କୁତ୍ତାଖାଇ ଗଳି ହତ୍ୟାକାଣ୍ଡ, ଶୁକ୍ରବାରକୁ ବାଛିଥିଲା ହତ୍ୟାକାରୀ!

ତଣ୍ଟିର ୭୦ ଭାଗ ହଣାଯାଇଛି, ସକାଳେ ଯାଇଥିଲେ ଓଡ଼ିଆବଜାର ଡାକ୍ତରଖାନା

କଟକ: କୁତ୍ତାଖାଇ ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ବି. ଗୁଣାବତୀଙ୍କୁ ହାଣିବା ପାଇଁ ହତ୍ୟାକାରୀ କାହିଁକି ବାଛିଥିଲା ଶୁକ୍ରବାର? ଦିନ ୧୨ଟା ୩୦ରୁ ୧ଟା ୩୦ ଭିତରେ ସ୍ଥାନୀୟ ବାସିନ୍ଦା ନମାଜ୍‌ ପଢ଼ିବାକୁ ଯିବା ପରେ ଅଞ୍ଚଳ ଜନଶୂନ୍ୟ ହୋଇଯାଇଥିଲା। ଏହି ସମୟରେ ଅପରାଧ ଘଟାଇବାକୁ ହତ୍ୟାକାରୀ ପୂର୍ବରୁ ‘ରେକି’ କରି ବାଛି ନଥିଲା ତ? ଅନ୍ୟପଟେ ତଣ୍ଟିର ପାଖାପାଖି ୭୦ ପ୍ରତିଶତ କଟାଯାଇଛି। ଅବଶିଷ୍ଟ ୩୦ ପ୍ରତିଶତ ଶରୀର ସହିତ ଲାଗି ରହିଥିଲା। ପନିକି ଗାଏବ୍‌ ଥିବାରୁ ସେଥିରେ ଏଭଳି ବିଭତ୍ସ ଭାବେ ଗୋଟିଏ ଚୋଟରେ ଗଳା କଟିବାର ସମ୍ଭାବନା ଥିବା ବଡ଼ ଡାକ୍ତରଖାନାର ଡାକ୍ତରୀ ଟିମ୍ ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ସୂଚନା ଅନୁଯାୟୀ, ଗୁଣାବତୀଙ୍କ ହତ୍ୟାକାଣ୍ଡରେ ଏବେ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ସୁଦ୍ଧା ସ୍ବାମୀ ବି. ଆପାରାଓ ତିନିକୋଣିଆ ବଗିଚାରେ ଥିବା ପ୍ରେସ୍‌କୁ ଏବଂ ସାନ ପୁଅ ବି. ରବି ରାଓ ଚଣ୍ଡୀ ଛକ ବ୍ୟାଙ୍କକୁ କାମରେ ବାହାରି ଯାଇଥିଲେ। ସେଦିନ ଗୁଣାବତୀଙ୍କ ପାଦର ବୁଢ଼ା ଆଙ୍ଗୁଠିରେ ପାଣି ଲାଗି ଯନ୍ତ୍ରଣା ହେଉଥିବାରୁ ଦିନ ପ୍ରାୟ ୧୦ଟା ବେଳେ ସେ ଓଡ଼ିଆବଜାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ।

ଘରୁ ଏକ ଡାକ୍ତରୀ ପ୍ରେସକ୍ରିପସନ୍ ପୁଲିସ ଜବତ କରିଛି। ଏହି ପ୍ରେସକ୍ରିପସନ୍‌ରୁ ହିଁ ଗୁଣାବତୀଙ୍କ ଡାକ୍ତରୀ ଚିକିତ୍ସା ହୋଇଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଲାଲବାଗ ଥାନା ପୁଲିସ ତାଙ୍କ ସାନ ପୁଅ ବି. ରବି ରାଓ ଓ ସୂତାହାଟ ତନ୍ତିସାହିରେ ରହୁଥିବା ବଡ଼ ଝିଅ ସନ୍ଧ୍ୟାରାଣୀଙ୍କ ସ୍ବାମୀ ତଥା ଗୁଣାବତୀଙ୍କ ଜ୍ବାଇଁ ଶ୍ୟାମସୁନ୍ଦର ରାଓଙ୍କୁ ଲାଲବାଗ ଥାନାକୁ ଡାକି ପଚରାଉଚରା କରିଥିଲା। ପରିବାରରେ ସେଭଳି କୌଣସି ଶତ୍ରୁତା କାହା ସହିତ ନଥିବା ପୁଲିସ ଏକପ୍ରକାର ସ୍ପଷ୍ଟ ହୋଇଛି। ଆପାରାଓ ତାଙ୍କ ବାପାଙ୍କ ଗୋଟିଏ ପୁଅ ଓ ଚାରି ଭଉଣୀ। ଭଉଣୀମାନେ ସୂତାହାଟ ଆଖପାଖ ଅଞ୍ଚଳରେ ବିବାହ କରିଛନ୍ତି। କିନ୍ତୁ ସେମାନଙ୍କର ଆପାରାଓଙ୍କ ପରିବାର ସହିତ କୌଣସି ଶତ୍ରୁତା ନଥିଲା। ଆପାରାଓ ଓ ସାନ ପୁଅ ରବି ରକ୍ତଦାନ ଶିବିର ସହିତ ସ୍ବେଚ୍ଛାସେବୀ କାମ କୁତ୍ତାଖାଇ ଗଳିରେ କରିଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ସେଭଳି ଶତ୍ରୁତା କାହା ସହିତ ନଥିଲା। ସମ୍ପତ୍ତି ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଘରେ ପଶି ଏଭଳି ବିଭତ୍ସ କାଣ୍ଡ ଘଟାଇଥିବା ପୁଲିସର ସନ୍ଦେହ ବଢ଼ିବାରେ ଲାଗିଛି। ମାଇକା ଛକ ଯାଏ ପୁଲିସ କୁକୁର ଯାଇଥିବାରୁ ସେହି ଆଖପାଖରେ ଦେଓ୍ବାନବଜାର, ଚମାରସାହି, ଓଡ଼ିଆବଜାର, ମାଇକା ଲେନ୍ ଅଞ୍ଚଳର କେହି ଦୁର୍ବୃତ୍ତଙ୍କ ଉପରେ ପୁଲିସ ସନ୍ଦେହ ବଢ଼ିଛି। କେହି ପେସାଦାର ଅପରାଧୀ ଏଭଳି କାମ କରିଥିବା ସନ୍ଦେହରେ ପୁଲିସ ସ୍ଥାନୀୟ ଅଞ୍ଚଳର ଦୁର୍ବୃତ୍ତଙ୍କୁ ବି ପଚରାଉଚରା କରିବା ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର