ଜଗତପୁର: ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଜନକଲ୍ୟାଣ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବେଳେ କେତେକ ଯୋଗ୍ୟ ହିତାଧିକାରୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଜଗତପୁର ନିକଟ ସାଲେପୁର ବ୍ଲକ୍ ମୁତାରିଫା ପଞ୍ଚାୟତ ଅଧୀନସ୍ଥ ଭୟରପୁର ୧୪ ନଂ ୱାର୍ଡରେ ଦେଖିବାକୁ ମିଳିଛି। ଗତ ୨୦୧୯ ମଇ ମାସରେ ସାମୁଦ୍ରିକ ଝଡ଼ ଫନି ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ ବିଭିନ୍ନ ଲୋକଙ୍କ ବାସଗୃହ ଭାଙ୍ଗି ପଡ଼ିବାରୁ ସେମାନେ ବେସାହାରା ହୋଇପଡ଼ିଥିଲେ। ବାତ୍ୟା ପରଠାରୁ ଉପରୋକ୍ତ ଅଞ୍ଚଳର ବାସିନ୍ଦା ରବିନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ଉର୍ମିଳା ଅତି ଦୟନୀୟ ଅବସ୍ଥାରେ ସମୟ କାଟୁଛନ୍ତି। ଘର ଭାଙ୍ଗି ଯାଇଥିବାରୁ ୩ବର୍ଷରୁ ଅଧିକ ସମୟ ଧରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କୁ ପ୍ରଶାସନ ପକ୍ଷରୁ କେବଳ ଜରିପାଲ ଖଣ୍ଡିଏ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଘର ଦୁଇପାଖ କାନ୍ଥ ଦୁର୍ବଳ ହୋଇ ଭାଙ୍ଗିଯିବାରୁ ଛିଣ୍ଡା ଜରିପାଲକୁ ଦୁଇପଟର କାନ୍ଥ କରି ସେମାନେ ଚଳୁଛନ୍ତି।
ଅନ୍ୟ ଦୁଇପଟ କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରତିଥର ବାତ୍ୟା ସୂଚନା ମିଳିବା କ୍ଷଣି ଏହି ଦମ୍ପତି ଭୟଭୀତ ହୋଇ ପଡୋଶୀଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ରବିନାରାୟଣ ବୃତ୍ତିରେ ଜଣେ ପୂଜକ। ଦୁଇ ଝିଅଙ୍କୁ ବିବାହ ଦେବା ପରେ ତାଙ୍କର କୌଣସି ରୋଜଗାରିଆ ପୁଅ ନାହାନ୍ତି। ରୋଜଗାରରେ ଗୁଜରାଣ ମେଣ୍ଟି ଯାଉଥିବା ବେଳେ ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନି। ଯୋଗ୍ୟ ହିତାଧିକାରୀ ହୋଇଥିଲେ ସୁଦ୍ଧା ଦୀର୍ଘ ଦିନରୁ ପ୍ରଶାସନ ପାଖକୁ ଦୌଡି ଦୌଡି ନିରାଶ ହେବା ହେଉଛି। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହି ଅସହାୟ ଦମ୍ପତିଙ୍କୁ ବାସଗୃହ ଖଣ୍ଡିଏ ପ୍ରଶାସନ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/IMG-20220609-WA0048_6.jpg)