ବାଲୁଙ୍କେଶ୍ବର ନୋଡାଲ୍‌ ବିଦ୍ୟାପୀଠର ବିଚିତ୍ର ସ୍ଥିତି; ଜୀବବିଜ୍ଞାନ-ସଂସ୍କୃତ ଶିକ୍ଷକ ନାହାନ୍ତି, ୮ଟି କ୍ଲାସ୍‌ରୁମ୍‌ରେ ୧୦ଟି ଶ୍ରେଣୀ

କଟକ: ସ୍କୁଲରେ ମିନି ଷ୍ଟାଡିୟମ ରହିଛି, ହେଲେ କ୍ରୀଡ଼ା ଶିକ୍ଷକ ନାହାନ୍ତି। ଶିକ୍ଷାବର୍ଷ ଅଧା ହେବାକୁ ବସିଲାଣି ହେଲେ ହାଇସ୍କୁଲ ପାଇଁ ସିବି‌ଜେଡ୍‌ ବିଜ୍ଞାନ ଶିକ୍ଷକ ନାହାନ୍ତି। ଦୀର୍ଘ ବ‌ର୍ଷ ହେଲା ସଂସ୍କୃତ ଶିକ୍ଷକ ପଦ ଖାଲି। ବିଦ୍ୟାଳୟରେ ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ଶ୍ରେଣୀ ଗୃହ ମାତ୍ର ୮ଟି। ଏବେ ନବମ, ଦଶମ ଶ୍ରେଣୀ ପଢ଼ା ଚାଲିଥିବା ବ‌େଳେ ଆଉ ଦୁଇ ପରେ ଖୋଲିବ ଅଷ୍ଟମ ସୀମିତ ଶ୍ରେଣୀଗୃହ ପାଇଁ କୋଭିଡ୍ କଟକଣା ପାଳନ ହେବା ନେଇ ଆଶଙ୍କା ରହିଛି। ଏମିତି ଦୟନୀୟ ସ୍ଥିତିରେ ଚାଲିଛି ୪୨ମୌଜା ଅଞ୍ଚଳର ପୁରାତନ ଶିକ୍ଷାୟତନ ଦେଉଳି ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠ। ୧୯୬୨ରେ ଆତ୍ମପ୍ରକଟ କରିଥିବା ୪୨ମୌଜା ଦେଉଳିସ୍ଥିତ ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠ କଟକ ସହର ସମେତ ସଦର ଅଞ୍ଚଳର ପ୍ରମୁଖ ଶିକ୍ଷାୟତନ। ୩୫ହଜାର ୩ଶହ ବର୍ଗ ମିଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି ଶିକ୍ଷାନୁଷ୍ଠାନର ସ୍କୁଲ ବିଡିଂ, କ୍ୟାମ୍ପସ୍ ସମେତ ଏକ ମିନି ଷ୍ଟାଡିୟମ ରହିଛି। ଆରମ୍ଭରୁ ‌ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବସ୍ଥା ଥିଲା। କିନ୍ତୁ ୨୦୨୦ରେ ଡିହକଳପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଦେଉଳି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଏହି ଅନୁ୍ଷ୍ଠାନ ସହ ମିଶାଇ ଦିଆଗଲା।

ଏବେ ବାଲୁଙ୍କେଶ୍ବର ବିଦ୍ୟାପୀଠରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୩୫୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅନ୍ୟ ଦୁଇଟି ସ୍କୁଲ ଏହା ସହିତ ମିଶିବା ପୂର୍ବରୁ ଯେଉଁ ୮ଟି ଶ୍ରେଣୀଗୃହ ଥିଲା, ସେତିକି ଅଛି। ଏବେ ଦଶମ ଓ ନବମ ଅଫ୍‌ଲାଇନ୍ କ୍ଲାସ ଚାଲିଥିବା ବେଳେ ୨୫ତାରିଖରୁ ଅଷ୍ଟମ ଅଫ୍‌ଲାଇନ୍ ‌କ୍ଲାସ୍ ଆରମ୍ଭ ହେବାକୁ ଯାଉଛି। ବିଦ୍ୟାଳୟର ଦଶମ ଶ୍ରେଣୀରେ ୮୪ଜଣ, ନବମରେ ୬୦ଜଣ ଓ ଅଷ୍ଟମରେ ୫୮ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସରକାର ଜାରି କରିଥିବା କଟକଣା ଅନୁସାରେ ଗୋଟିଏ ଶ୍ରେଣୀ ଗୃହରେ ୨୫ଜଣ ପିଲା ବସିବେ। ଏହି ହିସାବରେ ଏହି ତିନି ଶ୍ରେଣୀ ପାଇଁ ୮ଟି ଗୃହ ଆବଶ୍ୟକ ପଡ଼ିବ। ତେବେ ଆଇସୋଲେସନ ରୁମ୍ କେଉଁଠୁ ବାହାରିବ ଓ ବିଦ୍ୟାଳୟ ‌ଖୋଲିଲେ ଅନ୍ୟ କ୍ଲାସ୍‌ର ଛାତ୍ରଛାତ୍ରୀ କେଉଁଠି ବସିବେ, ତାହା ଏବେ ବଡ଼ ପ୍ରଶ୍ନ।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶିକ୍ଷାବର୍ଷ ଅଧା ହୋଇଥିଲେ ବିଜ୍ଞାନ(ସିବିଜେଡ୍‌), ସଂସ୍କୃତ ଶିକ୍ଷକ ପଦ ଖାଲିପଡ଼ିଛି। ଏ ବର୍ଷ ନବମ ଓ ଦଶମ ଛାତ୍ରଛାତ୍ରୀ କିଭଳି ସଂସ୍କୃତ ଓ ବିଜ୍ଞାନ ପଢ଼ିଥିବେ, ତାହା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଅନ୍ୟ ପ୍ରସଙ୍ଗଟି ହେଉଛି, ବହୁ ସରକାରୀ ସ୍କୁଲରେ ଖେଳପଡ଼ିଆ ନଥିବା ବେଳେ ଏହି ସ୍କୁଲରେ ଏକ ମିନି ଷ୍ଟାଡିୟମ ରହିଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ପାଇଁ ବିଦ୍ୟାଳୟକୁ ଗୋଟିଏ ଟଙ୍କା ବି ସରକାରୀ ଅନୁଦାନ ମିଳୁନାହିଁ। ଆହୁରି ମଧ୍ୟ ୨୦୧୫ରୁ ଖେଳ ଶିକ୍ଷକ ନଥିବାରୁ ଷ୍ଟାଡିୟମ ଥାଇ ବି ପିଲା କ୍ରୀଡ଼ା ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟରେ ୩ଜଣ ପିଅନ ଥିବା ବେଳେ ଜଣେ ପିଅନଙ୍କୁ ଯୋବ୍ରା ସ୍କୁଲକୁ ଡେପୁଟେସନରେ ପଠାଯାଇଛି। ବିଦ୍ୟାଳୟରେ ମାଙ୍କଡ଼ ଦୌରାତ୍ମ କହିଲେ ନ ସରେ। ସକାଳୁ ସଂଧ୍ୟା ଯାଏ ଦଳ ଦଳ ମାଙ୍କଡ଼ କ୍ୟାମ୍ପସରେ ବୁଲୁଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଲୋଚନା ଦାଶଙ୍କ କହିବା ଅନୁସାରେ, ବିଦ୍ୟାଳୟରେ ‌କ୍ରୀଡ଼ାଶିକ୍ଷକ, ସିବିଜେଡ୍‌ ବିଜ୍ଞାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ପଦ ଖାଲିପଡ଼ିଛି। ପାଖାପାଖି ୬ବର୍ଷ ହେଲା କ୍ରୀଡ଼ା ଶିକ୍ଷକ ନାହାନ୍ତି। ଜଣେ ଅତିଥି ଶିକ୍ଷକ ସଂସ୍କୃ୍ତ ପଢ଼ାଇବାକୁ ଆସୁଥିଲେ। କିନ୍ତୁ ୬୫ବର୍ଷ ପୂରି ଯିବାକୁ ସରକାରୀ ନିୟମ ଅନୁସାରେ ସେ ଆସୁନାହାନ୍ତି। କ୍ରୀଡ଼ା ଶିକ୍ଷକ, ବିଜ୍ଞାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ପଦ ପୂରଣ ହେବା ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ଶ୍ରୀମତୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର