ସ୍ବାସ୍ଥ୍ୟ ସଚିବ, ଏସ୍‌ସିବି ଅଧୀକ୍ଷକଙ୍କୁ ନୋଟିସ୍‌, ୩ମାସରେ କେତେ ରୋଗୀଙ୍କୁ ସେବା ମିଳିଛି, କେତେ ଔଷଧ ଦିଆଯାଇଛି ଜଣାଅ: ହାଇକୋର୍ଟ

ଏସ୍‌ସିବି ପରିସରରେ ଡେ’ ଆଣ୍ତ ନାଇଟ୍‌ ଔଷଧ ଦୋକାନ ଚୁକ୍ତି ନବୀକରଣ ପ୍ରସଙ୍ଗ

କଟକ: ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ସଞ୍ଜିବନୀ ମେଡିସିନ୍‌ ଷ୍ଟୋର‌୍‌ର ଦୁଇଟି ଡେ’ ଆଣ୍ତ ନାଇଟ୍‌ ଔଷଧ ଦେକାନର ଚୁକ୍ତି ନବୀକରଣ ଆବେଦନ ଖାରଜ କରାଯିବା ମାମଲାରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ତପୀଠ ମାମଲାର ଶୁଶାଣି କରି ସ୍ବାସ୍ଥ୍ୟ ସଚିବ ଓ ଏସ୍‌ସିବି ଅଧୀକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି। ଗତ ତିନିମାସ ମଧ୍ୟରେ ଇନ୍‌ଡୋର୍‌ ଓ ଆଉଟଡୋର୍‌ରେ କେତେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ତାହା ଜଣାଇବାକୁ କୁହାଯାଇଛି। ଏଥିସହିତ ରୋଗୀଙ୍କୁ ମେଡିକାଲ ପ୍ରେସ୍‌କ୍ରିପସନ୍‌ ମାଧ୍ୟମରେ କେତେ ପରିମାଣର ଔଷଧ ଓ ଜୀବନରକ୍ଷାକାରୀ ଔଷଧ ଯୋଗାଣ କରାଯାଇଛି ତାହା ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଶାଣି ମେ’ ୬ ତାରିଖରେ କରାଯିବ। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଜ୍ଞାନଲୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ମେଡିକାଲ୍‌ ପରିସରରେ ୨୪ଘଣ୍ଟିଆ ଔଷଧ ଯୋଗାଣ ପାଇଁ ଡେ’ ଆଣ୍ତ ନାଇଟ୍‌ ଔଷଧ ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ, ପୂର୍ବରୁ ଏସ୍‌ସିବିର ଉଭୟ ଗେଟ୍‌ ପାଖରେ ଦୁଇଟି ପର୍ଯ୍ୟାୟରେ ସଞ୍ଜିବନୀ ମେଡିସିନ୍‌ ଷ୍ଟୋର‌୍‌ ପକ୍ଷରୁ ଦୁଇଟି ଔଷଧ ଦୋକାନ ଖୋଲାଯାଇଥିଲା। ୨୪ଘଣ୍ଟା ଧରି ଏହି ଦୁଇଟି ଔଷଧ ଦୋକାନ ଦ୍ବାରା ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯାଉଛି।

ତେବେ ୨୦୧୫ରେ ନିରାମୟ ଜରିଆରେ ଔଷଧ ଯୋଗାଇ ଦେବାପାଇଁ ସରକାର ନିଷ୍ପତ୍ତି ନେବାରୁ ମେଡିକାଲ ପରିସରରୁ ଦୁଇଟି ଔଷଧ ଦୋକାନ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ବିରୋଧରେ ଅବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବେଳେ ଏହା ଉପରେ ରହିତାଦେଶ ଜାରି ହୋଇଥିଲା। ପରବର୍ତ୍ତୀ ସମୟରେ ଧାର୍ଯ୍ୟ ଦେୟ ଦେଇ ଚୁକ୍ତି ନବୀକରଣ ପାଇଁ କୋର୍ଟ ଆବେଦନକାରୀଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ୨୦୧୮ରେ ଚୁକ୍ତି ନବୀକରଣ କରାଯାଇଥିଲା। ହେଲେ ଚଳିତବର୍ଷ ଚୁକ୍ତି ନବୀକରଣ ଆବେଦନକୁ ଏସ୍‌ସିବି କତ୍ତୃର୍ପକ୍ଷ ଖାରଜ କରିଥିଲେ।

ତେଣୁ ଏହାକୁ ଚାଲେଞ୍ଜ କରି ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ମେଡିକାଲ୍‌ ପରିସରରେ ଷ୍ଟୋର୍‌ ଖୋଲାଯାଇଥିବା ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା। ସମସ୍ତ ରୋଗୀଙ୍କ ପାଖରେ ମାଗଣା ଔଷଧ ପହଞ୍ଚିବା ଲକ୍ଷ୍ୟ ନେଇ ଏହା କରାଯାଇଥିବା ବେଳେ ଉକ୍ତ ଦୁଇ ଘରୋଇ ଔଷଧ ଦୋକାନ ଦ୍ବାରା ଲକ୍ଷ୍ୟ ପୂରଣରେ ବାଧା ଉପୁଜୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ୭ବର୍ଷ ଧରି ଉକ୍ତ ଦୁଇ ଘରୋଇ ଔଷଧ ଦୋକାନ ମେଡିକାଲ ପରିସରରେ ରହିଆସିଛି। ଗୋଟିଏ ପଟେ ସରକାର ଏପରି ୨୪ ଘଣ୍ଟିଆ ଔଷଧ ଦୋକାନକୁ ଚୁକ୍ତି ନବୀକରଣ କରିବାକୁ ମନା କରୁଥିଲାବେଳେ ଅନ୍ୟପଟେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ତେଣୁ ରୋଗୀମାନଙ୍କ ଜୀବନ ରକ୍ଷା ପାଇଁ ଔଷଧ ଯୋଗାଣ ସ˚ପର୍କିତ ଏହି ପ୍ରସଙ୍ଗ ଏକ ଗୁରୁତର ପ୍ରସଙ୍ଗ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ତିନିମାସ ମଧ୍ୟରେ କେତେ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇଛି ଏବ˚ ମେଡିକାଲ ପ୍ରେସକ୍ରିପସନ ଜରିଆରେ କେତେ ଔଷଧ ଯୋଗାଣ ହୋଇଛି ତାହାର ବିବରଣୀ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସ୍ବାସ୍ଥ୍ୟ ସଚିବ ଓ ଏସ୍‌ସିବି ଅଧୀକ୍ଷକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର