କଟକ: ସରକାରଙ୍କ ନୂଆ ମୋଟରଯାନ ଆଇନ ବଳରେ ଏବେ ସବୁ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର୍ ପ୍ଲେଟ୍ (ଏଚ୍ଏସ୍ଆର୍ପି) ଲଗାଇବା ବାଧ୍ୟତାମୂଳକ। ନିର୍ଦ୍ଧାରିତ ତାରିଖ ପୂର୍ବରୁ ନମ୍ବର ପ୍ଲେଟ୍ ନ ଲଗାଇଲେ ଏଥିପାଇଁ ଜରିମାନା ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗର ଏହି କଡ଼ା ନିୟମ ଯୋଗୁଁ ଲୋକମାନେ ଏବେ ନମ୍ବର ପ୍ଲେଟ୍ ଲଗାଇବାକୁ ବ୍ୟଗ୍ର। ସରକାରଙ୍କ ଏହି କଡାକଡି ନିୟମ ଭିତରେ ରାଜ୍ୟର ୮୦ଲକ୍ଷ ଗାଡି ମାଲିକ ଅଛନ୍ତି। ପ୍ରତିଦିନ ଏଥିପାଇଁ ୨୦ ହଜାରରୁ ଅଧିକ ସ୍ଲଟ୍ ବୁକିଂ ହେଉଛି। ଏବେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ସ୍ଲଟ୍ ବୁକିଂ ପାଇଁ ଅନ୍ଲାଇନ୍ରେ ଗାଡ଼ି ମାଲିକମାନେ ଟଙ୍କା ପୈଠ କରୁଛନ୍ତି। ଏଥିପାଇଁ ବାଇକ୍, କାର୍ ଓ ଅନ୍ୟ ଗାଡ଼ି ପାଇଁ ଅଲଗା ଅଲଗା ଦର ଧାର୍ଯ୍ୟ ହୋଇଛି। ଟଙ୍କା ଅନ୍ଲାଇନ୍ ପୈଠ କରି ସାରିବା ପରେ ଯେଉଁ ତାରିଖରେ ନମ୍ବର୍ ପ୍ଲେଟ୍ ଲଗାଇବାକୁ ସ୍ଲଟ୍ ଆସୁଛି, ସେଇ ତାରିଖରେ କିନ୍ତୁ ନମ୍ବର୍ ପ୍ଲେଟ୍ ମିଳି ପାରୁ ନାହିଁ। ଫଳରେ ପ୍ରତିଦିନ ଶହ ଶହ ଗାଡ଼ି ମାଲିକ ନିରାଶ ହେଊଛନ୍ତି। ବାରମ୍ବାର ଡିଲର୍ଙ୍କ ପାଖକୁ ଯିବାକୁ ପଡୁଛି। ଏହି ବିଭ୍ରାଟକୁ ନେଇ ଏବେ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଲଟ୍ ଅନୁସାରେ ନମ୍ବର୍ ପ୍ଲେଟ୍ ଦେଇ ପାରୁ ନଥିବାରୁ ଏବେ ସବୁ ଡିଲର୍ଙ୍କ ପାଖରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଡିଲର୍ମାନେ ବିଭାଗ (ଆର୍ଟିଓ)ଙ୍କ ଦୋଷ ଦେଉଛନ୍ତି। ସେମାନେ ଅନ୍ଲାଇନ୍ ସ୍ଲଟ୍ ଦେଉଛନ୍ତି, ମାତ୍ର ନମ୍ବର ପ୍ଲେଟ୍ ପଠାଉ ନଥିବା କହୁଛନ୍ତି। ଏହି ବିଭ୍ରାଟ ଏବେ ପ୍ରତିଦିନ ବଢ଼ିବାରେ ଲାଗିଛି।
ତଥ୍ୟ ମୁତାବକ, ବିଦ୍ୟାଧରପୁର ଅଞ୍ଚଳର ସତ୍ୟଜିତ୍ ନାମକ ଯୁବକ ନିଜର ବାଇକ୍ରେ ଏକ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ଗତ ୧୦ ତାରିଖରେ ସ୍ଲଟ୍ ବୁକିଂ କରିଥିଲେ। ଅନ୍ଲାଇନ୍ରେ ସେ ୩୭୭ ଟଙ୍କା ପୈଠ କରିଥିଲେ। ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ତାଙ୍କ ସ୍ଲଟ୍ର ବିବରଣୀ ଥିଲା। ତାଙ୍କୁ ୧୬ ତାରିଖ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସନଥାଲିଆ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍, ଖାନ୍ନଗରକୁ ଆସି ନମ୍ବର୍ ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା। ସତ୍ୟଜିତ ନିର୍ଧାରିତ ତାରିଖ ଓ ସମୟ ପୂର୍ବରୁ ସେଠାରେ ପହଞ୍ଚିଥିଲେ। ମାତ୍ର ନମ୍ବର୍ ପ୍ଲେଟ୍ ଆସି ନାହିଁ ବୋଲି ଡିଲର୍ କହିଥିଲେ। ଏପରିକି ନମ୍ବର୍ ପ୍ଲେଟ୍ ଆସିବା ନେଇ ସେମାନେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ନମ୍ବର ପ୍ଲେଟ୍ ଆସି ନାହିଁ ବୋଲି ସତ୍ୟଜିତ୍ ଡିଲର୍ଙ୍କ ଠାରୁ ଲିଖିତ ଭାବେ ମାଗିଥିଲେ, ଯାହା କର୍ମଚାରୀ ଲିଖିତ ଭାବେ ମଧ୍ୟ ଦେଇଥିଲେ। ନମ୍ବର ପ୍ଲେଟ୍ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ବେଳେ ଅନ୍ଲାଇନ୍ରେ କିନ୍ତୁ ଲୋକଙ୍କ ପାଖକୁ ସ୍ଲଟ୍ ଆସୁଛି। ସେପଟେ, ସ୍ଲଟ୍ ମୁତାବକ ନମ୍ବର ପ୍ଲେଟ୍ ଆସୁ ନାହିଁ। ଫଳରେ ଡିଲର୍ ଓ ଗ୍ରାହକଙ୍କ ମଧ୍ୟରେ ଅଯଥା ବିବାଦ ଦେଖା ଦେଉଛି। ପରିବହନ ବିଭାଗ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।