ଉଠାଦୋକାନୀଙ୍କ ପାଇଁ ଇଏ କି ଥଇଥାନ ବ୍ୟବସ୍ଥା? ପାଣି କି ବିଦ୍ୟୁତ୍‌ ସଂଯୋଗ ନାହିଁ; ଦୋକାନ ଆଗରେ ଗଦା ହୋଇଛି ମାଟି

କଟକ: ଓଡ଼ିଶା ସରକାରଙ୍କର ଅନୁମୋଦନ କ୍ରମେ କଟକ ମହାନଗର ନିଗମ ପକ୍ଷରୁ ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କଟକ ମହାନଗର ନିଗମ ପକ୍ଷରୁ ୫୯ଟି ୱାର୍ଡ଼ରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କୁ ଛୋଟ ଛୋଟ ଦୋକାନ ଘର କରି ଥଇଥାନ କରାଯାଉଛି। ଏହି କ୍ରମରେ କଟକ ମହାନଗର ନିଗମ ଅଧୀନରେ ଥିବା ୬ ନଂ ୱାର୍ଡରେ ଡ଼୍ରାଇଭିଂ ଟ୍ରେନିଂ ସଂସ୍ଥାନ ସମ୍ମୁଖରେ କଟକ ମହାନଗର ନିଗମ ପକ୍ଷରୁ ନିର୍ମିତ ଦୋକାନ ଘର ଉଠା ଦୋକାନୀମାନଙ୍କୁ ଦୀର୍ଘ ଦିନ ହେବ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ଉକ୍ତ ଦୋକାନ ଘର ଦଖଲ ନେଇଥିଲେ ବି ପୂର୍ବ ସ୍ଥାନରେ ବ୍ୟବସାୟ କରୁଛନ୍ତି। ସେହିପରି ପେଟାନାଳଠାରେ କଟକ ମହାନଗର ନିଗମ ପକ୍ଷରୁ ୨୨ଟି ଉଠା ଦୋକାନ ନିର୍ମାଣ କରାଯାଇ ସେମାନଙ୍କୁ ଆଜି ଉକ୍ତ ଦୋକାନଘର ଦଖଲ ଦିଆଯାଇଛି।

କିନ୍ତୁ ସେମାନଙ୍କ ପାଇଁ ବି ବିଦ୍ୟୁତ ଅଥବା ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ। ଦୋକାନ ଘର ନେବା ପାଇଁ ଉଠା ଦୋକାନୀମାନଙ୍କଠାରୁ ୫ ହଜାର ଟଙ୍କା ନିଆଯାଇ ଏକ ସତ୍ୟପାଠ କଟକ ମହାନଗର ନିଗମରେ ଦାଖଲ କରାଯାଇଛି ବୋଲି ଉଠାଦୋକାନୀ ରାମ ବାବୁ, ଲଳିତ ଗୁପ୍ତା, ସଂଗୀତା ଗୁପ୍ତା, ଇସ୍କାର ରାଓ, ଓମ ସୂର୍ଯ୍ୟ ନାରାୟଣ ରାଓ ଓ ରାମଚନ୍ଦ୍ର ସ୍ବାଇଁ ପ୍ରମୁଖ କହିଛନ୍ତି। ଏବେ ପେଟାନାଳଠାରେ ନୂତନଭାବେ ଦୋକାନ ଘର ଦଖଲ ନେଇଥିବା ଉଠା ଦୋକାନୀମାନଙ୍କ ସମ୍ମୁଖରେ ମାଟି ପାହାଡ଼ ପରି ଗଦା ହୋଇଥିବା ଉଠା ଦୋକାନୀ ମହାସଂଘର ସଭାପତି ଗୌରାଙ୍ଗ ଚରଣ ପରିଡ଼ା ଓ ଆଇନ ପରାମର୍ଶଦାତା ଆଇନଜିବୀ ଗଦାଧର ସାହୁ ଅଭିଯୋଗ କରିବା ସହିତ ଉକ୍ତ ଦୋକାନ ସମ୍ମୁଖରୁ ତୁରନ୍ତ ମାଟି ସଫା କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର