ବାରବାଟୀରେ ଓସିଏ ପ୍ରୋତ୍ସାହିତ ଲୁଟ୍! ଖାଦ୍ୟରେ ପ୍ରସ୍ତୁତି ତାରିଖ କି କମ୍ପାନି ନାଁ ନାହିଁ
କୁଆଡ଼େ ଗଲେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ, ପୁଲିସ, ପ୍ରଶାସନ?
କଟକ: ସୁରକ୍ଷା ବାହାନାରେ ବାହାରୁ ଖାଦ୍ୟ, ପାଣି ନେବା ବନ୍ଦ କରିଦେଲେ। ହେଲେ ଭିତରେ ଯେଉଁ ଖାଦ୍ୟ ଆଉ ଥଣ୍ଡା ପାନୀୟ ବିକ୍ରି ହେଲା, ସବୁର ଦର ଦୁଇ/ତିନି ଗୁଣାରୁ ବି ଅଧିକ। ଖାଦ୍ୟ ସାମଗ୍ରୀ ଉପରେ ପ୍ରସ୍ତୁତି ତାରିଖ କି ପ୍ରସ୍ତୁତକାରୀ କଂପାନିର ନାଁ ବି ନାହିଁ। ଅନ୍ତର୍ଜାତୀୟ ମ୍ୟାଚ୍ରେ ବାରବାଟୀରେ ଏଭଳି ଖାଦ୍ୟ, ପାନୀୟ ବ୍ୟବସାୟ ପଛରେ କାହାର ହାତ ରହିଛି, ତାହାକୁ ନେଇ ଏବେ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ଟିକେଟ୍ ତ ଖୁଲମଖୁଲା ବ୍ଲାକ୍ ଚାଲିଛି। ଖାଦ୍ୟ ସାମଗ୍ରୀ ବି ବ୍ଲାକ୍ ହେଲା। କିନ୍ତୁ ଲୋକଙ୍କ ସହାୟତା ପାଇଁ କଟକ ମହାନଗର ନିଗମ ସ୍ବତନ୍ତ୍ର ଷ୍ଟଲ୍ ଖୋଲିଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅଧିକାରୀ କୁଆଡ଼େ ଗଲେ ବୋଲି ଲୋକ ପ୍ରଶ୍ନ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପିସ୍ ମୋମୋକୁ ୧୫୦ ଟଙ୍କା; ପେଟିସ୍ ୭୦, କୋଲ୍ଡ ଡ୍ରିଙ୍କସ୍ ଗ୍ଲାସ୍ ୫୦ ଟଙ୍କା
ଟଙ୍କିଆ ନଳି ପ୍ୟାକେଟ୍ ୩୦ ଟଙ୍କାରେ ବିକ୍ରି
ଯେଉଁ ପେଟିସ୍ ବାହାରେ ୩୦ରୁ ୪୦ଟଙ୍କା ଭିତରେ ବିକ୍ରି ହୁଏ, ଆଜି ବାରବାଟୀ ଭିତରେ ତାହା ୭୦ ଟଙ୍କାରେ ବିକ୍ରି କରାଯାଉଥିଲା। ୫ପିସ୍ ଭେଜ୍ ମୋମୋର ଦାମ୍ ଥିଲା ୧୦୦ ଟଙ୍କା ଓ ନନଭେଜ୍ ମୋମୋର ଦର ଥିଲା ୧୫୦ ଟଙ୍କା। ନଳି, ଚକ୍ରି, ପପ୍ କର୍ଣ୍ଣ, ମୁଡୁକି ଇତ୍ୟାଦି ଯେଉଁ ଛଣା ଖାଦ୍ୟ ଖୋଲା ବଜାରରେ ୫/୧୦ ଟଙ୍କାରେ ବିକ୍ରି, ଷ୍ଟାଡିୟମ୍ ଭିତରେ ଆଜି ତା’ର ଦର ଥିଲା ୩୦ ଟଙ୍କା। କୋଲଡ୍ରିଙ୍କସ୍ ଗ୍ଲାସ୍ ଦର ଥିଲା ୫୦ ଟଙ୍କା। ଭେଜ୍ ମାଞ୍ଚୁରିଆନ୍ ୧୦୦ ଓ ନନ୍ ଭେଜ୍ ମାଞ୍ଚୁରିଆନ୍ ୧୫୦ଟଙ୍କାରେ ବିକ୍ରି ହେଉଥିଲା। ଭେଜ୍ ନୁଡୁଲସ୍ ୧୦୦ ଟଙ୍କା ଓ ନନ୍ ଭେଜ୍ ନୁଡୁଲସ୍ ୧୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ପିସ୍ ପେଟିସ୍ର ମୂଲ୍ୟ ଥିଲା ୭୦ ଟଙ୍କା। କାଠି ଆଇସ୍କ୍ରିମ୍ ଦାମ ଥିଲା ୩୦ ଟଙ୍କା।
କୋକାକୋଲା, ୱାଓ, ନରୁଲା କୁଲଫି ଭଳି ନିର୍ଦ୍ଦିଷ୍ଟ ଭାବେ ତିନୋଟି କମ୍ପାନି ପକ୍ଷରୁ ଆଜି ବିଭିନ୍ନ ଖାଦ୍ୟ ଓ ପାନୀୟ ବିକ୍ରି କରାଯାଉଥିବା ବେଳେ ସାଦା ଜରି ପ୍ୟାକେଟ୍ରେ ବି ଛଣା ଖାଦ୍ୟ ବିକ୍ରି ହେଉଥିଲା।
ଓସିଏ କେଉଁ ଆଧାରରେ ଏଭଳି ଘରୋଇ ସଂସ୍ଥାକୁ ଖାଦ୍ୟ ବିକିବାର ଦାୟିତ୍ବ ଦେଇ ଲୋକଙ୍କୁ ଲୁଟିବାକୁ ଛାଡ଼ି ଦେଇଥିଲା, ତାହା ତଦନ୍ତସାପେକ୍ଷ। ଅନ୍ୟପଟେ ବାରବାଟୀ ମ୍ୟାଚ୍ ଆୟୋଜନ ପାଇଁ ଦିନରାତି ଏକ କରିଦେଇଥିବା ପୁଲିସ, ପ୍ରଶାସନ, କଟକ ମହାନଗର ନିଗମ ଏସବୁ ପ୍ରତି କେଉଁ କାରଣରୁ ଆଖିବୁଜି ଦେଇ ବସିଥିଲେ, ତାହା ବି ସାଧାରଣରେ ପ୍ରତିକ୍ରିୟାର କାରଣ ହୋଇଛି। ପୁଲିସ, ପ୍ରଶାସନ ଘରୋଇ ସଂସ୍ଥା ଓସିଏର ସ୍ବାର୍ଥ ଜଗିବାକୁ କାମ କରୁଛି ନା ଲୋକଙ୍କ ସ୍ବାର୍ଥ, ସୁରକ୍ଷାର ଉତ୍ତରଦାୟିତ୍ବ ନେଉଛି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।