ପଦବି ନାହିଁ କି ସ୍ବୀକୃତି ନାହିଁ: ୩ ଲକ୍ଷ ଟଙ୍କା କୋଭିଡ୍ ପ୍ରୋତ୍ସାହନ ରାଶି!

କଟକ: ପଦବି ନାହିଁ କି ପଦବି ପାଇଁ ସରକାରୀ ସ୍ବୀକୃତି ନାହିଁ। କିନ୍ତୁ କଟକ ବଡ଼ ଡାକ୍ତରଖାନାରେ ଜରୁରିକାଳୀନ ଅଧିକାରୀ ପଦରେ ଅବସରପରଠାରୁ କାର୍ଯ୍ୟକରି ଆସୁଥିବା ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଅବସରପରେ ତାଙ୍କ ନିଯୁକ୍ତିକୁ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟ ବିଭାଗ ଅନୁମୋଦନ କରିଥିବାବେଳେ ୨୦୨୦ ଅକ୍ଟୋବରରୁ ତାହାର ଅବଧି ସରିଯାଇଛି। କିନ୍ତୁ, ସେ କାର୍ଯ୍ୟ କରୁଥିବା ଦର୍ଶାଇ କୋଭିଡ୍‌ ପ୍ରୋତ୍ସାହନ ରାଶି ବାବଦରେ ତାଙ୍କ ନାମରେ ୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହାକୁ ନେଇ ଗୋଟିଏ ମହଲରୁ ପ୍ରଶ୍ନ ଉଠିବା ପରେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।

ଡାକ୍ତର ମହାରଣାଙ୍କୁ ଅବସର ପରେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁ ମେଡିକାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା। ସାଧାରଣତଃ ଆଇସିୟୁ ମେଡିକାଲ ଅଫିସର ବା ଆଇସିୟୁ ପରିଚାଳନା ପାଇଁ ଜଣେ ନିଶ୍ଚେତକ ବିଭାଗ ଡାକ୍ତରଙ୍କୁ ନିଯୁକ୍ତ କରାଯିବା କଥା। କିନ୍ତୁ ଡାକ୍ତର ମହାରଣା ହେଉଛନ୍ତି ପେରିଫେରି କ୍ୟାଡର୍‌ର ଆସିଷ୍ଟାଣ୍ଟ ସର୍ଜନ। ଏହାସତ୍ତ୍ବେ ବି ତାଙ୍କୁ ଆଇସିୟୁ ମେଡିକାଲ ଅଫିସର ଭାବେ ନିଯୁକ୍ତ କରାଯିବା ସହ ବାରମ୍ବାର ତାଙ୍କର ନିଯୁକ୍ତି ନବୀକରଣ ପାଇଁ ଚିଠି କରାଯାଉଛି। ତାଙ୍କ ନିଯୁକ୍ତିକୁ ଅସ୍ଥାୟୀ ଭ‌ାବେ ଅନୁମୋଦନ କରାଯାଇଥିଲାବେଳେ କେଉଁ ଆଧାରରେ ୩ ଲକ୍ଷ ଟଙ୍କା ଦେବାକୁ ଫାଇଲ୍ ପ୍ରସ୍ତୁତ ହୋଇଥିଲା, ଏବଂ ଏହାକୁ କିଏ ପ୍ରସ୍ତୁତ କରିଥିଲେ , ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପଟେ ଏସ୍‌ସିବିରେ କୋଭିଡ୍ ଡ୍ୟୁଟିରେ ଥିବା ୩୧୧ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଇତିମଧ୍ୟରେ ୪୬ଲକ୍ଷ ଟଙ୍କାର ପ୍ ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଚାକିରିର ବୈଧତା ଓ ନବୀକରଣ ଉଦ୍ୟମ ସଂପର୍କରେ ଏସ୍‌ସିବିର ଅଧୀକ୍ଷକ ଅଥବା କୁଳସଚିବ ମୁହଁ ଖୋଲୁନାହାନ୍ତି। ଏ ସଂପର୍କରେ ଡାକ୍ତର ମହାରଣାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ମଧ୍ୟ ମତାମତ ମିଳିପାରିନାହିଁ।

ଅନ୍ୟପକ୍ଷରେ, କଟକ ବଡ଼ ମେଡିକାଲର ପ୍ରଶାସନିକ ବ୍ୟବସ୍ଥାକୁ ସୁସଂଗତ କରିବା ପାଇଁ ଏବେ ୪ ଜଣ ହସ୍ପିଟାଲ ମ୍ୟାନେଜର, କୁଳସଚିବ, ଅଧୀକ୍ଷକ ଓ ବିଭିନ୍ନ ପାହ୍ୟାର ପ୍ରଶାସନିକ ଅଧିକାରୀ ଓ କର୍ମଚ‌ାରୀ କାର୍ଯ୍ୟ କରୁଛନ୍ତି। ମାତ୍ର, ଅବସରଗ୍ରହଣ ପରେ ଡାକ୍ତର ମହାରଣାଙ୍କୁ କ’ଣ ପାଇଁ ବାରମ୍ବାର ଏସ୍‌ସିବିରେ ପ୍ରଶାସନିକ କାର୍ଯ୍ୟ ପରିଚାଳନା ଆଳରେ ପୁନଃନିଯୁକ୍ତି ଦିଆଯାଉଛି, ତାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠୁଛି। ଅନ୍ୟ ଏକ ଖବର ଅନୁସା‌ରେ, ବର୍ତ୍ତମାନ ଡାକ୍ତର ମହାରଣାଙ୍କ ଚାକିରି ନବୀକରଣକୁ ନେଇ ବିବାଦ ଉଠିବା ପରେ ଏସ୍‌ସିବିର ଦୁଇ ଜଣ ବରିଷ୍ଠ ଅଧିକାରୀ ତାଙ୍କୁ ପୁଣିଥରେ ନିଯୁକ୍ତି ଦେବାପାଇଁ ସ୍ବାସ୍ଥ୍ୟବିଭାଗ ଓ ଡିଏମ୍‌ଇଟିଙ୍କୁ ଚିଠି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର