରରେ ଗୁଇନ୍ଦା ତଥ୍ୟ ସଂଗ୍ରହ ସହିତ ଚୋର, ଡକାୟତଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପେସାଦାର ଅପରାଧୀ ଗିରଫ ପରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କ ମାମଲାକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ କଟକ କମିସନରେଟ୍ ପୁଲିସ ହାସ୍ ଟ୍ୟାଗ୍ ଭଳି ଏକ ସଂକେତ ଯୋଡ଼ିଛି। ଏହା ଓଡ଼ିଶାରେ ଅପରାଧୀ ଦମନ କ୍ଷେତ୍ରରେ ଏକ ଭିନ୍ନ ପଦକ୍ଷେପ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର