କୁତ୍ତାଖାଇ ହତ୍ୟାକାଣ୍ଡ, ଅଭାବ ସଜାଇଲା ଅପରାଧୀ

ଗୁଣାବତୀଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ ଦୁଇ ଭାଇ

କଟକ: ହତ୍ୟାକାଣ୍ଡ ପରେ ଲାପଟପ୍ ବ୍ୟାଗ୍ ନେଇ ଦୁଇ ଭାଇ ମାତାମଠ ନିକଟରେ ଏସସିବିର ସମ୍ପ୍ରସାରଣ କାମ ଚାଲିଥିବା ସ୍ଥାନରେ ଏକ ସ୍ଲାବ୍ ତଳେ ଲୁଚାଇ ରଖିଥିଲେ। ସେଦିନ ଯେତେବେଳେ ଗୁଣାବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା, ସେହି ସମୟରେ ଦୁଇ ଭାଇ ବି ଡାକ୍ତରଖାନାରେ ଉପସ୍ଥିତ ଥିଲେ। ୧୬ ତାରିଖରେ ଗୁଣାବତୀଙ୍କ ଶବ ଘରକୁ ଆସିବା ପରେ ତେଲଗୁ ସମ୍ପ୍ରଦାୟର ସୁରକ୍ଷା ଦାବିରେ ସାହି ପଡ଼ିଶା କଳା ବ୍ୟାଜ୍ ପିନ୍ଧି ହାଡ଼ିଆ ପଠାରେ ଶବ ସଂସ୍କାର କରିବାକୁ ଯାଇଥିବା ସମୟରେ ବି ଦୁଇ ଭାଇ ସେଥିରେ ସାମିଲ ହୋଇଥିଲେ। ଏହି ଦୁଇ ଭାଇ ବି କଳା ବ୍ୟାଜ୍ ପିନ୍ଧି ହାଡ଼ିଆ ପଠାକୁ ଯାଇଥିବା ସ୍ବୀକାର କରିଛନ୍ତି। ଗଲା ୨୩ ତାରିଖରେ ସୁଦୀପ ଓ ସୁନିଲଙ୍କ ସହିତ ମୃତ ଗୁଣାବତୀଙ୍କ ପୁଅ ରବିଙ୍କର ସାହି ଭିତରେ ଭେଟ ବି ହୋଇଥିଲା। ସାହିରେ ଆଇନଶୃଙ୍ଖଳା ପରିସ୍ଥିତି ବାରମ୍ବାର ଘଟୁଥିବାରୁ ସିସି କ୍ୟାମେରା ଲଗାଇବାକୁ ରବି କହିବାରୁ ଦୁଇ ଭାଇ ସେଥିରେ ହଁ ଭରିଥିଲେ।

ସବୁରି ମୂଳରେ ଅଧ୍ୟାପିକାଙ୍କ ଅଶ୍ଳୀଳ ଫଟୋ
କୁତ୍ତାଖାଇ ଗଳିର ଗୁଣାବତୀଙ୍କ ପୁଅ ବି. ରବି କୁମାର ପଡ଼ୋଶୀ ଯୁବତୀଙ୍କ ସହ ୨୦୧୬ରୁ ୨୦୨୧ ଯାଏ ପ୍ରେମ ସମ୍ପର୍କରେ ଥିଲେ। କଟକର ଏକ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିବା ଏହି ଯୁବତୀଙ୍କ ସମ୍ପର୍କ ଏତେ ଘନିଷ୍ଠ ହୋଇଥିଲା ଯେ ପରସ୍ପର ଭିତରେ ଶାରୀରିକ ସମ୍ପର୍କ ବି ରଖିଥିଲେ। ଏହି ସମୟର ଫଟୋ ରବି ନିଜ ମୋବାଇଲରେ ଉଠାଇ ରଖି ଥିଲେ। ଯେଉଁ ଶିକ୍ଷାନୁଷ୍ଠାନରେ ଯୁବତୀ ଜଣକ ଚାକିରି କରିଥିଲେ ସେଠି ଯୋବ୍ରା ଅଞ୍ଚଳର ଆଉ ଜଣେ ଯୁବକ ବି ଅଧ୍ୟାପକ ଥିଲେ। ଯୁବତୀ ଜଣକ ରବିକୁ ଅଣଦେଖା କରି ସମ୍ପୃକ୍ତ ଅଧ୍ୟାପକ ସହକର୍ମୀଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ଏହି ଘଟଣା ରବି ଜାଣିବା ପରେ ନିଜ ହାତ ଦୁଇ ଥର କାଟି ଦେଇଥିଲେ। ସମ୍ପୃକ୍ତ ଅଧ୍ୟାପକଙ୍କ ସହିତ ୨୦୨୦ ଡିସେମ୍ବରରେ ରବି ପାଟିତୁଣ୍ଡ ବି କରିଥିଲେ। କିନ୍ତୁ ଅଧ୍ୟାପକ ଜଣକ ରବିଙ୍କୁ ଧମକ ଦେଇଥିବା କୁହାଯାଉଛି।

ବାହାଘର ପରେ ରବିଙ୍କୁ ଭେଟିଥିଲେ ପ୍ରେମିକା
ଯୁବତୀ ଜଣକ ରବିକୁ ଯେତେବେଳେ ଅଣଦେଖା କରିବା ଆରମ୍ଭ କଲେ ରବି ସେମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ନେଇ ଯୁବତୀଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ। ଅନ୍ୟ ସ୍ଥାନରେ ବାହାଘର କଲେ ସମସ୍ୟା ହେବା ନେଇ ଚେତାବନୀ ବି ଦେଇଥିଲେ। ତାଙ୍କ ସହିତ ବିବାହ କରାଇବାକୁ ବାଧ୍ୟ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଭାଇଜାଗ୍‌ର ଜଣେ ଯୁବକଙ୍କ ସହିତ ୨୦୨୧ ଜୁନ ୫ ତାରିଖରେ ବିବାହ କରାଇଥିଲେ। ଯୁବତୀଙ୍କ ସ୍ବାମୀ ଏବେ ବାଙ୍ଗାଲୁରରେ ଆଇଟି ଇଞ୍ଜିନିୟର ଅଛନ୍ତି। ସେଠାରେ ରହୁଛନ୍ତି ରବିଙ୍କ ପ୍ରଥମ ପ୍ରେମିକା। ବାହାଘରର ଏକ ମାସ ପରେ ଯୁବତୀ ଜଣକ କଟକ ଆସିଥିବା ବେଳେ ରବିଙ୍କୁ ଫୋନ୍ କରିଥିଲେ। ରବି ବ୍ୟାଙ୍କ ଯିବା ସମୟରେ ବିଜୁ ପଟ୍ଟନାୟକ ଛକ ନିକଟରେ ଯୁବତୀଙ୍କୁ ଭେଟି ଥିଲେ। ଯୁବତୀ ଜଣକ ରବିଙ୍କୁ ଘର ପର୍ଯ୍ୟନ୍ତ ଯିବାକୁ ଡାକିଥିଲେ। କିନ୍ତୁ ବ୍ୟାଙ୍କ ଯିବାକୁ ଡେରି ହେବ କହି ରବି ଯିବାକୁ ମନା କରି ଦେଇଥିଲେ।

 

ସାମଗ୍ରୀ ଖୋଜିବାକୁ ମହନାଦୀରେ ୭ ସ୍କୁବା ଡାଇଭର୍

ଦୁଇ ହତ୍ୟାକାରୀ ଭାଇ ଲାପଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ମହାନଦୀରେ ଫିଙ୍ଗି ଦେଇଥିବାରୁ ପୁଲିସ କଳିଙ୍ଗ ଡାଇଭର୍ସର ସହଯୋଗ ନେଇଛି। ଏହାର ସଦସ୍ୟ ସବିର ବକ୍ସ, ପିତବାସ ସାସମଲ, ନସିମ୍ ଖାଁ, ସଂଜୟ କର, ଆକବର ଖାଁ, ବାବୁଲାଲ ଦାସ, ନରେନ୍ଦ୍ର ବେହେରା ମହାନଦୀର ଗଭୀର ଜଳରେ ଏସବୁକୁ ଖୋଜୁଛନ୍ତି। ଯୋବ୍ରା ବ୍ୟାରେଜର ତଳମୁଣ୍ଡରେ ଗେଟରୁ ୨୦ ମିଟର ଯାଏ ସେମାନେ ଆଜି ଅପରାହ୍ନ ୩ଟାରୁ ୬ଟା ଯାଏ ଖୋଜିଥିଲେ ବି ଲାପଟପ୍ କିମ୍ବା ଅନ୍ୟ କୌଣସି ସାମଗ୍ରୀ ମିଳିପାରି ନାହିଁ।

ହତ୍ୟାକାରୀଙ୍କ ମା’ଙ୍କର ଥିଲା ଗୁଣାବତୀଙ୍କ ସହ ଘନିଷ୍ଠ ସମ୍ପର୍କ

ସୁଦୀପ ଓ ସୁନିଲଙ୍କ ମା’ ଵାଇ ନିର୍ମଳାଙ୍କ ସହିତ ଗୁଣାବତୀଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ଅଧିକାଂଶ ସମୟ ଗପସପରେ କଟୁଥିଲା। ଗୁଣାବତୀ ନିୟମିତ ରାତିରେ ନିର୍ମଳାଙ୍କ ଘରକୁ ଯାଇ ୧୦ଟା ଯାଏ ରହୁଥିଲେ। ତାଙ୍କ ଘରେ ନିୟମିତ ତ୍ରିନାଥ ମେଳା ନିଜେ ଗୁଣାବତୀ କରନ୍ତି। ସାହିରେ ଗୁଣାବତୀ ଏକମାତ୍ର ତେଲଗୁ ଶିଖି ଥିବାରୁ ମେଳା କରିବାକୁ ଯାଉଥିଲେ। ଏମିତିକି ଯେଉଁ ଯୁବତୀଙ୍କ ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଛି ତାଙ୍କ ଘରକୁ ବି ଘଟ ପୂଜା କରିବାକୁ ଗୁଣାବତୀ ଯାଉଥିଲେ। ଏହି ଯୁବତୀଙ୍କ ଘରେ ଘଟ ପୂଜା ହେଉଥିବାରୁ ତାଙ୍କ ଘରକୁ ପ୍ରତି ଥର ଯାଆନ୍ତି ଗୁଣାବତୀ। ତେଲଗୁରେ ପୁରାଣ ପାଠ କରନ୍ତି।

 

୧୧ ଲକ୍ଷର ସୁପାରି
ସୁଦୀପ ଓ ସୁନିଲଙ୍କ ପରିବାର ସଦସ୍ୟଙ୍କୁ ଯୁବତୀଙ୍କ ପରିବାର ଗଲା କିଛି ବର୍ଷ ତଳେ ୯୦ ହଜାର ଟଙ୍କା ଧାର ଦେଇଥିଲେ। ସମସ୍ତ ଟଙ୍କା ସୁଝା ସରିଥିବା ବେଳେ ଯୁବତୀଙ୍କ ପରିବାର ସଦସ୍ୟ ୨ ଲକ୍ଷ ୧୫ ହଜାର ଟଙ୍କା ସୁଧ ଦେବାକୁ ବାଧ୍ୟ କରିଥିଲେ। ସୁଦୀପଙ୍କ ପରିବାର ଆହୁରି ୧୫ ଲକ୍ଷ ଟଙ୍କା ଋଣ ବିଭିନ୍ନ ଲୋକଙ୍କଠାରୁ ଆଣିଥିବା ସମ୍ପର୍କରେ ଯୁବତୀଙ୍କ ବାପା ଜାଣିବାକୁ ପାଇଥିଲା। ଏହି ଟଙ୍କାରୁ ଅଧା ସୁଝିବା ସହିତ ନିଜ ପାଖରୁ ନେଇଥିବା ସୁଧ ଟଙ୍କାର ଋଣ ବାବଦ ୨ ଲକ୍ଷ ୧୫ ହଜାର ଟଙ୍କା ବି ଛାଡ଼ କରି ଦେବାକୁ ଏହି ଦୁଇ ଭାଇଙ୍କୁ ଯୁବତୀଙ୍କ ବାପା ପ୍ରତିଶ୍ରୁତି ଦେଇଥିଲେ। ଏହା ବଦଳରେ ଗୁଣାବତୀଙ୍କ ଘରୁ ଲାପଟପ୍ ଆଣିବା ସହିତ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଦୁଇ ଭାଇଙ୍କୁ ୧୧ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ ଯୁବତୀଙ୍କ ବାପା। ସୁଦୀପ ଓ ସୁନିଲ ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପିଅନ ଥିବା ବେଳେ ତାଙ୍କ ବାପା ଗୌରୀ ଶଙ୍କର ପାର୍କ ନିକଟରେ ଏକ ଶାଢ଼ୀ ଦୋକାନରେ ସେଲସ୍ ମ୍ୟାନ୍ କାମ କରନ୍ତି।

ସୁନିଲ ପ୍ରଥମେ ହାଣି ଥିଲା
ଗଲା ୧୫ ତାରିଖ ଦିନ ପ୍ରାୟ ୧୧ଟା ୩୦ ବେଳେ ଗୁଣାବତୀ ଏକୁଟିଆ ପରିବା ନେଇ ଯାଉଥିବା ସୁଦୀପ ପ୍ରଥମେ ଦେଖିବାକୁ ପାଇଥିଲା। ଗୁଣାବତୀ ଘରକୁ ଯିବା ପରେ ସାନ ଭାଇ ସୁନିଲ ସହିତ ତାଙ୍କ ଘରେ ଦୁଇ ଭାଇ ପଶିଥିଲେ। ସେମାନେ ଗୁଣାବତୀଙ୍କୁ ପ୍ରଥମେ ଲାପଟପ୍ ମାଗିଥିଲେ। ଗୁଣାବତୀ ରାଗିକି ସେମାନଙ୍କ ଉପରକୁ ପନିକି ଫିଙ୍ଗି ଦେଇଥିଲେ। ଦୁଇ ଭାଇ ଗୁଣାବତୀଙ୍କ ମୁହଁ ବନ୍ଦ କରି ଦ୍ବିତୀୟ ମହଲାକୁ ଭିଡ଼ି ନେଇଥିଲେ। ଟଣାଭିଡ଼ା ସମୟରେ ସୁନିଲ ପ୍ରଥମେ ପନିକିରେ ଗୁଣାବତୀଙ୍କ ବେକ କାଟି ଦେଇଥିଲା। ଗୁଣାବତୀ ତଳେ ପଡ଼ିଯିବା ପରେ ସେମାନେ ପ୍ରଥମେ ଲାପଟପ୍ ଖୋଜି ହାତେଇ ଥିଲେ। କାଳେ ଗୁଣାବତୀ ବଞ୍ଚିଯିବେ, ସେହି ଆଶଙ୍କାରେ ସେମାନେ ଗୁଣାବତୀଙ୍କ ପୁରା ବେକକୁ କାଟି ଦେଇଥିଲେ। ଘରୁ ଦୁଇ ଭାଇ ଲାପଟପ୍ ବ୍ୟାଗ୍ ଧରି ଯିବା ସମୟର ଏକ ଫୁଟେଜ୍ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର