ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏବେ ମାତ୍ର ୪୦ ରୋଗୀ; ହସ୍ପିଟାଲ-୧ରେ ମାତ୍ର ୨; ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇପାରୁନି ୩ ମହଲା କୋଠା

କଟକ: ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ୫ଶହ ଶଯ୍ୟା ବ୍ୟବସ୍ଥା ଥିବା ବେଳେ ସେଠାରେ ଚିକିତ୍ସିତ ହେଉଛନ୍ତି ମାତ୍ର ୪୦ ସଂକ୍ରମିତ। ଅନ୍ୟପଟେ ଏବେ କୋଭିଡ ହସ୍ପିଟାଲ-୧ରେ ମାତ୍ର ୨ଜଣ ସଂକ୍ରମିତ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ସେଠାରେ ସଂପୂର୍ଣ୍ଣ କୋଠାର ତୃତୀୟ ଫ୍ଲୋର୍ ଅନ୍ୟ ବ୍ୟବହାର ପାଇଁ ବନ୍ଦ ହୋଇ ରହିଛି। କିନ୍ତୁ ସେଠାରେ ସିକେଡି ରୋଗୀଙ୍କ ପାଇଁ ଡାଏଲିସିସ୍‌ ବ୍ୟବସ୍ଥା ଥିବାରୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ-୨ରୁ ମଧ୍ୟ ରୋଗୀ ଡାଏଲିସିସ୍‌ ପାଇଁ ତାହା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଗୋ‌ଟିଏ ସ୍ଥାନରେ କୋଭିଡ୍‌ ହସ୍ପିଟାଲ ବା ସଂକ୍ରମିତଙ୍କୁ ରଖାଯାଇ ଚିକିତ୍ସା ସୁବିଧା ଦେଲେ ହୁଏତ କୋଭିଡ୍‌ ହସ୍ପିଟାଲ ପାଇଁ ବ୍ୟବହାର ‌ହେଉଥିବା ବର୍ହିବିଭାଗର ୨ଟି ଫ୍ଲୋର ଓ ତା’ ଉପରେ ଥିବା ଫ୍ଲୋର ଅନ୍ୟ କାର୍ଯ୍ୟରେ ବିନିଯୋଗ ହୋଇପାରନ୍ତା। ଉତ୍ସର୍ଗୀକୃତ (ଡେଡିକେଟେଡ କୋଭିଡ) ହସ୍ପିଟାଲ ଏସ୍‌ସିବିରେ ଖୋଲିବା ପାଇଁ ରାଜ୍ୟ ସରକାର ସେପ୍ଟେମ୍ବରରେ କଟକ ଜିଲ୍ଲାପାଳ, ଏସସିବି କର୍ତୃପକ୍ଷ, କଟକ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଥିଲେ। ଶୀଘ୍ର ନୂଆ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ଚିଠିରେ ସ୍ପଷ୍ଟ କରିଥିଲେ।

ଏସସିବି ନୂଆ ମେଡିସିନ ୱାର୍ଡରେ ଏହି ହସ୍ପିଟାଲ ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ମାତ୍ର ଏହି ମେଡିକାଲ ଦୁଇମାସ ପରେ ଅର୍ଥାତ ଅକ୍ଟୋବର ୨୭ରେ ଆରମ୍ଭ ‌ହୋଇଥିଲା। ସଂକ୍ରମଣ କମିଲା ବେଳକୁ ଏସ୍‌ସିବିରେ ଆରମ୍ଭ ହେଲା କୋଭିଡ୍‌ ହସ୍ପିଟାଲ। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏସ୍‌ସିବିରେ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲାଯିବା ଦିନଠୁ ଆଜି ପର୍ଯ୍ୟନ୍ତ (ଅକ୍ଟୋବର ୨୭ ତାରିଖପରଠାରୁ) କେବେ ବି ୨ଶହରୁ ଅଧିକ ଟପିନି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୁରୁବାର ତଥ୍ୟକୁ ଯଦି ଦେଖାଯାଏ ତାହେଲେ କୋଭିଡ୍‌-୧ ହସ୍ପିଟାଲରେ ଆଇସିୟୁରେ ୨ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୱାର୍ଡରେ ଖାଲି ପଡିଛି। ଏପଟେ ନିୟୁ ମେଡିସିନ୍‌ ବିଭାଗ କୋଠାରେ ଖୋଲାଯାଇଥିବା କୋଭିଡ୍‌ ହସ୍ପିଟାଲ ୨ରେ ୩୫ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେଥିରୁ ୬ଜଣ ଆଇସିୟୁରେ ଥିବାବେଳେ ବ୍ରହ୍ମପୁର, ରାୟଗଡା ଓ କେନ୍ଦୁଝର ତଥା‌ ବିଭିନ୍ନ ଜିଲ୍ଲାର ସଂକ୍ରମିତ ଏଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି। କଟକରେ ଏବେ କୋଭିଡ୍‌ ଆକ୍ରାନ୍ତଙ୍କ ଏକମାତ୍ର ଭରସା‌ ହେଉଛି ଏସ୍‌ସିବି। ଏସ୍‌ସିବି ବର୍ହିବିଭାଗରେ ଖୋଲାଯାଇଥିବା ଆଇସୋଲେସନ୍‌ ୱାର୍ଡକୁ ପରବର୍ତ୍ତୀ ସମୟରେ ହସ୍ପିଟାଲକୁ ରୂପାନ୍ତରିତ କରାଯାଇଥିଲା। ପ୍ରଥମେ ସଂପୂର୍ଣ୍ଣ କୋଠାକୁ କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ରଖାଯାଇଥିଲା।

ଏବେ ସଂକ୍ରମିତଙ୍କ ସଂଖ୍ୟା କମିବା ଓ ନିୟୁ ମେଡିସିନ୍‌ ବିଭାଗରେ କୋଭିଡ୍‌ ହସ୍ପିଟାଲ ଖୋଲିବା ପରେ ଚକ୍ଷୁ ବିଭାଗକୁ ୨ୟ ଓ ୩ମହଲା ହସ୍ତାନ୍ତର କରାଯାଇଛି। ଯାହାଫଳରେ ୨ୟ ମହଲାରେ ଚକ୍ଷୁ ବିଭାଗ ଓଟି ଆରମ୍ଭ ହେବା ସହ ସେହି ମହଲାରେ ଥିବା କ୍ୟାବିନ୍‌କୁ ବ୍ୟବହାର କରାଯାଉଛି। କିନ୍ତୁ ୩ୟ ମହଲା ଆଜି ପର୍ଯ୍ୟନ୍ତ ବ୍ୟବହାରରେ ଆସିପାରିନି। ଅନ୍ୟପଟେ ୪ ମହଲା କୋଠାର ପ୍ରଥମ ମହଲାରେ ଡାଏଲିସିସ୍‌ ଓ ଓପିଡି ରହିଥିବାବେଳେ ୪ର୍ଥ ମହଲା‌ରେ ଆଇସିୟୁ ଓ ୱାର୍ଡ ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଏସ୍‌ସିବିରେ କୋଭିଡ୍‌ ହସ୍ପିଟାଲ ୧କୁ ବନ୍ଦ କରାଯାଇ ଯଦି ପୂର୍ବପରି ଏହି କୋଠା ଯେମିତି ବ୍ୟବହାର କରାଯାଉଥିଲା ସେଭଳି କରାଗଲେ ରୋଗୀ ଉପକୃତ ହୋଇ ପାରନ୍ତେ। କିନ୍ତୁ ୨ୟ ଲହର ଆଶଙ୍କା, ଟିକାକରଣ, ମ୍ୟୁଟେନ୍‌ ‌ଷ୍ଟ୍ରେନ୍‌ ସହ ଯେହେତୁ ସରକାର ସମସ୍ତ ଘରୋଇ କୋଭିଡ୍‌ ହସ୍ପିଟାଲ ବନ୍ଦ କରିଦେଇଛନ୍ତି ତେଣୁ ସଂକ୍ରମଣ କମୁ୍‌ଥିଲେ ମଧ୍ୟ ୫୦୦ଶଯ୍ୟା ବିଶିଷ୍ଟ ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସରକାର ବନ୍ଦ କରିବେ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର