ଅସଙ୍ଗତ ନିଲାମ ପ୍ରକ୍ରିୟା, ବାଲିଯାତ୍ରାରୁ ଓହରି ଯାଉଛନ୍ତି ପୁରୁଣା ବ୍ୟବସାୟୀ

କଟକ: କାହା ସ୍ବାର୍ଥରେ ହେଉଛି ବାଲିଯାତ୍ରା? ଜନସାଧାରଣଙ୍କ ପାଇଁ ନା’ ପ୍ରଶାସନର ଆୟ ପାଇଁ? ସଂସ୍କୃତି, ପରମ୍ପରାର ସୁରକ୍ଷା ସହିତ ବିଭିନ୍ନ ବର୍ଗର ପାରମ୍ପରିକ କାରିଗର, ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ତଥା ରୋଜଗାରର ବାଟ ଦେଖାଇବା ପାଇଁ ବର୍ଷ ବର୍ଷ ଧରି ଆୟୋଜିତ ବାଲିଯାତ୍ରା ଏବେ ମୂଳ ଆଭିମୁଖ୍ୟଠୁ ଦୂରେଇ ଯିବା ଭଳି ମନେ ହେଉଛି। ‌ଚଳିତବ‌ର୍ଷ ଜିଲ୍ଲା ପ୍ରଶାସନ, ବାଲିଯାତ୍ରା ଜମି ପାଇଁ ଆରମ୍ଭ କରିଥିବା ପ୍ଲଟ୍ ନିଲାମ ହିଁ ପୁରୁଣା ବ୍ୟବସାୟୀଙ୍କୁ ବାଲିଯାତ୍ରାକୁ ଆସିବା ବାଟ ବନ୍ଦ କରିଛି। ଏଥିପାଇଁ ବର୍ଷ ବର୍ଷ ଧରି ବାଲିଯାତ୍ରାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଥିବା ଅନେକ ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀ ଏଥର ବାଲିଯାତ୍ରାକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଐତିହାସିକ କଟକ ବାଲିଯାତ୍ରାକୁ ପ୍ରଶାସନ ନୁହେଁ, କଟକର ପୁରୁଣା ବ୍ୟବସାୟୀ ଓ କଟକ‌ର ଲୋକେ ହିଁ ଆରମ୍ଭ କରିଥିଲେ। ପ୍ରଥମେ ଏହା ଗୋଟିଏ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଡ଼ଗଡ଼ିଆ ମନ୍ଦିର ପାଖରେ ବସୁଥିଲା। ଧୀରେ ଧୀରେ ଏହା ତିନି ଦିନ ହେଲା ଓ ଉପର ବାଲିଯାତ୍ରା ପଡ଼ିଆରେ ସୀମିତ ରହିଲା। ଜନଗହଳି ବଢ଼ିବାରୁ ୯୦ ଦଶକରେ ଏହା ତଳ ପଡ଼ିଆକୁ ସ୍ଥାନାନ୍ତରିତ ହେଲା। ପ୍ରଥମେ ବ୍ୟବସାୟୀମାନେ ବିନା ଦେୟରେ ଦୋକାନ ବଜାର ଖୋଲୁଥିଲେ। ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରୁ ଜିଲ୍ଲା ପ୍ରଶାସନ ଏକ ସାଂକେତିକ ମୂଲ୍ୟ ନେଇ ଜମି ଆବଣ୍ଟନ କଲା। ଜମି ଆବଣ୍ଟନ ସମୟରେ ବର୍ଷ ବର୍ଷ ଧରି ଯେଉଁ ବ୍ୟବସାୟୀମାନେ ପରମ୍ପରାକୁ ବଞ୍ଚାଇ ଆସିଛନ୍ତି, ସେହି ପୁରୁଣା ବ୍ୟବସାୟୀଙ୍କୁ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଜମି ‌ପ୍ରଦାନ କରେ। ପୁରୁଣା ବ୍ୟବସାୟୀଙ୍କ ପ୍ଲଟ୍ ଆବଣ୍ଟନ ପରେ ନୂଆ ବ୍ୟବସାୟୀଙ୍କ କଥା ବିଚାର କରାଯାଏ ଓ ସୁଯୋଗ ଦିଆଯାଏ।

କିନ୍ତୁ ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲାମ ପ୍ରକ୍ରିୟାରେ ବାଲିଯାତ୍ରା ଜମି ମୂଲ୍ୟକୁ ଏଭଳି କରାଯାଇଛି ଯେ, ଏଠି ଆଠଦିନ ପାଇଁ ଯେଉଁ ମୂଲ୍ୟ ଦେବାକୁ ଧାର୍ଯ୍ୟ ହୋଇଛି ସେହି ମୂଲ୍ୟରେ ସହର ଆଖପାଖରେ ସ୍ଥାୟୀ ପ୍ଲଟ୍ ବି କିଣି ହେବ। ପ୍ରଶାସନର ଶୋଷଣ ମନୋଭାବ ପାଇଁ ଅନେକ ପୁରୁଣା ବ୍ୟବସାୟୀ ଏବେ ବାଲିଯାତ୍ରାଠୁ ଦୂରେଇ ରହିଥିବା ସୂଚନା ମିଳିଛି। ୨୦୦୫ମସିହାରେ ବାଲିଯାତ୍ରା ଜମି ଦର ବର୍ଗଫୁଟ୍‌ ପିଛା ୫ଟଙ୍କା ୨୫ପଇସା ରହିଥିବା ବେଳେ ୨୦୧୯ରେ ବାଲିଯାତ୍ରା ଜମି ବର୍ଗ ଫୁଟ୍ ପିଛା ୩୦ ଟଙ୍କା ରହିଥିଲା। କିନ୍ତୁ ଚଳିତବର୍ଷ ଜମି ବର୍ଗ ଫୁଟ୍ ପିଛା ୫୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ନିଲାମ ପ୍ରକ୍ରିୟା ଦ୍ବାରା ଏହା ବଢ଼ି ବର୍ଗଫୁଟ୍ ପିଛା ୨୦୦ଟଙ୍କା ବା ତାହାଠୁ ଅଧିକ ହୋଇଛି। ପୁଣି ନିଲାମ ପ୍ରକ୍ରିୟା ଦ୍ବାରା ପ୍ରଶାସନ ପୁରୁଣା ବ୍ୟବସାୟୀଙ୍କ ତୁଳନାରେ ଅଣବ୍ୟବସାୟୀ ଓ ମାଫିଆମାନଙ୍କୁ ଜମି ନେବା ପାଇଁ ସୁଯୋଗ ‌ସୃଷ୍ଟି କରିଛି। ନିଲାମରେ ଜମି ପାଇଥିବା ମାଫିଆମାନେ ଏବେ ଚଢ଼ା ଦରରେ ବ୍ୟବସାୟୀଙ୍କୁ ଜମି ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା କାହାକୁ ଅଛପା ନାହିଁ। ୨୦୦୦ ମସିହାରୁ ବାଲିଯାତ୍ରାରେ ଫର୍ଣ୍ଣିଚର୍‌ ୟୁନିଟ୍ ଖୋଲିଆସୁଥିବା ଡ୍ୟୁରୋ ଡେକୋରେଟର୍‌ ଇଣ୍ଡିଆ ପ୍ରା. ଲିଃ.ର ସତ୍ତ୍ବାଧିକାରୀ ଅଶୋକ ସ୍ବାଇଁ ଚଳିତବର୍ଷ ବାଲିଯାତ୍ରାରୁ ଓହରି ଯାଇଥିବା କହିଛନ୍ତି। ଶ୍ରୀ ସ୍ବାଇଁଙ୍କ କହିବା ଅନୁସାରେ, ପ୍ଲଟ୍ ନିଲାମ କରି ପ୍ରଶାସନ ଜମି ଦରକୁ ଆକାଶଛୁଆଁ କରିଛନ୍ତି। ୨୦୦୦ମସିହା ତୁଳନାରେ ୨୦୨୨ର ବାଲିଯାତ୍ରା ଜମି ଦର ୧୦ଗୁଣା ହୋଇଥିବା ବେଳେ ନିଲାମ ପ୍ରକ୍ରିୟା ଏହାକୁ ଅତ୍ୟଧିକ ବଢ଼ାଇ ଦେଇଛି। ନିଲାମରେ ଜମି କିଣିଲେ, ବର୍ଗ ଫୁଟ୍ ପିଛା ୨୦୦/୨୪୦ଟଙ୍କା ପଡ଼ୁଛି। ଏହି ଦରରେ ଜମି କିଣିଲେ, କ୍ଷୁଦ୍ର ବ୍ୟବସାୟୀମାନେ ଅନେକ କ୍ଷତି ସହିବେ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଶ୍ରୀ ସ୍ବାଇଁଙ୍କ ଭଳି ଅନେକ ବ୍ୟବସାୟୀ ଏବର୍ଷ ବାଲିଯାତ୍ରାରୁ ଓହରି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର