୧୫ ବର୍ଷ ଧରି ୱାର୍ଡବାସୀଙ୍କ ଘରେ ପଶୁଛି ନର୍ଦ୍ଦମା ପାଣି, ସିଏମ୍‌ସି ୧୯ ନମ୍ବର ୱାର୍ଡର ୨ ହଜାର ଲୋକ ପ୍ରଭାବିତ

କଟକ: ମାସେ ନୁହେଁ କି ଦୁଇ ମାସ ନୁହଁ, ଦୀର୍ଘ ୧୫ ବର୍ଷରୁ ଅଧିକ ବର୍ଷ ଧରି ସିଏମ୍‌ସି ୧୯ ନମ୍ବର ୱାର୍ଡର ବାସିନ୍ଦା ଡ୍ରେନ ପାଣିକୁ ନେଇ ସମସ୍ୟ‌ା ଭୋଗୁଛନ୍ତି। ୱାର୍ଡ ମଧ୍ୟ ଦେଇ ଯାଇଥିବା ବିଏସ୍‌ଡବ୍ଲୁ ଡ୍ରେନ୍‌ଟି ୧୫ବର୍ଷ ଧରି ସଫେଇ କରାଯାଇ ନଥିବାରୁ ବର୍ଷା ଦିନରେ ଟିକିଏ ବର୍ଷାରେ ଡ୍ରେନ ପାଣି ଲୋକଙ୍କ ଘରେ ପଶୁଛି। ୧୫ରୁ ୨୦ ମିନିଟ ବର୍ଷା ହେଲେ ୱାର୍ଡର ୪୦ ପ୍ରତିଶତ ବାସିନ୍ଦାଙ୍କ ଘରେ ପାଣି ପଶିବା ସହ ଘର ଆଗରେ ପାଣି ଜମି ରହୁଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷର ଏହି ସମସ୍ୟାର ସମାଧାନ ପାଇଁ ୱାର୍ଡ ବାସିନ୍ଦା ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳୁ ନଥିବାର କହନ୍ତି। ତେବେ ବର୍ଷା ଦିନକୁ ଆଉ ୪ମାସ ଥିବା ବେଳେ ସିଏମ୍‌ସି ପକ୍ଷରୁ ଉକ୍ତ ଡ୍ରେନଟିକୁ ଖରାଦିନରେ ମାନୁଆଲ ଭାବେ ସଫା କରିବାକୁ ୱାର୍ଡ ବାସିନ୍ଦା ଦାବି କରିଛନ୍ତି। ସିଏମ୍‌ସି ୱାର୍ଡ ନମ୍ବର ୧୯ ବାସିନ୍ଦାଙ୍କ ପାଇଁ ବର୍ଷ ବର୍ଷ ଧରି ସମସ୍ୟା କରୁଛି ଡ୍ରେନ ପାଣି। ୱାର୍ଡ ମଧ୍ୟ ଦେଇଯାଇଥିବା ବିଏସ୍‌ଡବ୍ଲୁ ଡ୍ରେନଟି ଦୀର୍ଘ ୧୫ବର୍ଷରୁ ଅଧିକ ଦିନ ଧରି ସଫେଇ କରାଯାଇ ନାହିଁ। ଡ୍ରେନଟି ୧୨ ଫୁଟର ଗଭୀର ହୋଇଥିବା ବେଳେ ଏଥିରେ ୧୦ ଫୁଟର ପଙ୍କ ଦୀର୍ଘ ବର୍ଷ ଧରି ଜମି ହୋଇ ରହିଛି। ଅଭିଯୋଗ ହେଲେ ସିଏମ୍‌ସି ପକ୍ଷରୁ ଖରା ଦିନରେ ଉପରଠାଉରିଆ ଭାବେ କିଛି ସ୍ଥାନରେ ମେସିନ୍‌ ସାହାଯ୍ୟରେ ପଙ୍କ ସଫା କରାଯାଉଛି। ଡ୍ରେନରୁ ପଙ୍କ ଉଠୁ ନଥିବାରୁ ୨୦ ମିନଟ ବର୍ଷା ହେଲେ ୱାର୍ଡରୁ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଏଥିପାଇଁ ୱାର୍ଡର ଦେୱାନ ବଜାର, ବେହେରା ସାହି, ଭକ୍ତମଧୁ ବିଦ୍ୟାପୀଠ ଅଞ୍ଚଳରେ ରହୁଥିବା ୪ଶହ ପରିବାରଙ୍କ ଘରେ ଡ୍ରେନ ପାଣି ପଶୁଥିବା ବେଳେ ୨ ହଜାରୁ ଅଧିକ ଲୋକେ ଦୀର୍ଘ ବର୍ଷଧରି ଜଳବନ୍ଦୀରେ ରୁହୁଛନ୍ତି।

ଲୋକଙ୍କ ଘରେ ପାଣି ପଶିବା ସହ ରାସ୍ତାରେ ଦୀର୍ଘ ସମୟ ପାଇଁ ପାଣି ଛିଡା ହୋଉରହୁଛି। ଉକ୍ତ ଡ୍ରେନର ଉଭୟ ପାର୍ଶ୍ବରେ ଘ‌ର ଥିବାରୁ ଏଠାରେ ମାନୁଆଲରେ ବା ହାତରେ ପଙ୍କ ବାହାର କରିହେବ ନାହିଁ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଉଛି। ମାତ୍ର ଜାଇକା ବକ୍ସ ଡ୍ରେନ କରିବା ପରି ଏଠାରେ ଡ୍ରେନ ପାଣିକୁ ପମ୍ପିଂ କରି ମାନୁଆଲ ସଫେଇ କରିବାକୁ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। ୱାର୍ଡର ମୁଖ୍ୟ ସମସ୍ୟା ହେଉଛି ଲୋକଙ୍କ ଘରେ ଡ୍ରେନ ପାଣି ପଶିବା। ବିଏସଡବ୍ଲୁ ଡ୍ରେନକୁ ସଠିକ ଭାବେ ସଫେଇ କରାଯାଉ ନଥିବାରୁ ଏପରି ସମସ୍ୟା ‌େହଉଛି ବୋଲି ୱାର୍ଡ ବାସିନ୍ଦା ଆକାଶୀ ସୁନିତା ଶେଖର କହନ୍ତି। ସିଏମ୍‌ସି ପକ୍ଷରୁ ୱାର୍ଡ ମଧ୍ୟ ଦେଇ ଯାଇଥିବା ବିଏସ୍‌ଡବ୍ଲୁ ଡ୍ରେନର ସଫେଇ ପାଇଁ ସ୍ବତନ୍ତ୍ର ବଜେଟ ଓ ଯୋଜନା କରାଯାଇ ହାତରେ ସଫେଇ କରିବାକୁ ସ୍ଥାନୀୟ ବାସିନ୍ଦା ସେକ୍‌ ମୁନ୍ତାକିମ ବକ୍ସ ଦାବି କରିଛନ୍ତି। ଟିକିଏ ବର୍ଷା ହେଲେ ଦୀର୍ଘ ବର୍ଷଧରି ୱାର୍ଡର ଦେୱାନ ବଜାର, ବେହେରା ସାହି ଓ ଭକ୍ତମଧୁ ବିଦ୍ୟାପୀଠ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ଡ୍ରେନ ପାଣି ପଶୁଛି ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ବର୍ଷା ଦିନ ପୂର୍ବରୁ ସିଏମ୍‌ସି ଉଦ୍ୟମ କରୁ ବୋଲି ୱାର୍ଡ ବାସିନ୍ଦା କ୍ୟୁରେସା ନୁର କହିଛନ୍ତି।

ସମ୍ବନ୍ଧିତ ଖବର