କୁତ୍ତାଖାଇ ଗଳି ହତ୍ୟାକାଣ୍ଡ, ସନ୍ଦେହରେ ମାଇକା ଲେନ୍

ସିସି କ୍ୟାମେରାରେ ମିଳିଲେ ଗୁଣାବତୀ, ବାମହାତରେ ଧରିଥିଲେ କଖାରୁ, ବାଲାଜୀ ମନ୍ଦିର, ସଂଗ୍ରହାଳୟର କ୍ୟାମେରା ଯାଞ୍ଚ

କଟକ: କୁତ୍ତାଖାଇ ଗଳିର ବି. ଗୁଣାବତୀଙ୍କ ବିଭତ୍ସ ହତ୍ୟାକାଣ୍ଡରେ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଶେଷ ଥର ପାଇଁ ଘର ବାହାରେ ଲାଗିଥିବା ଏକ ସିସି କ୍ୟାମେରାରେ ଗୁଣାବତୀଙ୍କୁ ଠାବ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ୨୦ରେ ଗୁଣାବତୀ ବାମହାତରେ ଏକ କଖାରୁ ଧରି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଯଦିଓ ତାଙ୍କ ପଛରେ ଅନେକ ଲୋକ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପୁଲିସର ସନ୍ଦେହ ଏବେ ମାଇକା ଲେନ୍ ଆଡ଼କୁ ଯାଉଛି। ମାଇକା ଲେନ୍ ଦେଇ ହତ୍ୟାକାରୀ ଗଳି ରାସ୍ତାରେ ବାହାରକୁ ଖସିଯାଇଥିବା ସନ୍ଦେହ ଏବେ ବଢ଼ିବାରେ ଲାଗିଛି। କୁତ୍ତାଖାଇ ଗଳିର ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ଗୁଣାବତୀଙ୍କୁ ବିଭତ୍ସ ହତ୍ୟା ମାମଲାରେ ପୁଲିସ ସିସି କ୍ୟାମେରା ସନ୍ଧାନରେ ରହିଛି। ଗୁଣାବତୀଙ୍କ ଘରୁ ଡାହାଣପଟେ ଥିବା ଏକ ବିଡ଼ି କମ୍ପାନି ବାହାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ପୁଲିସ ଜବତ କରିଛି। ଏହି କ୍ୟାମେରା କୁତ୍ତାଖାଇ ଗଳିର ପ୍ରବେଶପଥ ଆଡ଼କୁ ମୁହଁ କରିଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ୩୦ ବେଳେ ଗୁଣାବତୀ କଖାରୁ ପାଇଁ ରାଜା ରାଓଙ୍କ ପରିବା ଦୋକାନକୁ ଯାଇଥିବା ଏବଂ ପୁଣି ୫ ମିନିଟ୍ ଭିତରେ ଫେରିଥିବା କ୍ୟାମେରାରେ କଏଦ ହୋଇଛି। ତାଙ୍କ ପଛରେ ଏକାଧିକ ଲୋକ ଚଳପ୍ରଚଳ କରିଥିବା ଦେଖିବାକୁ ମିଳିଥିଲା।

ଏହି ବ୍ୟକ୍ତିଙ୍କୁ ପୁଲିସ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଅନ୍ୟପଟେ ଗୁଣାବତୀଙ୍କ ଘରର ଡାହାଣପଟେ ଯେଉଁ ରାସ୍ତା ମାଇକା ଲେନ୍ ଛକ ଦେଇ ଦିଵାନ୍‌ବଜାର ବାଲାଜୀ ମନ୍ଦିର ଆଡ଼କୁ ଯାଇଛି, ମନ୍ଦିର ନିକଟରେ ଏକ କ୍ୟାମେରା ରହିଛି। କିନ୍ତୁ ବାଲାଜୀ ମନ୍ଦିରରୁ ଗୁଣାବତୀଙ୍କ ଘର ଯାଏ କୌଣସି କ୍ୟାମେରା ନାହିଁ। ମାଇକା ଲେନ୍ ଛକରୁ ନେତାଜୀ ସଂଗ୍ରହାଳୟ, ଦିଵାନ୍‌ବଜାର, ଓଡ଼ିଆବଜାର, କଂସେଇଖାନା, ଚମାରସାହି, ଗଙ୍ଗାମନ୍ଦିରକୁ ସଂଯୋଗ କରିଛି। ଏହି ରାସ୍ତାରେ କୌଣସି ସିସି କ୍ୟାମେରା ନାହିଁ। ଶୁକ୍ରବାର ପୁଲିସର ସନ୍ଧାନୀ କୁକୁର ମାଇକାଲେନ୍ ଛକ ଯାଏ ଯାଇଥିଲା। ସେଠୁ ଗୁଣାବତୀଙ୍କ ଘର ନିକଟକୁ ଫେରିଆସିଥିଲା। ଏହି ରାସ୍ତା ଉପରେ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଛି। ଏବେ ବାଲାଜୀ ମନ୍ଦିର ଓ ନେତାଜୀ ସଂଗ୍ରହାଳୟ ନିକଟରେ ଦୁଇଟି ସ୍ଥାନରେ ପୁଲିସ କ୍ୟାମେରା ଠାବ କରିଛି। ପରିବା ଦୋକାନ ନିକଟରେ ଲାଗିଥିବା କ୍ୟାମେରା ଏବଂ ଉପରୋକ୍ତ ଦୁଇଟି ସ୍ଥାନରେ ଲାଗିଥିବା କ୍ୟାମେରା ଏବେ ଅପରାଧୀଙ୍କୁ ଠାବ କରିବାରେ ପୁଲିସକୁ ସାହାଯ୍ୟ କରିପାରେ। ଯଦି ହତ୍ୟାକାରୀ ମାଇକା ଲେନ୍ ଛକରେ ପହଞ୍ଚି ଗଳି ରାସ୍ତା ଦେଇ ବାହାରକୁ ଯାଇଥିବ କିମ୍ବା ଗଳି ରାସ୍ତାରେ କେଉଁ ଘରେ ଲୁଚିଯାଇଥିବା, ତେବେ ପୁଲିସ ତାକୁ ଧରିବାରେ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଶୁକ୍ରବାର ଗୁଣାବତୀଙ୍କ ସ୍ବାମୀ ବି. ଆପା ରାଓ ଦିନ ପ୍ରାୟ ୨ଟା ବେଳେ ଓ ସାନ ପୁଅ ବି. ରବି ରାଓ ୫ ମିନିଟ୍ ପରେ ଘରେ ପହଞ୍ଚିଲା ବେଳକୁ ଘରର ଦ୍ବିତୀୟ ମହଲା ଚଟାଣରେ ପଡ଼ିଥିବା ରକ୍ତ ଶୁଖିଯାଇଥିଲା। ତେଣୁ ହତ୍ୟାକାଣ୍ଡ ଏକ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

Sambad

ଅସୁରକ୍ଷିତ ତେଲୁଗୁ ସମ୍ପ୍ରଦାୟ! ଡିସିପିଙ୍କୁ ଭେଟିଲା ତେଲୁଗୁ ସମାଜ

କଟକ ସହରରେ ପ୍ରାୟ ୫୦ ହଜାର ତେଲୁଗୁ ସମ୍ପ୍ରଦାୟ ଓଡ଼ିଆବଜାର, କାଜିବଜାର, ଦିଵାନ୍‌ବଜାର, ବାଉଁଶଗଳି, ସୂତାହାଟ, ପଟ୍ଟାପୋଲ, ବାରପଥର, ଧୋବି ଲେନ୍, ଜଗନ୍ନାଥବଲ୍ଲଭ, ମକରାବାଗ ସାହି, ଦରଘାବଜାର, ତିନିକୋଣିଆ ବଗିଚା, ହରିପୁର, ଦୋଳମୁଣ୍ଡାଇ, ରାଣୀହାଟ, ମାଲଗୋଦାମ, ଛତ୍ରବଜାର କେନାଲ୍ ରୋଡ୍‌ ଇତ୍ୟାଦି ଅଞ୍ଚଳରେ ରହୁଛନ୍ତି। ଓଡ଼ିଆବଜାର ୨୦୧୨ରେ କୁତ୍ତାଖାଇ ଗଳିର ଓ.ଟି ସରୋଜଙ୍କୁ ଜଣେ ନିଶାଡ଼ି ଘରେ ପଶି ହତ୍ୟା, ୨୦୨୧ ସେପ୍ଟେମ୍ବର ୫ରେ କୁତ୍ତାଖାଇ ଗଳିର ସାହିର ପୂର୍ବତନ ସଭାପତି କେ. ଶ୍ରୀନିବାସ ରାଓଙ୍କ ଘରେ ବାଇକ୍ ଜାଳିବା, ଚଳିତ ଜାନୁଆରି ୧୭ରେ ପରିବା ବ୍ୟବସାୟୀ ରାଜା ରାଓଙ୍କ ଘରୁ ଲୁଟ୍ ଏବଂ ଶେଷରେ ଶୁକ୍ରବାର ସାହି ସମ୍ପାଦକ ସମ୍ପାଦକ ବି.ଆପାରାଓଙ୍କ ପତ୍ନୀ ବି. ଗୁଣାବତୀଙ୍କୁ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ଏକାଠି ହୋଇଛନ୍ତି ତେଲଗୁ ସମ୍ପ୍ରଦାୟ। ଦୁଇଜଣଙ୍କ ଜୀବନ ଯାଇଥିବାରୁ କଟକ ସହରରେ ତେଲୁଗୁ ସମ୍ପ୍ରଦାୟ ଅସୁରକ୍ଷିତ ଥିବା ପ୍ରତିବାଦରେ ଡିସିପି ପିନାକ ମିଶ୍ରଙ୍କୁ ଏକ ପ୍ରତିନିଧିମଣ୍ଡଳୀ ସୋମବାର ପୂର୍ବାହ୍ନରେ ଭେଟି ସୁରକ୍ଷା ପାଇଁ ଅଡ଼ି ବସିଥିଲେ। ତେଲୁଗୁ ସମ୍ପ୍ରଦାୟର ୫୦୦ ସଦସ୍ୟଙ୍କ ଏକ ଦସ୍ତଖତ ପ୍ରଦାନ ସହିତ ତେଲୁଗୁ ବସ୍ତରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ଏବଂ ଗୁଣାବତୀଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଗଡ଼ଗଡ଼ିଆ ମନ୍ଦିର ନିକଟରୁ ୨୦୦ ପାଖାପାଖି ସଦସ୍ୟ ବାହାରି ଡିସିପି ଅଫିସକୁ ଯାଇଥିଲେ। ସେଠୁ କଟକ ତେଲୁଗୁ ସମାଜର ପରାମର୍ଶଦାତା ପ୍ରଦୀପ ପଟ୍ଟନାୟକ, ଆଇ. ସୁବ୍ରମଣ୍ୟମ୍, ଜି. ସୁରିଆ ରାଓ, ଏ. ମୋହନ ରାଓ, କେ. ଶ୍ରୀନିବାସ ରାଓ, କେ. ଦୁର୍ଗାପ୍ରସାଦ ପ୍ରମୁଖ ଡିସିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାରମ୍ବାର ତେଲୁଗୁ ସମ୍ପ୍ରଦାୟର ସଦସ୍ୟ ଦୁର୍ବୃତ୍ତଙ୍କ ଅକ୍ରୋଶର ଶିକାର ହେଉଥିବାରୁ ପାଟ୍ରୋଲିଂ କଡ଼ାକଡ଼ି କରିବା ଦରକାର। ଜିଲ୍ଲା ବାହାରୁ ଆସୁଥିବା ଅଜ୍ଞାତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପୁଲିସ ନିକଟରେ ନାହିଁ। ସାହି ବସ୍ତିରେ କ୍ୟାମେରା ଲାଗିବା ପାଇଁ ପୁଲିସ କମିସନର୍‌ କହିଥିଲେ। କିନ୍ତୁ କ୍ୟାମେରା ଲାଗିପାରି ନଥିବାରୁ ଦୁର୍ବୃତ୍ତ ଖସିଯିବାରେ ସହଜ ହେଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଡିସିପି ପିନାକ ମିଶ୍ର ଘଟଣା ସମ୍ପର୍କରେ କହିଛନ୍ତି ଯେ ଯେତେଶୀଘ୍ର ସମ୍ଭବ ଏହି ମାମଲାରେ ଦୁର୍ବୃତ୍ତଙ୍କୁ ଠାବ କରାଯିବ। ସ୍ଥାନୀୟ ଥାନାକୁ କୁହାଯାଇଛି ଘଟଣାସ୍ଥଳ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ। ସ୍ଥାନୀୟ ବାସିନ୍ଦା ଭୟଭୀତ ନହେବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର