କୁତ୍ତାଖାଇ ଗଳି ହତ୍ୟାକାଣ୍ଡ, ଧରା ପକାଇବ ଟାଵାର୍‌ ଡମ୍ପ, ସିସି କ୍ୟାମେରା

କଟକ: କୁତ୍ତାଖାଇ ଗଳିର ବି. ଗୁଣାବତୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଯଦିଓ ଏକ ଲାପ୍‌ଟପ୍ ନେଇଯାଇଛନ୍ତି, କିନ୍ତୁ ଘଟଣା ପଛର ଉଦ୍ଦେଶ୍ୟ ଚୋରି ନୁହେଁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଯଦି ହତ୍ୟାକାରୀର ଉଦ୍ଦେଶ୍ୟ ଚୋରି ନଥିଲା, ତେବେ କେଉଁ ଉଦ୍ଦେଶ୍ୟରେ ଗୁଣାବତୀଙ୍କୁ ଘର ଭିତରେ ବିଭତ୍ସ ଭାବେ ହତ୍ୟା କଲା ହତ୍ୟାକାରୀ? ଗୁଣାବତୀଙ୍କ ସହିତ ହତ୍ୟାକାରୀର କୌଣସି ପୂର୍ବ ଶତ୍ରୁତା ଥିଲା କି? ଯେହେତୁ ହତ୍ୟାକାଣ୍ଡର କୌଣସି ସାକ୍ଷୀ କିମ୍ବା ପ୍ରତ୍ୟେକ୍ଷ ପ୍ରମାଣ ପୁଲିସ ହାତରେ ଲାଗିପାରି ନାହିଁ, ସ୍ଥାନୀୟ ଅଞ୍ଚଳର ଟାଵାର୍‌ ଡମ୍ପ ଓ ସିସି କ୍ୟାମେରା ଫୁଟେଜ୍‌ ଉପରେ ପୁଲିସ ନିର୍ଭର କରିବାକୁ ବାଧ୍ୟ ହେଉଛି। ହତ୍ୟାକାରୀ ସାଙ୍ଗରେ ନେଇଥିବା ଲାପ୍‌ଟପ୍ ତାକୁ ଠାବ କରିବାରେ ସହଜ ହୋଇପାରେ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, କୁତ୍ତାଖାଇ ଗଳିର ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ଗୁଣାବତୀଙ୍କୁ ବିଭତ୍ସ ହତ୍ୟାକାଣ୍ଡକୁ ୫ ଦିନି ବିତିଗଲାଣି। କିନ୍ତୁ ଘଟଣାର ରହସ୍ୟ ସାମ୍‌ନାକୁ ଆସିପାରିଲା ନାହିଁ। ଗୁଣାବତୀଙ୍କ ଘରର ଦ୍ବିତୀୟ ମହଲାରେ ଥିବା ସାନ ପୁଅ ବି. ରବି ରାଓଙ୍କ ଯେଉଁ ଏଚ୍‌ପି କମ୍ପାନିର ଲାପ୍‌ଟପ୍ ହତ୍ୟାକାରୀ ସାଙ୍ଗରେ ନେଇଯାଇଛି, ପୁଲିସ ଏବେ ଉକ୍ତ ଲାପ୍‌ଟପକୁ ଟ୍ରାକ୍ କରିବା ଆରମ୍ଭ କରିଦେଇଛି। ଲାପ୍‌ଟପ୍‌ ଇଣ୍ଟରନେଟ୍ ସହିତ ସଂଯୋଗ ହେବା ମାତ୍ରକେ ଉକ୍ତ ଲାପ୍‌ଟପ୍‌ରେ ଏକ ଆଇ.ପି(ଇଣ୍ଟରନେଟ୍ ପ୍ରୋଟୋକଲ୍) ଆଡ୍ରେସ୍ ଜେନେରେଟ୍ ହେବ। ସେହି ଆଇ.ପିକୁ ପୁଲିସ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍‌ ମାଧ୍ୟମରେ ଟ୍ରାକ୍ କରି ହତ୍ୟାକାରୀର ଲୋକେସନ୍ ଜାଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଛି। ଏହି ଯାନ୍ତ୍ରିକ କୌଶଳ ଏବେ ପୁଲିସ ପାଇଁ ଏକମାତ୍ର ରାସ୍ତା ବୋଲି କୁହାଯାଉଛି।

ଅନ୍ୟପଟେ ଶୁକ୍ରବାର ଦିନ ୧୧ଟାରୁ ୩୦ରୁ ୨ଟା ଭିତରେ କୁତ୍ତାଖାଇ ଗଳିରୁ ଯେଉଁ ମୋବାଇଲ୍ ବ୍ୟବହାରକାରୀ ବାହାରକୁ ଯାଇଛନ୍ତି, ପୁଲିସ ସେମାନଙ୍କ ମୋବାଇଲ୍ ଲୋକେସନ୍ ଟ୍ରାକ୍ କରୁଛି। ଟାଓ୍ବାର୍‌ ଡମ୍ପ୍ ମାଧ୍ୟମରେ ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଯୋଜନା କରୁଛି। ଅନ୍ୟପଟେ ଓଡ଼ିଆବଜାର, ଦେଵାନବଜାର, ଗୌରୀଶଙ୍କର ପାର୍କ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ବି ପୁଲିସ ସ୍କାନର୍‌କୁ ନେଇଛି। ଗୁଣାବତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବଡ଼ ଡାକ୍ତରଖାନାରୁ ପୁଲିସର ହସ୍ତଗତ ହୋଇଥିବା ବେଳେ ତାଙ୍କ ତଣ୍ଟିରେ କେବଳ ଏକାଧିକ କ୍ଷତ ଥିବା ଜଣାପଡ଼ିଛି। ତାଙ୍କ ସହିତ କୌଣସି ଯୌନ ଶୋଷଣ ହୋଇ ନଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ କଟକ ତେଲଗୁ ସମାଜର ଏକ ପ୍ରତିନିଧିମଣ୍ଡଳୀ ସୋମବାର ଡିସିପି ପିନାକ ମିଶ୍ରଙ୍କୁ ଭେଟି ତେଲୁଗୁ ସମ୍ପ୍ରଦାୟକୁ ସୁରକ୍ଷା ଦେବାକୁ ଦାବି କରିଥିବା ବେଳେ ମଙ୍ଗଳବାର କଟକ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ମୃତ ଗୁଣାବତୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସ କମିଟି ସଭାପତି ଗିରିବାଳା ବେହେରା ଏହି ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆସନ୍ତାକାଲି ନଗର କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ କଟକ ଡିସିପିଙ୍କୁ ଭେଟିବାକୁ ଯୋଜନା କରୁଥିବା ଶ୍ରୀମତୀ ବେହେରା କହିଛନ୍ତି। ଗୁଣାବତୀଙ୍କ ଘରେ ଶ୍ରୀମତୀ ବେହେରାଙ୍କ ସମେତ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ବରିଷ୍ଠ କଂଗ୍ରେସ ନେତା ମଜିଦ ଖାଁ, ତୃପ୍ତି ଦାସ, ଚାରୁଲତା ସାହୁ, ଇର୍ସାଦ ଖାଁ, ମେହେତାବ୍‌ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର