କଟକ: ସ୍ୱାମୀ ବିବେକାନନ୍ଦ ନ୍ୟାସ୍ନାଲ ଇଷ୍ଟିଚ୍ୟୁଟ୍ ଅଫ୍ ରିହାବିଲେସନ୍ (ନିର୍ତାର)ର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ବୁଧବାର ୨ ଜଣ ଦୁର୍ବୃତ୍ତ ବୋମା ଓ ଗୁଳିମାଡ଼ କରିଛନ୍ତି। କଟକ ଜିଲ୍ଲାର ଫୁଲନଖରା ଠାରୁ ନିଆଳି ରାସ୍ତାରେ କଅଁରପୁର ବାଙ୍କ ନିକଟରେ ଆଜି ସନ୍ଧ୍ୟା ୫ଟାରେ ୨ ଜଣ ଦୁବୃର୍ତ୍ତ ଅଚାନକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଆକ୍ରମଣ ପୂର୍ବରୁ ଯୋଜନା କରିଥିଲେ। ଓଲଟପୁରସ୍ଥିତ ନିର୍ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ଇଣ୍ଡିକା କାର୍ରେ ଆସୁଥିବା ବେଳେ ପଛପଟରୁ ଗୁଳି ଓ ବୋମାମାଡ଼ କରିଥିଲେ।
ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଗୁଳି ଓ ବୋମାମାଡ଼ ଯୋଗୁଁ ଶକ୍ତି ପ୍ରସାଦ ଦାସଙ୍କ ମୁଣ୍ଡରେ ଆଘାତ ଲାଗିଛି। କାର୍ର ପଛପଟ କାଚ ଭାଙ୍ଗିଛି। ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳି କରୁଥିବା ବେଳେ କାର୍ ଭିତରେ ବନ୍ଧୁକ ରହିଯାଇଛି। ଏନେଇ ଶକ୍ତି ପ୍ରସାଦ ଦାସ ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ କାହିଁକି ନିର୍ଦ୍ଦେଶକଙ୍କର କାର୍ ଉପରକୁ ଆକ୍ରମଣ କରିଛନ୍ତି, ସେ ନେଇ ପୁଲିସ ଘଟଣାର ତଦନ୍ତ କରୁଛି।