କଟକ ରାଜନୀତି : କୁଆଡ଼େ ଗଲେ ପୁରୁଣା କଂଗ୍ରେସୀ?

ଜାଣିଜାଣି କୋଣଠେସା!

କଟକ: କୁଆଡେ ଗଲେ ଧର୍ମାନନ୍ଦ ପାତ୍ର, ଅରୁଣ ସେଠୀ, ସେକ୍ ସମିମଉଲ୍ଲା, ବୈଶାଳୀ ବେହେରା, ତଅପୋଇ ସେଠୀ, ସବିତା ସ୍ବାଇଁ, ସ୍ନେହଲତା ଚୌଧୁରୀଙ୍କ ଭଳି କଂଗ୍ରେସର ପୂର୍ବତନ କର୍ପୋରେଟର? କୁଆଡେ ଗଲେ ବିଜୟ ବାରିକ, ଲିଆକତ ଉଦ୍ଦିନ୍, ବୀରେନ୍ଦ୍ର ଦାସ, ଅକ୍ଷୟ ସାହୁ, ସୂର୍ଯ୍ୟକାନ୍ତ ରାଉତଙ୍କ ଭଳି ବିଭିନ୍ନ ୱାର୍ଡର ସଭାପତି? କୁଆଡେ ଗଲେ ନିକୁଞ୍ଜ ପଶାୟତ, ବିଶ୍ବଜିତ ଦାସ, ଅଶୋକ ସ୍ବାଇଁ, ଅନିଲ ବେ‌ଉରା, ନିର୍ମଳ ସ୍ବାଇଁ, ବିଶ୍ବନାଥ ଶତପଥୀ, ବିପନ ପଶାୟତଙ୍କ ଭଳି କଂଗ୍ରେସର ଆଗଧାଡିର ନେତା ଓ କର୍ମୀ? ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନଗର କଂଗ୍ରେସର ବିକ୍ଷୋଭ, ବିରୋଧ, ପ୍ରତିବାଦ ଜାରି ରହିଥିଲେ ବି ଏଭଳି କିଛି ପୁରୁଣା ମୁହଁ ଆଉ ଦେଖା ନ ଯିବା ଘଟଣା ଚର୍ଚ୍ଚାର ‌ପ୍ରସଙ୍ଗ ହୋଇଛି। କଂଗ୍ରେସ ରାଜନୀତିରେ ମୋକିମଙ୍କ ଆବିର୍ଭାବ ପରେ ଧୀରେଧ‌ୀରେ ସୁରେଶ ମହାପାତ୍ରଙ୍କ ଭଳି ନେତା ପଛକୁ ଠେଲି ହୋଇଯାଇଥିଲେ।

ତାଙ୍କର ସମର୍ଥକ ଭାବେ ସହର ରାଜନୀତିକୁ ଉଠପଡ କରୁଥିବା ଅନେକ ବି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଗଲେ। ଉଭୟ ଅନେକ ‌ଦିନ ଧରି ସହରରେ ଏକ ପ୍ରକାର ସମାନ୍ତରାଳ କାର୍ଯ୍ୟକ୍ରମ ଜାରି ରଖିଥିଲେ। ସେ ଦୃଷ୍ଟିରୁ ମୋକିମଙ୍କ ନେତୃତ୍ବରେ ହେଉଥିବା କାର୍ଯ୍ୟକ୍ରମରେ ସୁରେଶ ମହାପାତ୍ରଙ୍କ ଉପସ୍ଥିତି ଆଶା କରିବା ବୃଥା। କିନ୍ତୁ ପୂର୍ବତନ କର୍ପୋରେଟର, ୱାର୍ଡ ସଭାପତି, ବ୍ଲକ ସଭାପତି, ଅନେକ ଆଗଧାଡିର ନେତା ଓ କର୍ମୀ ଦେଖା ନ ଯିବା ଘଟଣା କଂଗ୍ରେସ ରାଜନୀତିକୁ ରହସ୍ୟମୟ କରୁଛି।

୨୦୧୯ ବିଧାନସଭା ନିର୍ବାଚନରେ କଟକ ଅକ୍ତିଆର କରିଥିଲା କଂଗ୍ରେସ। ଅବିଭକ୍ତ କଟକ ଜିଲ୍ଲାରୁ ମାତ୍ର ଗୋଟିଏ ଆସନ ଭାବେ ଦୀର୍ଘ ବର୍ଷର ବ୍ୟବଧାନରେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ଜିତିବାରେ ସଫଳ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ୍। କିନ୍ତୁ ଏହି ବିଜୟ ପରେ କଟକରେ କଂଗ୍ରେସ ଯେଭଳି ଅଧିକ ସକ୍ରିୟ ହେବା କଥା ଅଥବା ଶକ୍ତି ଦେଖାଇବା କଥା, ତାହା ଦେଖା ଯାଉ ନାହିଁ।

ବିକ୍ଷୋଭ, ପ୍ରତିବାଦ, ଧାରଣା କାର୍ଯ୍ୟକ୍ରମ ନଗର କଂଗ୍ରେସ ପକ୍ଷରୁ ନିୟମିତ କରାଯାଉଛି ସତ, ହେଲେ ସେଥିରେ ସେଭଳି ଚମକ୍ ନାହିଁ। ଦଳର ଜଣେ ବିଧାୟକ ପ୍ରାର୍ଥୀଙ୍କ ବିଜୟ ପରେ ଶୋଇ ରହିଥିବା କଂଗ୍ରେସ ପ୍ରାର୍ଥୀ ଜାଗି ଉଠିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ବି ନାହିଁ। ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ କେଉଁଠି, କଣ କରୁଛନ୍ତି, ସେ ସଂପର୍କରେ ଲୋକେ ଜାଣିବାକୁ ବି ପାଉ ନାହାନ୍ତି। ଏହାର କାରଣକୁ ନେଇ ଯେତିକି ଚର୍ଚ୍ଚା ହେଉଛି, କଂଗ୍ରେସର କାର୍ଯ୍ୟକ୍ରମ ବି ରାଜନୈତିକ ଦୃଷ୍ଟିରୁ ରୋଚକ ହେଉଛି। ସହର ଭିତରେ ଦଳର ଦୁଇ ଦୁଇଟି କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଖୋଲିଛି ସତ ହେଲେ ଅନେକ ସେପଟ ଲୋକ ଏପଟେ କି ଏପଟ ଲୋ‌କ ସେପଟେ ଦେଖିବାକୁ ମିଳୁ ନାହାନ୍ତି। ସାଂଗଠନିକ ଦୃଷ୍ଟିରୁ ନଗର ଓ ଜିଲ୍ଲା କଂଗ୍ରେସ ଭିତରେ ସେଭଳି କିଛି ବଡ଼ ସୀମାରେଖା ନଥିଲେ ବି ଏଭଳି ବ୍ୟବଧାନର ଅର୍ଥ କଣ ତାହାକୁ ନେଇ କଂଗ୍ରେସ କର୍ମୀ ବି ଉତ୍ତର ଖୋଜି ପାଉ ନାହାନ୍ତି।

ଦଳ ଏମିତି ବି ଦୀର୍ଘ ଦିନ ଧରି ଦୁର୍ବଳ ସ୍ଥିତିରେ ଥିଲା। ଚୌଦ୍ବାର-କଟକ ଓ ସଦରରେ ତ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ସେହି ଦୁଇ ଆସନରେ ଦଳର ପ୍ରାର୍ଥୀ ହୋଇଥିବା ଜଗଦିଶ ମହାନ୍ତି ଓ ଅଭିଷେକ ମହାନନ୍ଦଙ୍କୁ ତ ନିର୍ବାଚନ ପରଠାରୁ ଦେଖିବାକୁ ମିଳୁନାହିଁ। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ବି ଆଉ ଆଗରେ ନାହାନ୍ତି। ଜିଲ୍ଲା କଂଗ୍ରେସର ସଭାପତି ଥିବା ଗୁରୁପଦ ନନ୍ଦଙ୍କର ଇତିମଧ୍ୟରେ ପରଲୋକ ଘଟିଛି। ଏବେ ମାନସ ଚୌଧୁରୀ ଜିଲ୍ଲା କଂଗ୍ରେସ ସଭାପତି ହୋଇଛନ୍ତି। ନଗର କଂଗ୍ରେସ, ଜିଲ୍ଲା କଂଗ୍ରେସ ତାଳମେଳ ଦୂରର କଥା, ନଗର କଂଗ୍ରେସ ଅନ୍ତର୍ଭୁକ୍ତ ବରିଷ୍ଠ ନେତା ଏବେ ପଛଧାଡିରେ। ଏ ସ୍ଥିତି କାହିଁକି? ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ନିଜେ ନଗର କଂଗ୍ରେସର ‌ସଭାପତି। କିନ୍ତୁ ଦଳର ବରିଷ୍ଠ ନେତାଙ୍କ ମୁହଁ ଲୁଚି ଯିବା ଘଟଣା ପଛର ରହସ୍ୟ ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର