କଟକ: ଗହ୍ମାଡିଆ ନିକଟରେ ଜାଇକା ପ୍ରକଳ୍ପରେ ଚାଲିଥିବା ବକ୍ସଡ୍ରେନ୍ କାମ ନେଇଛି ବିହାରର ନାଳନ୍ଦା କନ୍ଷ୍ଟ୍ରକସ୍ନ କଂପାନି। ବଜ୍ରକବାଟୀରୁ ବକ୍ସି ବଜାର ବାରପଥର ମଧ୍ୟରେ ଥିବା ଅଢେଇ କିଲୋମିଟର ଏମ୍ଏସ୍ଡବ୍ଲୁସି-୧ ଡ୍ରେନ ଉପରେ ୨୦୧୮ରୁ ବକ୍ସ ଡ୍ରେନ କାମ ଆରମ୍ଭ ହୋଇଥିଲା। ମାତ୍ର ୫ବର୍ଷ ମଧ୍ୟରେ ଏଠାରେ ୪୦ ପ୍ରତିଶତରୁ କମ କାମ ହୋଇଛି। ଉକ୍ତ ରାସ୍ତାର କେଶରପୁର ପୋଲରୁ ଗହ୍ମାଡିଆ ମଧ୍ୟରେ ୨୦୧୯ ମେ’ରେ ବକ୍ସ ଡ୍ରେନ ପାଇଁ ନାଳର ଉଭୟ ପାର୍ଶ୍ବକୁ ଠିକା ସଂସ୍ଥା ପକ୍ଷରୁ ଖୋଳାଗଲା। ମାତ୍ର ରାସ୍ତା ପାର୍ଶ୍ବରେ ଡ୍ରେନକୁ ଆବଦ୍ଧ କରିବା ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଦୀର୍ଘ ବର୍ଷ ଧରି ଏପରି ଅସୁରକ୍ଷିତ ଅବସ୍ଥାରେ ଉକ୍ତ ରାସ୍ତା ଦେଇ ସାଧାରଣ ଲୋକ ଯିବା ଆସିବା କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବହୁବାର ଆନ୍ଦୋଳନ କରିଥିଲେ ବି କୌଣସି ସୁଫଳ ପାଇ ନଥିଲେ। ଅନ୍ୟପଟେ ମେରିଆବଜାର ପୋଲ ଭଙ୍ଗା ଯାଇ ଏବେ ବକ୍ସ ଡ୍ରେନ କାମ ଚାଲିଛି।
ମାତ୍ର ସେଠାରେ ମଧ୍ୟ ସଂସ୍ଥା ତରଫରୁ ଡ୍ରେନକୁ ଆବଦ୍ଧ କରାଯାଇ ନାହିଁ। ରାସ୍ତାରେ ଯାଉଥିବା ଲୋକେ ଟିକିଏ ଅସାବଧାନ ହେଲେ ୧୫ରୁ ୨୦ ଫୁଟ ଗାତରେ ଖସିବା ନିଶ୍ଚିତ। ବକ୍ସ ଡ୍ରେନ କାମ ଚାଲିଥିବା ବେଳେ ସଂସ୍ଥା ବିନା ସୁରକ୍ଷା ଓ ସୂଚନା ଫଳକରେ କାମ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ବିହାରର ଉକ୍ତ ସଂସ୍ଥା ଆଗାମୀ ଦିନରେ ବକ୍ସ ଡ୍ରେନ ପାଇଁ ଖୋଳା ଯାଉଥିବା ଅଞ୍ଚଳକୁ ସୁରକ୍ଷିତ ଢଙ୍ଗରେ ଆବଦ୍ଧ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ବକ୍ସ ଡ୍ରେନ କାମ ଚାଲିଥିବା ଅଞ୍ଚଳକୁ ଆବଦ୍ଧ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମେୟର ସୁବାସ ସିଂହ କହିଛନ୍ତି। ମୃତ ଛାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। କିନ୍ତୁ ସର୍ବନିମ୍ନ ସୁରକ୍ଷା ନିୟମକୁ ବେଖାତିର କରି ଏଭଳି ବର୍ଷ ବର୍ଷ ଧରି ଘରୋଇ ଠିକା ସଂସ୍ଥା ସହରରେ କାମ କରୁଥିବା ବେଳେ ସେମାନଙ୍କୁ ଏଭଳି ବେପରୱା ହେବାକୁ ସୁଯୋଗ ଦେଉଛି କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।