ଏବେ ବି କଟକ କୋଭିଡ୍‌ ମୃତ୍ୟୁ ତଥ୍ୟରେ ତାଳମେଳ ନାହିଁ

ସ୍ବାସ୍ଥ୍ୟ ବିଭାଗ ସଂଖ୍ୟା ୭୯୩, ରାଜ୍ୟ କୋଭିଡ୍‌ ଡାଟାବେସ୍‌ ସଂଖ୍ୟା ୮୫୫, ଅନୁକମ୍ପା ରାଶି ପାଇଁ ଆବେଦନ କଲେଣି ୧୪୦୭

କଟକ: ପ୍ରତ୍ୟେକ କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା ଅନୁକଂପା ରାଶି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର କରୋନାଜନିତ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି। ଏ ଦିଗରେ ଅକ୍ଟୋବର ୧୮ ତାରିଖରେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ୭୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ କୋଭିଡ୍‌ ଡାଟାବେସ୍‌ କିନ୍ତୁ କହୁଛି କରୋନାରେ ଜିଲ୍ଲାରେ ୮୫୫ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ କରୋନା ଜନିତ ମୃତ୍ୟୁ ଦର୍ଶାଇ ୧୪୦୭ଜଣ ଅନୁକଂପା ରାଶି ପାଇଁ ଆବେଦନ କରିଛନ୍ତି। ସେଥିରୁ ବର୍ତ୍ତମ‌ାନ ସୁଦ୍ଧା ଯାଂଚ କରାଯାଇ ୨୦୩ଟି ଫର୍ମକୁ ନାକଚ କରାଯାଇଥିବା ବେଳେ ୪୪୬ଜଣଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ କରୋନା ଜନିତ ମୃତ୍ୟୁ ତାଲିକାରୁ ବାଦ୍‌ ପଡିଥିବା ପରିବାରବର୍ଗ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ସେମାନଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଜିଲ୍ଲାସ୍ତରରେ ସିଡାକ୍‌ କମିଟି ଗଠନ କରାଯାଇଛି। ଏ ସଂପର୍କରେ ଅକ୍ଟୋବର ମାସରେ ରାଜ୍ୟ ମୁଖ୍ୟଶାସନ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‌ଓ, ବିଡିଓ, ତହସିଲଦାରମାନଙ୍କ ସହିତ ଭିଡିଓ କନ‌ଫରେନ୍ସିଂରେ ଆଲୋଚନା କରିବା ପରେ କଟକରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଜିଲ୍ଲାସ୍ତରୀୟ ଅଧିକାରୀ, ସିଡିଏମ୍‌ଓ ଓ ବିଡିଓ, ତହସିଲଦାରମାନଙ୍କ ସହିତ ଆଲୋଚନା କରିଥିଲେ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ କଟକ ଜିଲ୍ଲାରେ କରୋନାରେ ଆଜି ସୁଦ୍ଧା ୭୯୩ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବାବେଳେ ସେଥିରୁ କଟକ ସହରରୁ ୩୫୨ଜଣ, ଗ୍ରାମାଞ୍ଚଳରୁ ୪୪୧ ଜଣ ରହିଛନ୍ତି। କିନ୍ତୁ ରାଜ୍ୟ କୋଭିଡ୍‌ ଡାଟାବେସ୍‌ ଅନୁସାରେ ଜିଲ୍ଲାରେ ୮୫୫ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। କଟକ ଜିଲ୍ଲାରେ ଅନେକ କୋଭିଡ ମୃତ୍ୟୁକୁ ଅଣକୋଭିଡ୍‌ ମୃତ୍ୟୁ ବା ହୃଦ୍‌ଘାତ, କିଡ୍‌ନି ସମସ୍ୟା ଅଥବା ଅନ୍ୟ ରୋଗ ଦର୍ଶାଯାଇ ତାହାକୁ କରୋ‌ନାଜନିତ ମୃତ୍ୟୁ ତାଲିକାରୁ ବାଦ୍‌ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ କରୋନା ଆକ୍ରାନ୍ତ ହୋଇ ଘରେ ପ୍ରାଣ ହରାଇଥିବା, ପଜିଟିଭ୍‌ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାର ବି ଏହି ଅନୁକମ୍ପାମୂଳକ ସହାୟତା ରାଶି ପାଇ ପାରିବେ। ଏଥିପାଇଁ ଅଫ୍‌ଲାଇନ୍‌ରେ ୧୪୨ଜଣ ଓ ଅନ୍‌ଲାଇନ୍‌ରେ ୧୨୬୫ଜଣ ଆବେଦନ କରିଥିବା ଜଣାପଡିଛି। ଜିଲ୍ଲାସ୍ତରୀୟ କମିଟି ତାହାର ତର୍ଜମା କରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅନୁକମ୍ପା ରାଶି ପ୍ରଦାନ କରିବ। ତେବେ ଏହି ଯାଂଚ ପ୍ରକ୍ରିୟା ସରି ନଥିବାବେଳେ ଏବେବି ଅନେକ ଆବେଦନ କରିଛନ୍ତି ଯେଉଁମାନଙ୍କର ମୃତ୍ୟୁ ନେଇ କୌଣସି ସେଭଳି ପ୍ରମାଣ ମିଳୁ ନାହିଁ। ସେଭଳି ଆବେଦନ ଗୁଡିକୁ ନାକଚ କରାଯାଉଛି। ତେବେ କେବେ ଏହାର ଯାଂଚ ସରିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିନଥିବା ବେଳେ ଏହାର ତର୍ଜମା ସରିବା ପରେ ଟଙ୍କା ପ୍ରଦାନ ଦିଗରେ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର