ଓଡ୍ରାଫ୍ ମ୍ୟାନ୍ ସୀତାରାମ ନେଇଥିଲେ ସ୍କୁବା ଡାଇଭିଂର ସ୍ବତନ୍ତ୍ର ତାଲିମ: ଶତାଧିକ ଲୋକଙ୍କୁ ପାଣିରୁ ଉଦ୍ଧାର କରିଥିଲେ, ନିଜେ ହୋଇଗଲେ ଅସହାୟ

ମହାନଦୀବିହାର: ଓଡ୍ରାଫ୍ ମ୍ୟାନ୍ ଭାବେ ଜଣାଶୁଣା ଥିଲେ ସୀତାରାମ ମୁର୍ମୁ। ହୁଡ଼ହୁଡ଼, ଫାଇଲିନ, ଫନି, ଅମ୍ପନ, ତିତଲି ସମୟରେ ବହୁ ଲୋକଙ୍କୁ ଉଦ୍ଧାର କରି ଧନଜୀବନ ବଞ୍ଚାଇ ପାରିଥିଲେ। ସ୍କୁବା ଡାଇଭିଂର ସ୍ବତନ୍ତ୍ର ତାଲିମ ବି ନେଇଥିଲେ। ବନ୍ୟା, ବାତ୍ୟାର ଭୟଙ୍କର ସ୍ଥିତିରେ ଲୋକଙ୍କୁ ବଞ୍ଚାଉଥିବା ସୀତାରାମ କିନ୍ତୁ ଗତକାଲି ମହାନଦୀର ମୁଣ୍ଡଳିରେ ହାତୀକୁ ବାଟ ଦେଖାଇବାକୁ ଯାଇ ଏଭଳି ଫସିଗଲେ ଯେ ନିଜ ଜୀବନ ବଞ୍ଚାଇ ପାରିଲେ ନାହିଁ। କିନ୍ତୁ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ସୀତାରାମଙ୍କୁ ସରକାର ଏଯାଏ ବିଧିବଦ୍ଧ ଭାବେ ସହିଦ ଘୋଷଣା କରାଯାଇ ନାହିଁ।

ଏପ୍ରିଲ ୧୯ ତାରିଖ ୨୦୦୨ରେ ଓଏସଏପି ଷଷ୍ଠ ବାଟଲିଅନରେ ସିପାହୀ ରୂପେ ଯୋଗ ଦେଇଥିଲେ ସୀତାରାମ। କିଛି ବର୍ଷ ପରେ ସେ ଓଡ୍ରାଫ ଟିମରେ ଯୋଗ ଦେଇ ବହୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଓ ରାଜ୍ୟ ବାହାରେ କାମ କରିଥିଲେ। କଟକର ମହାନଦୀ ବ୍ରିଜ ଉପରେ କିଛି ବର୍ଷ ପୂର୍ବରୁ ଖସି ପଡିଥିବା ବସରୁ ବହୁ ଲୋକଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୀତାକାନ୍ତ। ପଶ୍ଚିମବଙ୍ଗରେ ବାତ୍ୟା ସମୟରେ ବି ସେ ନିଜର ଦକ୍ଷତା ଦେଖାଇଥିଲେ। ପାରାଦୀପରେ ବହୁ ଚର୍ଚ୍ଚିତ ବ୍ଲାକ ରୋଜ ଜାହଜ ବୁଡିବା ଯୋଗୁ ସେତେବେଳ ସମୟରେ କଟକରୁ ପାଞ୍ଚ ଜଣଙ୍କୁ ସେଠାରେ ସ୍କୁବା ଡାଇଭିଂର ତାଲିମ ଦିଆ ଯାଇଥିଲା। ପାଞ୍ଚ ଜଣଙ୍କୁ ମଧ୍ୟରେ ଜଣେ ଥିଲେ ସୀତାରାମ। ପରେ ସେ ଚେନ୍ନାଇ, କୋଲକାତା, କେରଳରେ ମଧ୍ୟ ଭାରତୀୟ ନୌସେନାରେ ଅଣ୍ଡର ୱାଟର ଡାଇଭିଂର ତାଲିମ ନେଇଥିଲେ। ସୀତାରାମଙ୍କ କିଛି ସହଯୋଗୀ କହିବା ଅନୁଯାୟୀ ଲକ୍ଷ୍ମୀକାନ୍ତ ଅଣ୍ଡର ବାଟର ଟ୍ରେନିଂ ନେଇଥିବାରୁ ଯେଉଁଠି ଲୋକଙ୍କ ଶବ ନଦୀରେ ମିଳେ ନାହିଁ, ସେଠାକୁ ତାଙ୍କୁ ପଠାଯାଏ।

ମହାନଦୀ, କାଠଯୋଡି, ବ୍ରାହ୍ମଣୀ, ବୈତରଣୀ, ଦେବୀ, ଖରସ୍ରୋତା ନଦୀରୁ ସେ ପଚାଶରୁ ଅଧିକ ଶବ ବାହାର କରିଛନ୍ତି। କିନ୍ତୁ ତାଙ୍କର ଏଭଳି ଦୁଃଖଦ ଅନ୍ତ ତାଙ୍କର ସହକର୍ମୀଙ୍କୁ ମ୍ରିୟମାଣ କରି ଦେଇଛି। ଆଜି ଓଏସଏପି ବାଟାଲିଅନରେ ତାଙ୍କୁ ସଲାମୀ ଦିଆଯାଇଥିବା ବେଳେ ଏଥିରେ କମାଣ୍ଡାଣ୍ଟ, ଜଣେ ଡେପୁଟି କମାଣ୍ଡାଣ୍ଟ, ତିନି ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଦୁଇ ଜଣ ସୁବେଦର, ଛ ଜଣ ଡେପୁଟି ସୁବଦର ସଲାମୀରେ ଯୋଗ ଦେଇଥିଲେ। କିନ୍ତୁ ପୁଲିସ ମୁଖ୍ୟାଳୟରୁ କୌଣସି ଅଫିସର କିମ୍ବା ଆଇପିଏସ ଅଧିକାରୀ ଆସି ନଥିଲେ। ସଲାମୀ ପରେ ସୀତାରାମଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ପଠାଇ ଦିଆ ଯାଇଥିବା ବେଳେ ଆସନ୍ତାକାଲି ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ। ସୂଚନାଯୋଗ୍ୟ ଯେ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମୁକ୍ତାଝରି ଗ୍ରାମର ମୂଳବାସିନ୍ଦା ସୀତାକାନ୍ତ ପରିବାର ସହିତ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରରେ ଘର ଭଡା ନେଇ ରହୁଥିଲେ। ପତ୍ନୀ ଦାନଗି ମୁର୍ମୁ, ୧୦ ବର୍ଷର ପୁଅ ଆଲୋକ ଓ ୪ ବର୍ଷର ଝିଅ ରାଣୀଙ୍କୁ ନେଇ ତାଙ୍କ ପରିବାର। ଗତକାଲି ନିଜର ଛୋଟ ଝିଅକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ସେ ଟିକେଟ କରିଥିଲେ। ଡାକ୍ତରଙ୍କ ପାଖରେ ଦିନ ଗୋଟାଏରେ ପହଞ୍ଚିବାକୁ ଥିବା ବେଳେ ଦିନ ୧୦ଟାରେ ତାଙ୍କୁ ଅପରେସନ ଗଜରାଜରେ ଯିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର