୫ ହଜାର ଅଟୋ ପାଇଁ ସହରରେ ନାହିଁ ପାର୍କିଂ ସ୍ଥାନ, ୧୯୯୪ରୁ ଦାବି ହାସଲ ପାଇଁ ଲଢ଼ୁଛି ଅଟୋ ମହାସଂଘ

ସିଏମ୍‌ସିରେ ଝୁଲି ରହିଛି ୨୨ ପାର୍କିଂ ସ୍ଥାନ ନିଷ୍ପତ୍ତି

କଟକ: କଟକରେ ଏବେ ଚାଲୁଥିବା ୫ ହଜାର ଅଟୋ ପାଇଁ ଗୋଟିଏ ବି ସରକାରୀ ଭାବେ ପାର୍କିଂ ସ୍ଥାନ ନାହିଁ। ୧୯୯୪ ମସିହାରୁ କଟକ ସହରରେ ଅଟୋ ଚାଳକଙ୍କ ପାର୍କିଂ ସ୍ଥାନ ଚିହ୍ନଟ ପାଇଁ ଆନ୍ଦୋଳନ ହୋଇ ଆସୁଥିବା ବେଳେ ଆଜି ସୁଦ୍ଧା ଜିଲ୍ଲା ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେଉନାହିଁ। ପ୍ରଶାସନ ପାର୍କିଂ ସ୍ଥାନ ବାରମ୍ବାର ଚିହ୍ନଟ କରୁଥିବା ବେଳେ ପାର୍କିଂ ସ୍ଥାନ ବିଧିବଦ୍ଧ ଭାବେ ଘୋଷଣା କରୁନାହିଁ। ପାର୍କିଂ ସ୍ଥାନ ଘୋଷଣା ହେଉ ନଥିବାରୁ ଅଟୋ ଚାଳକ ମନଇଚ୍ଛା ଗାଡ଼ି ପାର୍କିଂ କରି ଜରିମାନା ଗଣୁଛନ୍ତି। ପ୍ରଶାସନର ଏଭଳି ଖାମଖିଆଲ କାମ ଦୀର୍ଘ ୨୮ ବର୍ଷ ଧରି କଟକ ସହରରେ ଚାଲି ଆସୁଥିବା ବେଳେ ସ୍ଥାୟୀ ପଦକ୍ଷେପ ଗ୍ରହଣ ନହେବାରୁ ବେଆଇନ ପାର୍କିଂ ପାଇଁ ଅଟୋ ଚାଳକ ଜରିମାନା ଦେବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କଟକ ଅଟୋ ମହାସଂଘ ୧୯୯୧ରୁ ଆରମ୍ଭ ହୋଇଥିବା ବେଳେ କଟକରେ ଯେତେବେଳେ ୧୯୯୪ରେ ୧ ହଜାର ଅଟୋ ଚାଲୁଥିଲା ସେ ସମୟରେ ଅଟୋ ଓ ରିକ୍ସା ଚାଳକଙ୍କ ମଧ୍ୟରେ ପାର୍କିଂଙ୍କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କୌଣସି ପ୍ରକାର ପାର୍କିଂ ସ୍ଥାନ ସରକାରୀ ଭାବେ ଚିହ୍ନଟ ହୋଇ ନଥିବାରୁ ନିଜ ନିଜ ଭିତରେ ପାର୍କିଂ ପାଇଁ ଲଢ଼େଇ ଲାଗିବାରୁ ଅଟୋ ମହାସଂଘ ପକ୍ଷରୁ କଟକ ସହରରେ ବଡ଼ ଧରଣର ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ ହୋଇଥିଲା। ତତ୍କାଳୀନ ଆରଡିସିଙ୍କୁ ପାର୍କିଂ ସ୍ଥାନ ଯୋଗାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆରଡିସି ହାଇକୋର୍ଟ, ବାଦାମବାଡ଼ି, ବଡ଼ ଡାକ୍ତରଖାନା ଭଳି ସ୍ଥାନରେ ସ୍ଥାନ ଚିହ୍ନଟ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ କାର୍ଯ୍ୟକାରୀ କଲା ନାହିଁ। ପରବର୍ତ୍ତି ସମୟରେ ରାସ୍ତ ସଂପ୍ରସାରଣ ଯୋଗୁଁ ଏ ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲିଗଲା। ପୁଣି ଦ୍ବିତୀୟ ଆନ୍ଦୋଳ ୨୦୦୯ରେ ହୋଇଥିଲା। ଅଟୋ ସଂଖ୍ୟା ୧ ହଜାରରୁ ୩ ହଜାରରେ ପହଞ୍ଚିଥିଲା। ତତ୍କାଳୀନ ଜିଲ୍ଲାପାଳଙ୍କୁ ମହାସଂଘ ଭେଟି ଦାବିପତ୍ର ପ୍ରଦାନ କରିଥିଲା। ସେ ସମୟରେ ବାଦାମବାଡ଼ି, ଓଏମପି, କଲେଜ ଛକ, ଶିଖରପୁର, ବଡ଼ ଡାକ୍ତରଖାନା, ମଙ୍ଗଳାବାଗ, ଷ୍ଟାଡିୟମ, ଚାନ୍ଦିନୀଚୌକ, ସିଡିଏରେ ଅଟୋ ପାର୍କିଂ ବ୍ୟବସ୍ଥା କରିବାକୁ ମୌଖିକ ଭାବେ କୁହାଯାଇଥିଲା।

କିନ୍ତୁ ଏଥିପାଇଁ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି ହେଲା ନାହିଁ। ୨୦୨୨ରେ ଅଟୋ ସଂଖ୍ୟା ୫ ହଜାରରେ ପହଞ୍ଚିଲାଣି। ଏବେ ବି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। କେବଳ ଅଟୋ ଚାଳକ ବେଆଇନ ପାର୍କିଂ କରିବା ଅଭିଯୋଗରେ ଅଧିକ ସଂଖ୍ୟାରେ ଜରିମାନା ଯାହା ପୈଠ କରିଛନ୍ତି। ଗଲା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟ୍ରାଫିକ ପୁଲିସ, ଅଟୋ ମହାସଂଘ ଓ ସିଏମସି ପକ୍ଷରୁ ଏକ ମିଳିତ ସବ୍ କମିଟି କଟକ ସହରରେ ୨୨ଟି ସ୍ଥାନରେ ପାର୍କିଂ ସ୍ଥାନ ସର୍ଭେ କରି ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି(ଟିଏମସି)ରେ ଦାଖଲ କରିଥିଲେ। ଏହା ସହିତ ଅନୁମୋଦନ କରିବା ପାଇଁ ସିଏସମିକୁ ଏହି ସର୍ଭେ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟକୁ ସିଏମସି ଏଯାଏ ଅନୁମୋଦନ କଲା ନାହିଁ। ସର୍ଭେ ହୋଇଥିବା ସ୍ଥାନ ତାଲିକାରେ ବାଦାମବାଡ଼ି, ଲିଙ୍କରୋଡ, ପ୍ରେସ ଛକ, ଶିଖରପୁର, ଓଏମପି, ନୂଆ ବଜାର, କଲେଜ ଛକ, ଜଗତପୁର, ସିଡିଏ ସେକ୍ଟର ୭, ସେକ୍ଟର ୯, ସେକ୍ଟର ୧୧, ହାଇକୋର୍ଟ ଛକ, ବକ୍ସିବଜାର, ଚଣ୍ଡୀଛକ, ସେଲଟର ଛକ, କନିକା ଛକ ଇତ୍ୟାଦି ସ୍ଥାନ ରହିଥିଲା। ୧୯୯୪ରୁ ଅଟୋ ମହାସଂଘର ଆରମ୍ଭ ହୋଇଥିବା ଲଢ଼େଇ ୨୮ ବର୍ଷ ପରେ ବି ସଫଳ ହୋଇପାରିଲା ନାହିଁ। ପାର୍କିଂ ପାଇଁ ଭତ୍ତିଭୂମି ନଯୋଗାଇ ବେଆଇନ ପାର୍କିଂ ପାଇଁ ଅଟୋ ଚାଳକଙ୍କ ନିକଟରୁ ନିୟମିତ ଜରିମାନା ଆଦାୟ ଘଟଣାକୁ ବିରୋଧ କରିଛନ୍ତି କଟକ ଅଟୋ ମହାସଂଘର ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ। ଚାଳକମାନେ ଆର୍ଥିକ ଯନ୍ତ୍ରଣା ଭୋଗୁଥିବା ସେ କହିଛନ୍ତି। ଟିଏମସିର ସବ୍ କମିଟି ପକ୍ଷରୁ ଯେଉଁ ୨୨ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି, ଏହାକୁ ସିଏମସି ଘୋଷଣା ନକଲେ ୧୯୯୪ ମସିହା ଭଳି ଆଉ ଏକ ଆନ୍ଦୋଳନ କଟକ ସହରରେ ପୁଣି ମୁଣ୍ଡ ଟେକିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର