ଓଡ଼ିଆ ଓ ସମ୍ବଲପୁରୀ କୋଶଲି ଭାଷା ଦୁଇ ଭଉଣୀ: ଅରବିନ୍ଦ ଦାସ

କଟକ: ନୂଆଖାଇ ଅନନ୍ୟ ଗଣପର୍ବ। ପଶ୍ଚିମ ଓଡ଼ିଶା ଯେପରି ଏକ ସେତୁ ବନ୍ଧ ବାନ୍ଧିଲା ପରି ସାରା ଓଡ଼ିଶାକୁ ବାନ୍ଧି ରଖିଛି। ଏହି ପର୍ବରେ ଭାଇଚାରା ସୃଷ୍ଟି ହୋଇଥାଏ।  ସାରା ପୃଥିବୀରେ ଜଗତୀକରଣ, ଶିଳ୍ପ ବିପ୍ଳବ, ଆଧୁନିକରଣ ଏହି ସବୁ ମିଶ୍ରଣରେ ଏକାନ୍ନବର୍ତ୍ତୀ ପରିବାରର ଯେଉ ଚିନ୍ତାଧାରା ରହିଥିଲା ସେସବୁ ଏବେ ମଉଳି ଯିବାକୁ ଲାଗିଲାଣି। ସୁସ୍ଥ ସମାଜ ଓ ଏକାନ୍ନବର୍ତ୍ତୀ ପରିବାର ଲାଗି ସମସ୍ତଙ୍କୁ ପ୍ରୟାସ କରିବା ଆବଶ୍ୟକ ରହିଛି।
ଏହି ପର୍ବଟି କେବଳ ସାମାଜିକ ନୁହେଁ ଏହା ଆଧ୍ୟାତ୍ମିକ ଓ ପରିବେଶକୁ ନେଇ ଜଡିତ ରହିଥାଏ। ସମାଜର ଭାଷା, ସାହିତ୍ୟ, ସାଂସ୍କୃତିକକୁ କିପରି ଏକାନ୍ନବର୍ତ୍ତୀ ପରିବାର ହୋଇ ରହିବ ଏହା ଚିନ୍ତା କରିବାର ସମୟ ରହିଛି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳଚକ୍ରର ଅଧକ୍ଷା ତଥା ପୂର୍ବତନ ମହିଳା କମିସନର ଅଧ୍ୟକ୍ଷା ନମିତା ପଣ୍ଡା କହିଛନ୍ତି।

ନୂଆଖାଇ ଏକ ଗଣପର୍ବ। କେବଳ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁହେଁ, ସମଗ୍ର ବିଶ୍ୱରେ ଏକମାତ୍ର ପର୍ବ ଯେଉଁ ପର୍ବ ଵିଶ୍ୱାୟନର ସମସ୍ତ ପ୍ରକାର ଆକ୍ରମଣ ସତ୍ୱେ ଏକାନ୍ନବର୍ତ୍ତୀ ପରିବାର ବ୍ୟବସ୍ଥାକୁ ପୁଣି ବଞ୍ଚେଇକି ରଖି ପାରିଛି। ସେହିପରି ଭାଷା ଆମର ମା। ଆମ ଭାଷାକୁ ଆଦୌ ହତାଦର କରିବା ଉଚିତ ନୁହେଁ। ବିଶ୍ୱର ଯେଉଁ ସ୍ଥାନରେ ଥିଲେ ମଧ୍ୟ ଆମେ ନିଜ ଭାଷାରେ କଥା ହେବ ଆବଶ୍ୟକ। ଆମେ ଆମ ମାଆକୁ ଯେଉଁପରି ସମ୍ମାନ ଦେଉଛେ ସେପରି ଆମ ମାଉସୀଙ୍କୁ ସମ୍ମାନ ଦେବା ଓ ବିଶ୍ୱର ଯେକୌଣସି ଭାଷା ରହିଛି ତାକୁ ମଧ୍ୟ ସମ୍ମାନ ଦେବ ଉଚିତ। ଓଡ଼ିଆ ଭାଷାକୁ ଯେପରି ବୁଝିବାକୁ ଚେଷ୍ଟା କରିବା ସେହିପରି ସମ୍ବଲପୁରୀ କୋଶଲିକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା ଉଚିତ।   ଗତ ୩୦ ବର୍ଷ ମଧ୍ୟରେ ଓଡ଼ିଆ ଭାଷାର ଯେପରି ଅଗ୍ରଗତି ହୋଇ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇଛି। ଜଗତିକରଣ ପକ୍ରିୟା ସତ୍ୱେ ଠିକ ସେପରି ସମ୍ବଲପୁରୀ କୋଶଲି ଭାଷା ମଧ୍ୟ ସେହି ଦିଗରେ ଯାଉଛି, ଯାହାକି ସମ୍ବିଧାନର ଅଷ୍ଟମସୂଚୀରେ ସ୍ଥାନ ପାଇବା ପାଇଁ ଯୋଗ୍ୟତା ହାସଲ କରୁଛି। ଦେଶର ଶହେଟି ଭାଷା ମଧ୍ୟରେ ଏହି ଦୁଇଟି ଭାଷା ରହିବ ବୋଲି ମୁ ଆଶାବାଦୀ ରହିଛି। ଯେପରି ଦୁଇ ଭଉଣୀଙ୍କ ସମ୍ପର୍କରେ ନିବିଡ଼ତା ରହିଛି ତାହା ଅନ୍ୟ କୌଣସି ସମ୍ପର୍କ ସହ ତୁଳନୀୟ ନୁହେଁ। ହେଲେ ଓଡ଼ିଶାରେ ସାମାନ୍ୟ ଭାବେ ଏଥିରେ ବ୍ୟତିକ୍ରମ ଦେଖା ଦେଉଛି। ଯେଉଁମାନେ ଉପକୂଳ ଓଡ଼ିଶାର ଅଧିବାସୀ, ଯେଉଁମାନେ ଓଡ଼ିଆ ଭାଷାଭାଷୀ ତାଙ୍କୁ ଆମେ ବଡ଼ମାଆ ବୋଲି କହିବା ତେବେ ସାନଭଉଣୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଅଞ୍ଚଳର ଲୋକେ। ଯଦି ଦୁଇ ଭଉଣୀ ମଧ୍ୟରେ ସମ୍ପର୍କ ଠିକ ନ ରହିଲା, ତେବେ ଓଡ଼ିଶାର ଭାବଗତ ଏକତା ଓ ସଙ୍ଗତି ଆଦୌ ଠିକ ଭାବରେ ରହି ପାରିବ ନାହିଁ। ଦୁଇ ଭଉଣୀ ମଧ୍ୟରେ ଆଦୌ ବିଦ୍ବେଷ ରହିବା ଉଚିତ ନୁହେଁ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସିଜିଏମ (ନ୍ୟୁଜ) ଅରବିନ୍ଦ ଦାସ କହିଛନ୍ତି।
ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ନୂଆଖାଇ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୀଳଚକ୍ର ଅଧ୍ୟକ୍ଷା ତଥା ପୂର୍ବତନ ମହିଳା କମିସନର ଅଧ୍ୟକ୍ଷା ନମିତା ପଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ସିଜିଏମ (ନ୍ୟୁଜ) ଅରବିନ୍ଦ ଦାସ ଯୋଗଦେଇଥିଲେ। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଗଠନ ସମ୍ପାଦକ ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ଶିବାଶିଷ କର ଧନ୍ୟବାଦ ଅର୍ପଣ କରିଥିଲେ।
କଣ୍ଠଶିଳ୍ପୀ ମୁରଲୀଧର ଶତପଥୀ ସଂଗୀତ ପରିବେଷଣ କରିଥିବାବେଳେ ନୂଆଖାଇ ଅବସରରେ କବିତା ପାଠ କରାଯାଇଥିଲା।

ସମ୍ବନ୍ଧିତ ଖବର