ଫୁଲନଖରା: ୭୦ ବର୍ଷର ପୁରୁଣା ବାରଙ୍ଗ ବ୍ଲକ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟାରେ ଜର୍ଜରିତ। ୫ ଜଣ ଡାକ୍ତର, ଜଣେ ଆୟୁର୍ବେଦିକ ଡାକ୍ତର, ୨ ଜଣ ଫାର୍ମାସିଷ୍ଟ, ୫/୬ ଜଣ ନର୍ସ, ଏଭଳି ପ୍ରାୟ ୩୦ ଜଣ ଡାକ୍ତର-କର୍ମଚାରୀ ଅଛନ୍ତି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ। ସ୍ତ୍ରୀ-ପ୍ରସୂତି, ଶିଶୁ ରୋଗ ଭଳି ଆବଶ୍ୟକ ବିଶେଷଜ୍ଞ ବି ଅଛନ୍ତି। କିନ୍ତୁ ସେମାନଙ୍କ ପାଇଁ ରହିବାକୁ କ୍ବାର୍ଟର ନାହିଁ। କ୍ବାର୍ଟର ମରାମତି ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଚାଲିଥିଲେ ବି ଭଙ୍ଗାଦଦରା ଅବସ୍ଥାରେ ସେ ସବୁ ପଡି ରହିଛି। ଫଳରେ କ୍ୟାମ୍ପସରେ କେହି ରହିବା ସମ୍ଭବ ହେଉ ନ ଥିବାରୁ ରୋଗୀ ସେବା ବି ମିଳି ପାରୁ ନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାରଙ୍ଗ ସମେତ ବାଲିଅନ୍ତା, କଣ୍ଟାପଡ଼ା, ନିଆଳି ଓ ସଦର ବ୍ଲକ ଅଞ୍ଚଳର ରୋଗୀମାନେ ନିର୍ଭରଶୀଳ ଥିଲାବେଳେ ସିଏମସିର ୪ଟି ୱାର୍ଡ, ବିଏମସିର ଗୋଟିଏ ୱାର୍ଡ, ଫୁଲନଖରା–ନିଆଳି ରାଜ୍ୟ ରାଜପଥ ଓ ଫୁଲନଖରା–ଗୋପାଳପୁର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ପ୍ରାଥମିକ ଚିକିତ୍ସା ପାଇଁ ଏହା ଉପରେ ନିର୍ଭର କରନ୍ତି।
ଏପରି ଏକ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ରର ଘରଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲାବେଳେ ପ୍ରତିବର୍ଷ କିନ୍ତୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସେଗୁଡ଼ିକର ମରାମତି ହେଉଛି। କିନ୍ତୁ ଅବସ୍ଥା ଯାହାକୁ ସେୟା। କୋଠାଘର ଉପରେ ଟିଣ ଛପର ଘର ତିଆରି ହୋଇଛି। ସାମାନ୍ୟ ପବନରେ ଟିଣ ଉଡ଼ିଗଲେ ପୁଣି କାମ କରିବାର ବାଟ ତିଆରି ହେଉଛି। ଶୌଚାଳୟ ନିର୍ମାଣ ପରେ ତାହା ତ୍ରୁଟିପୂର୍ଣ୍ଣ ହେବାରୁ ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଲା। ପୁଣି ତାହାର କାମ କରାଯାଇ ବ୍ୟବହାର ଉପଯୋଗୀ କରାଗଲା। ବିଦ୍ୟୁତ ପଙ୍ଖା, ବଲ୍ବ ଓ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଅଚଳ ହୋଇ ପଡୁଛି। ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ୭ଲକ୍ଷ ଟଙ୍କା ବ୍ୟୟରେ ମୁଖ୍ୟ ଫାଟକ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୨୪ରେ ଶିଳାନ୍ୟାସ ହୋଇଥିଲା। ଦୁଇ ମାସ ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରହିଥିଲା। ଅଥଚ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେଠାରେ ହେବାକୁ ଥିବା ସୁରକ୍ଷା କର୍ମୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ ହେଉଥିବା ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।
କାମରେ ଦୁର୍ନୀତି ସମସ୍ୟାର କାରଣ
ଉନ୍ନତିକରଣ ପାଇଁ ବିପୁଳ ଅର୍ଥ ବିନିଯୋଗ ହେଉଥିଲେ ବି ଦୁର୍ନୀତି ଯୋଗୁଁ କାର୍ଯ୍ୟ ନିମ୍ନମାନର ହେଉଛି। ଯାହାର ପରିଣାମ ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡ଼ୁଛି।
ରାଘବ ସାହୁ, ସ୍ଥାନୀୟ ବାସିନ୍ଦା
ଦୁର୍ବଳ ଭିତ୍ତିଭୂମି ସୁଧୁରୁନି
ମହୀଧରପଡ଼ା ଡାକ୍ତରଖାନା ଏକ ବ୍ୟସ୍ତବହୁଳ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିଲା ବେଳେ ଏହାର ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଲୋକେ ସମସ୍ୟା ଭୋଗୁଛନ୍ତି। ୫୦ ଦଶକରେ ସ୍ଥାପିତ ଏହି ଡାକ୍ତରଖାନାର ଯେତିକି ଉନ୍ନତି ବା ସମ୍ପ୍ରସାରଣ ହେବା କଥା ତାହା ହୋଇପାରିନାହିଁ।
କଳ୍ପତରୁ ଖୁଣ୍ଟିଆ, ସ୍ଥାନୀୟ ବାସିନ୍ଦା
ନିର୍ଦ୍ଦିଷ୍ଟ ଠିକାଦାର କାମ କରୁଛନ୍ତି
ନିର୍ଦ୍ଦିଷ୍ଟ ଜଣେ ଦି’ଜଣ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଉଥିବାରୁ ଡାକ୍ତରଖାନାର ଉନ୍ନତିକରଣ ହେବା ପରିବର୍ତ୍ତେ ଅବନତି ଦେଖାଦେଉଛି। ପ୍ରତିବର୍ଷ ଠିକାଦାର ଚୟନରେ ପରିବର୍ତ୍ତନ କଲେ କାର୍ଯ୍ୟରେ ଉନ୍ନତି ଆସିବ।
ଟିଟନ ସାହୁ, ସ୍ଥାନୀୟ ବାସିନ୍ଦା
ଭିତ୍ତିଭୂମି ବିକାଶ ହେଉନି କି ରୋଗୀସେବା ମିଳୁନି
ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କଟକ–ଭୁବନେଶ୍ବର ମଧ୍ୟବର୍ତ୍ତୀ ସ୍ଥାନରେ ରହିଥିବା ସତ୍ତ୍ବେ ଏହାର ଆଶାନୁରୂପକ ବିକାଶ ହୋଇପାରିନାହିଁ। ବ୍ୟାପକ ଦୁନୀର୍ତି ଓ ପ୍ରିୟାପ୍ରୀତି ତୋଷଣ ଯୋଗୁଁ ଏଠାରେ ରୋଗୀମାନେ ଉପଯୁକ୍ତ ସେବା ପାଉ ନାହାନ୍ତି। ପ୍ରତ୍ୟେକ ଥର ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଉପଯୁକ୍ତ ଠିକାଦାରଙ୍କୁ ମନୋନୟନ କଲେ ଅବସ୍ଥାରେ ପରିବର୍ତ୍ତନ ହୁଅନ୍ତା।
ସୁବାସ ସ୍ବାଇଁ, ସ୍ଥାନୀୟ ବାସିନ୍ଦା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/CHC_6.jpg)