କଟକ: କଟକ ମହାନାଗର ନିଗମର ୫୯ଟି ୱାର୍ଡର କର୍ପୋରେଟର ଓ ମେୟର ଆସନ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ। ସେଥିପାଇଁ ସିଏମ୍ସି ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ନିଗମର ବିଜୁ ଭବନ କାର୍ଯ୍ୟାଳୟ ପରିସର ଓ ଏହା ନିକଟରେ ଥିବା ସିଏମ୍ସିର କଲ୍ୟାଣ ମଣ୍ଡପଠାରେ ୧୧ଟି କେନ୍ଦ୍ର କରାଯାଇଛି। ଯେଉଁଠାରେ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିବେ। କୋଭିଡ କଟକଣା ମଧ୍ୟରେ ପ୍ରାର୍ଥୀ କିପରି ନାମାଙ୍କନ ଦାଖଲ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଦେଖିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ୨ ସେକ୍ସନ ଫୋର୍ସ ମୁତୟନ କରାଯିବ।
ସିଏମ୍ସିର ୫୯ଟି ୱାର୍ଡର କର୍ପୋରେଟରଙ୍କ ପାଇଁ ନାମାଙ୍କପତ୍ର ଦାଖଲ କରାଯିବା ସହ ଚଳିତ ଥର ମେୟର ପଦବି ପାଇଁ ସିଧାସଳଖ ଭୋଟ ହେବାର ଥିବା ବେଳେ ସିଏମ୍ସି ମେୟର ପଦବିର ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ସମୟର ରହିଛି। କଟକ ମହାନଗର ନିଗମ ତରଫରୁ ଦୁଇଟି ସ୍ଥାନରେ ଯଥା ବିଜୁ ଭବନ ଓ କଲ୍ୟାଣ ମଣ୍ଡପରେ ୧୧ଟି କେନ୍ଦ୍ରରେ ପ୍ରାର୍ଥିପତ୍ର ଗ୍ରହଣ କରାଯିବ। କଲ୍ୟାଣ ମଣ୍ଡପରେ ୱାର୍ଡ ନମ୍ବର ୧ରୁ ୩୪ର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏଠାରେ ୫ଟି କେନ୍ଦ୍ରରେ ପ୍ରାର୍ଥିପତ୍ର ଗ୍ରହଣ କରାଯିବ।
ସେହିପରି ବିଜୁ ଭବନରେ ୱାର୍ଡ ନମ୍ବର ୩୫ରୁ ୫୯ର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିବେ ଓ ଏଠାରେ ୬ଟି କେନ୍ଦ୍ର ରହିବ। କୋଭିଡ ନିୟମ ଅନୁସାରେ ବିନା ମାସ୍କରେ ନାମାଙ୍କନ ଦାଖଲ କେନ୍ଦ୍ର ମଧ୍ୟକୁ କାହାରିକୁ ଛଡା ଯିବନାହିଁ। ପ୍ରାର୍ଥୀଙ୍କ ସହିତ ଜଣେ ପ୍ରସ୍ତାବକ ଓ ସମର୍ଥକଙ୍କ ମଧ୍ୟରୁ ଦୁଇ ଜଣ, ଏଭଳି ମୋଟ ୪ଜଣ ବିଜୁଭବନ ଓ କଲ୍ୟାଣ ମଣ୍ଡପ ପରିସରକୁ ଯିବାକୁ ଅନୁମତି ରହିଛି। ପ୍ରାର୍ଥୀ କୋଭିଡ କଟକଣା ମଧ୍ୟରେ ଶୋଭାଯାତ୍ରାରେ ଆସି ପାରିବେ ବୋଲି ସିଏମ୍ସି ନିର୍ବାଚନ ଅଧିକାରୀ ଅମିୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।