ନୂଆପଲ୍ଲୀ ହଜ ଜବରଦଖଲ ପ୍ରସଂଗ: ଏନ୍‌ଜିଟିଙ୍କ ଜବାବ ତଲବ

ବିଏମସି କମିସନରଙ୍କ ଚିଠି ଉପରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ

କଟକ: ଭୁବନେଶ୍ବର ନୂଆପଲ୍ଲୀ ହଜ ଜବରଦଖଲ ପ୍ରସଂଗକୁ ନେଇ ଦାୟର ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଜବାବ ତଲବ କରିଛନ୍ତି। ରାଜ୍ୟ ସାଧାରର ପ୍ରଶାସନ ବିଭାଗ, କେନ୍ଦ୍ରାଞ୍ଚଳ ଆରଡିସି, ବିଏମସି କମିସନର, ବିଡିଏ ଉପାଧ୍ୟକ୍ଷ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଅନ୍ୟମାନଙ୍କୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮, ଜୁଲାଇ ୨୫ରେ ବିଏମସି କମିସନର ନୟାପଲ୍ଲୀ ହଜରୁ ଜବରଦଖଲ ଉଚ୍ଛେଦ ପ୍ରସଂଗରେ ଜାରି କରିଥିବା ଚିଠି ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ବିଏମସି କମିସନରଙ୍କ ଏହି ଚିଠି ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଦାଖଲ କରାଯିବାକୁ ଥିବା ସତ୍ୟପାଠରେ ସ୍ପଷ୍ଟ କରାଯିବ ବୋଲି ଏନଜିଟି କହିଛନ୍ତି। ଏନଜିଟି ଶ୍ରୀକାନ୍ତ କୁମାର ପାକଳ ଓ ନଟବର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ନୟାପଲ୍ଲୀ ହଜ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନୟାପଲ୍ଲୀ ମୌଜାରେ ରହିଛି। ଏହି ପ୍ରାକୃତିକ ଜଳ ନଷ୍କାସନ ପଥ ଜବରଦଖଲରେ ରହିଛି ବୋଲି ଦର୍ଶାଇ ଆବେଦନକାରୀ ଏନଜିଟିରେ ମାମଲା ରୁଜୁ କରିଛନ୍ତି। ୭ ଏକର ପରିମିତ ଅଞ୍ଚଳରେ ନୟାପଲ୍ଲୀ ହଜ ରହିଛି। ସରକାରୀ ରେକର୍ଡରେ ନୟାପଲ୍ଲୀ ହଜ ଜମିର କିସମ ପୋଖରୀ ରହିଥିବା ବେଳେ ମନ୍ତବ୍ୟ ସ୍ଥାନରେ ହଜ/ପୋଖରୀ ବୋଲି ଉଲ୍ଲେଖ ରହିଛି। ୨୦୧୮, ଜୁଲାଇ ୨୫ର ବିଏମସି କମିସନରଙ୍କ ଚିଠିରେ ନୟାପଲ୍ଲୀ ହଜରୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିିଆଯାଇଥିଲା। କିନ୍ତୁ ଏହା ଉପରେ ଏବେ ମଧ୍ୟ ଜବର ଦଖଲ ରହିଛି। ସେଠାରେ ଅଳିଆ ଅବର୍ଜନା ପକାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର