କଟକ: କରୋନା କଟକଣା ହଟିଲା ପରେ ବି ସିନେମା ହଲରୁ ପରଦା ହଟୁନାହିଁ। ହଲ୍ ଚାଲିବା ପାଇଁ ନୂଆ ହିନ୍ଦୀ କିମ୍ବା ଓଡ଼ିଆ ସିନେମା ନାହିଁ। ଯେଉଁ ତେଲଗୁ କିମ୍ବା ଇ˚ରାଜୀ ସିନେମା ରିଲିଜ୍ ହେଉଛି, ତାକୁ ଦେଖିବାକୁ ଦର୍ଶକ ଆସୁନାହାନ୍ତି। ବାଧ୍ୟ ହୋଇ କିଛି ହଲ୍ ପୁରୁଣା ଓଡ଼ିଆ ସିନେମା ଚଲାଉଛନ୍ତି। କଟକ ସହରରେ ମୋଟ ୫ଟି ହଲ୍ ଭିତରୁ ୩ ଟି ହଲ୍ ଜାନୁଆରିରେ ଖୋଲିଥିଲା। ଦର୍ଶକ ନହେବାରୁ ଖୋଲିଥିବା ହଲ୍ ବି ବନ୍ଦ ହୋଇଗଲାଣି। ତେବେ ଆଗାମୀ ଦିନରେ ହଲ୍ ଖୋଲିବା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରୁ ନଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କରୋନା କଟକଣା ପାଇଁ ୯ ମାସ ହେବ ବନ୍ଦ ପଡ଼ିଥିବା ସିନେମା ହଲ୍ ଗଲା ଜାନୁଆରି ୧ ତାରିଖରୁ ଦର୍ଶକଙ୍କ ପାଇଁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। କିନ୍ତୁ ୫୦ ପ୍ରତିଶତ ଦର୍ଶକରେ ହଲ୍ ଚାଲିବାକୁ କଟକଣା ରହିଥିଲା। ଫେବ୍ରୁଆରି ୧ ତାରିଖରୁ ଏହି କଟକଣାକୁ ଉଠାଇ ଦେଇ ପୂର୍ବ ଭଳି ୧୦୦ ପ୍ରତିଶତ ଦର୍ଶକରେ ହଲ୍ ଚାଲିବ ବୋଲି ଘୋଷଣା ହୋଇଥିଲେ ବି ହଲ୍ କେମିତି ଚାଲିବ, ତାହାକୁ ନେଇ ବିଶେଷ ଆଶାବାଦୀ ହୋଇପାରୁ ନାହାନ୍ତି ହଲ୍ ମାଲିକମାନେ।
କଟକରେ ସ˚ଗମ ହଲ୍ ଜାନୁଆରି ୮ ତାରିଖରେ ଖୋଲିଥିଲା। ଦୁଇ ସପ୍ତାହ ଚାଲିଲା। ୧୬ ତାରିଖରେ ବନ୍ଦ ହୋଇଗଲା। ଇ˚ରାଜି ସିନେମା ଓଣ୍ତର ଓମ୍ୟାନ୍-୧୯୮୪, ତେଲୁଗୁ ସିନେମା କ୍ରାକ୍, ମାଷ୍ଟର, ରେଡ୍, ମ୍ୟାଡାମ୍ ଚିଫ୍ ମିନିଷ୍ଟର ପଡ଼ିଥିଲା। ଗୋଟିଏ ଗୋଟିଏ ସୋରେ ୨ରୁ ୫ ଜଣ ଦର୍ଶକ ହେବାରୁ ହଲ୍ ବନ୍ଦ କରି ଦିଆଯାଇଛି। ଆସନ୍ତା ୫ ତାରିଖରେ ଇ˚ରାଜୀ ସିନେମା ବ୍ଲୁଷ୍ଟାର୍ ହଣ୍ଟର ପଡ଼ିବା ନେଇ ହଲ୍ ମ୍ୟାନେଜର ସଚ୍ଚିଦାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି। ବୃନ୍ଦାବନ ହଲ୍ ଗଲା ଜାନୁଆରି ୧୪ ତାରିଖରେ ଖୋଲିଥିଲା। ଓଡ଼ିଆ ସିନେମା ‘ରୋମିଓ ରାଜା’ ପଡ଼ିଥିଲା। ପରେ ‘ମତେ ତ ଲଭ୍ ହେଲାରେ’ ପଡ଼ିଲା। ଜାନୁଆରି ୧୪ରୁ ୨୧ ତାରିଖ ଯାଏ ଚାଲିଲା। ତା ଭିତରେ ଦୁଇଟି ତେଲଗୁ ସିନେମା ବି ପଡ଼ିଥିଲା। ଦର୍ଶକ ନହେବାରୁ ହଲ୍ ବନ୍ଦ କରିଦଆଯାଇଛି।
ଆସନ୍ତା ୧୨ ତାରିଖରେ ‘ସୁପର୍ ବଏ’ ରିଲିଜ୍ ହେବାର ଯୋଜନା ରହିଥିବା ମ୍ୟାନେଜର ଦିଲ୍ଲୀପ କୁମାର ପାତ୍ର କହିଛନ୍ତି। ଆଇନକ୍ସ ସିନେମା ହଲ୍ର ୪ଟି ସ୍କ୍ରିନରେ ଦୈନିକ ୧୫ଟି ସୋ ଚାଲୁଛି। ଗଲା ଜାନୁଆରି ୮ ତାରିଖରୁ ହଲ୍ ଖୋଲିଥିବା ବେଳେ ଦର୍ଶକଙ୍କ ଗହଳି ରହୁନି। ଆଶାନୁରୂପକ ଦର୍ଶକ ହେଉଥିବା ମାର୍କେଟି˚ ମ୍ୟାନେଜର୍ ଅଜିତ ଭୂୟାଁ କହିଛନ୍ତି। ଗ୍ରାଣ୍ତ ସିନେମା ହଲ୍ ୨୦୨୦ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ବନ୍ଦ ପଡ଼ିଛି। ସେହିଭଳି ସମ୍ରାଟ ସିନେମା ସମାନ ସ୍ଥିତି ଦେଇ ଗତି କରୁଛି। ନୂଆ ହିନ୍ଦୀ ଓ ଓଡ଼ିଆ ସିନେମାର ଅଭାବ ଥିବାରୁ ହଲ୍ ମାଲିକମାନେ ହଲ୍ ଖୋଲିବାକୁ ଉଚିତ ମଣୁନାହାନ୍ତି। ଆସନ୍ତା ମାର୍ଚ୍ଚ ପରଠାରୁ ନୂଆ ସିନେମା ରିଲିଜ୍ ହେବାର ଯୋଜନା ରହିଛି। ସହରରେ ହଲ୍ର ସ୍ଥିତି ସୁଧୁରିବା ପାଇଁ ଆହୁରି ୩ ମାସ ଲାଗିବା ନେଇ ଆକଳନ କରାଯାଉଛି।