୩ ବର୍ଷ ହେଲା ଅନ୍ଧାରରେ ମହାନଦୀର ମଧୁ ସେତୁ, ବଢ଼ୁଛି ଅପରାଧ; ସାଧାରଣ ଯାତ୍ରୀ ଅସୁରକ୍ଷିତ

ସରକାରଙ୍କ ପ୍ରସ୍ତାବ ନାହିଁ; ନିକଟରେ ଆଲୋକୀକରଣ ସମ୍ଭାବନା ଆଶା କ୍ଷୀଣ: ଯନ୍ତ୍ରୀ

କଟକ: କଟକ ସହରର ଅନ୍ୟ ଜିଲ୍ଲା ସହ ସ˚ଯୋଗ ସ୍ଥାପନ ପାଇଁ ରାଜ୍ୟ ସରକାର ମହାନଦୀ ଉପରେ ମଧୁସୂଦନ ସେତୁ ନିର୍ମାଣ କରିଥିଲେ। କଟକ ସହିତ ଆଠଗଡ଼, ଚୌଦ୍ବାର, ଢେଙ୍କାନାଳ ଇତ୍ୟାଦି ଅଞ୍ଚଳକୁ ସିଧାସଳଖ ଏହି ସେତୁ ସ˚ଯାଗ କରୁଛି। ଭୁବନେଶ୍ବରକୁ ଏସବୁ ସ୍ଥାନମାନଙ୍କରୁ ଯିବାକୁ ହେଲେ ଅନେକ ଦୂରତା ଓ ସମୟ ବଞ୍ଚି ଯାଉଛି। ଏତେ ଗୁରୁତ୍ବ ବହନ କରୁଥିଲେ ବି ମଧୁସେତୁ ଉଦ୍‌ଘାଟନ ହେବା ଦିନଠୁ ଅନ୍ଧାରରେ ରହିଛି। ସେତୁ ଉପରେ ଆଲୋକ ବ୍ୟବସ୍ଥା କରାଯାଇନଥିଲା କିମ୍ବା ଆଗକୁ କରାଯିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ନାହିଁ। ଏପରିସ୍ଥଳେ ସଂଧ୍ୟା ହେବା ମାତ୍ରେ ସେତୁ ଉପରେ ଅସାମାଜିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଉଛି। ଦୀର୍ଘ ଦିନର ଦାବି ପରେ ୨୦୧୮ ମସିହା ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଉଦ୍‌ଘାଟନ କରିଥିଲେ। ଅଢେଇ କିଲୋମିଟରର ଏହି ସେତୁ ଯୋଗୁଁ କଟକ ଓ ଆଠଗଡ଼ ମଧ୍ୟରେ ପାଖାପାଖି ୨୦ କିଲୋମିଟରର ଦୂରତା ହ୍ରାସ ପାଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପାଖାପାଖି ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ସେତୁ ପ୍ରକଳ୍ପ ଆରମ୍ଭରୁ ଏଠାରେ ଆଲୋକ ବ୍ୟବସ୍ଥା ପାଇଁ କୌଣସି ଯୋଜନା କିମ୍ବା ଅଟକଳ କରାଯାଇ ନଥିଲା। ତେଣୁ ଲୋକାର୍ପଣ ହେବା ଦିନଠୁ ଦିନବେଳା ଏଠାରେ ଗହଳି ଚହଳି ଲାଗିରହୁଥିଲା ବେଳେ ସନ୍ଧ୍ୟା ହେଲେ ଅପରାଧିକ କାର୍ଯ୍ୟକଳାପ ଘଟି ଚାଲିଛି। ପୂର୍ବରୁ ଏକାଧିକଥର ଟ୍ରାଫିକ ପରିଚାଳନା ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ବୈଠକରେ କୁହାଯାଇଥିଲା। କିନ୍ତୁ ସରକାରଙ୍କ ପାଖରୁ କୌଣସି ପ୍ରସ୍ତାବ ଆସି ନଥିବାରୁ ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀମାନେ ଚାହିଁଲେ ବି କିଛି କରିପାରୁ ନାହାନ୍ତି।

 

ସିଡିଏର ବାସିନ୍ଦା ତଥା ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟଙ୍କ ମତରେ ଏହି ସେତୁ ଦ୍ବାରା କଟକ ଓ ଆଠଗଡ଼କୁ ଯୋଗାଯୋଗ ସହଜ ହୋଇଯାଇଛି। କିନ୍ତୁ ଏଠାକୁ ବିଦ୍ୟୁତ ସ˚ଯୋଗ କରାଯାଇ ନଥିବାରୁ ଅନେକ ସମୟରେ ଅପରାଧୀକ ଘଟଣା, ଦୁର୍ଘଟଣା ଇତ୍ୟାଦି ଘଟୁଛି। କିଛି ଦିନ ତଳେ ଏଠାରେ ହତ୍ୟାକାଣ୍ତ, ଲୁଟ୍‌ ଇତ୍ୟାଦି ଘଟିଛି। ତେଣୁ ସନ୍ଧ୍ୟା ହେବା ପରେ ସାଧାରଣ ଲୋକ ଏହା ଉପରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଭାସ ମାଝୀଙ୍କ କହିବା ଅନୁସାରେ, ମଧୁସୂଦନ ସେତୁ ଉପରେ ଆଲୋକ ବ୍ୟବସ୍ଥା କରାଯିବା ପାଇଁ ଅନେକ ସ˚ଗଠନ ଦାବି କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ପାଖରୁ ପ୍ରସ୍ତାବ ନ ଆସିଲେ ଏ ଦିଗରେ ପଦକ୍ଷେପ ନିଆଯିବା ଅସମ୍ଭବ। ବର୍ତ୍ତମାନସୁଦ୍ଧା କୌଣସି ପ୍ରସ୍ତାବ ଆସି ନଥିବାରୁ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ସମ୍ଭାବନା ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର