ସମସ୍ୟା ଘେରରେ ନିମପୁର ନୋଡାଲ୍‌ ହାଇସ୍କୁଲ୍‌, ୬ ଶିକ୍ଷକ ପଦବି ଖାଲି; କିରାଣି, ପିଅନ, ଜଗୁଆଳି ବି ନାହାନ୍ତି

ଜଗତପୁର: ଜଗତପୁର ଅଞ୍ଚଳର ସର୍ବପ୍ରାଚୀନ ଶିକ୍ଷାନୁଷ୍ଠାନ ନିମପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କର ଘୋର୍‌ ଅଭାବ ଦେଖିବାକୁ ମିଳିଛି। ୬ଷ୍ଠରୁ ୧୦ମ ଯାଏ ପଢ଼ୁଥିବା ୬୪୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକସଂଖ୍ୟକ ଶିକ୍ଷକ/ଶିକ୍ଷୟିତ୍ରୀ ନଥିବାରୁ ଶିକ୍ଷାଦାନରେ ଘୋର୍‌ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଟାଙ୍ଗୀ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଅଛି। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀକୁ ନେଇ ପ୍ରାଥମିକ ଏବଂ ୯ମ ଓ ୧୦ମ ଶ୍ରେଣୀକୁ ନେଇ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ରହିଛି। ପ୍ରାଥମିକ ଶିକ୍ଷାଦାନ ନିମନ୍ତେ ୬ଟି ସେକ୍ସନ୍‌ରେ ମୋଟ୍ ୩୪୬ ଛାତ୍ରଛାତ୍ରୀଙ୍କ ଲାଗି ୯ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଅଛନ୍ତି ୬ଜଣ। ସେହିପରି ମାଧ୍ୟମିକ ବିଭାଗର ଦୁଇଗୋଟି ଶ୍ରେଣୀର ୪ଟି ସେକ୍ସନ୍‌ରେ ମୋଟ ୨୯୭ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଧାନଶିକ୍ଷକ, ୩ଜଣ ସହକାରୀ ଶିକ୍ଷକ ଓ ଜଣେ ଖେଳ ଶିକ୍ଷକ ଥିବା ବେଳେ ହିନ୍ଦୀ, ସଂସ୍କୃତ ଓ ବିଜ୍ଞାନ ପାଇଁ ଆଉ ୩ଜଣ ଶିକ୍ଷକ ଆବଶ୍ୟକ ହେଉଛନ୍ତି। ସେହିପରି, ଖେଳ ଶିକ୍ଷକ ମଧ୍ୟ ଚାକିରିରୁ ଅବସର ନେବାକୁ ଥିବାବେଳେ ଆଗକୁ କ୍ରୀଡ଼ାଭ୍ୟାସ, ବିଭିନ୍ନ ପ୍ରଶିକ୍ଷଣ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଆଶଙ୍କା ପ୍ରକାଶ ପାଇଛି।

ସେପଟେ, ବିଦ୍ୟାଳୟରେ ୨୦୧୭ ମସିହାରୁ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାଙ୍କ କାମ ନିଜେ ପ୍ରଧାନଶିକ୍ଷକ ତୁଲାଉଛନ୍ତି। ୩ଜଣ ପିଅନଙ୍କ ସ୍ଥାନରେ ୨ଜଣ ଥିବା ବେଳେ ପ୍ରାୟ ୨ବର୍ଷରୁ ଅଧିକ ସମୟ ହେବ ରାତି ଜଗୁଆଳି ଅବସର ନେବା ପରେ ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତି ଦିଆଯାଇନାହିଁ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ମହାପାତ୍ରଙ୍କୁ ପଚାରିବାରୁ, ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ବୀକାର କରିଛନ୍ତି। ଏସ୍‌ସିବି ସମ୍ପ୍ରସାରଣ ଯୋଗୁଁ ସ୍ଥାନାନ୍ତରିତ ହୋଇଥିବା ବସ୍ତିର ଛାତ୍ରଛାତ୍ରୀ ସାମିଲ ହେବା ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଅଧିକ ଶିକ୍ଷକ ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି, ପ୍ରାଶାସନିକ ଅବହେଳା ଯୋଗୁଁ ବିଦ୍ୟାଳୟ ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୟୋଧର ଜେନା ଅଭିଯୋଗ କରିଛନ୍ତି। କମିଟି ସଦସ୍ୟମଣ୍ଡଳୀଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହେରା, ହାଲିମା ବିବି, ସ୍ମିତାରାଣୀ ସ୍ବାଇଁ, ମନୋଜ କୁମାର ପୃଷ୍ଟି, ବିଷ୍ଣୁ ନାୟକ, ସବିତା ବେହେରା ଓ ସୁଜାତା ବେହେରା ପ୍ରମୁଖ ବିଦ୍ୟାଳୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର