କଟକ: ନର୍ସିଂ ଅଫିସର ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ସଂପର୍କିତ ମାମଲାକୁ ହାଇକୋର୍ଟ ଶୁଣାଣି ପାଇଁ ଗ୍ରହଣ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ସହିତ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ନର୍ସିଂ ଅଫିସର ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଆଧାରରେ ପଦ ପୂରଣ ପ୍ରସଂଗ ବିଚାରାଧୀନ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ତ୍ରିଲୋଚନ ସ୍ବାଇଁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଡିସେମ୍ବର ୪ରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ୬୪୩୨ଟି ଚୁକ୍ତିଭିତ୍ତିକ ଜିଲ୍ଲା ସ୍ତରୀୟ ନର୍ସିଂ ଅଫିସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବଶ୍ୟକ ଶିକ୍ଷାଗତ େଯାଗ୍ୟତା ଥିବା ଆବେଦନକାରୀ ଏହି ପଦବି ପାଇଁ ଆବେଦନ କରିଥିଲେ। ୨୦୨୧, ଫେବ୍ରୁଆରି ୭ରେ ଆବେଦନକାରୀ ଅନ୍ୟ ପ୍ରାର୍ଥୀଙ୍କ ସହିତ ଲିଖିତ ପରୀକ୍ଷା ଦେଇଥିଲେ।
ପରବର୍ତ୍ତୀ ସମୟରେ ଆୟୋଗ ପକ୍ଷରୁ ପ୍ରକାଶିତ ନମୁନା ଉତ୍ତରରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଖାତା ଠିକ୍ ଭାବେ ମୂଲ୍ୟାୟନ କରାଯାଇ ନାହିଁ। ଅନ୍ୟପକ୍ଷରେ ଗତ ମେ ୭ରେ ଆୟୋଗ ପକ୍ଷରୁ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ନାଁ ଏଥିରେ ନଥିଲା। ଆବେଦନକାରୀଙ୍କ ଖାତା ଠିକ୍ ଭାବେ ମୂଲ୍ୟାୟନ ହୋଇ ନଥିବାରୁ ଓ ପ୍ରଦାନ କରାଯାଇଥିବା ଉତ୍ତର ଅନୁସାରେ ମାର୍କ ମିଳିନଥିବାରୁ ସେ ଏଥିରୁ ବାଦ ପଡିଥିଲେ ବୋଲି ଅଭିେଯାଗ କରି ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି। ତାଙ୍କ ଖାତା ଠିକ୍ ଭାବେ ମୂଲ୍ୟାୟନ କରାଯାଇ ଉପଯୁକ୍ତ ମାର୍କ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ଖାତା ମୂଲ୍ୟାୟନ କ୍ଷେତ୍ରରେ ଏପରି ଅନିୟମିତତାର ଏକ ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ରାୟଗୁରୁ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/highcourt-1.jpg)