ନିରାଶ୍ରୟଙ୍କୁ ଭତ୍ତା ସାତ ସପନ: ୨୦୧୯ରୁ ବାରଦୁଆର ହେଉଛନ୍ତି କାଞ୍ଚନ, କାନ୍ତା ଓ ଧନିଆ

କଟକ: ଅସହାୟ ବୃଦ୍ଧା ଧନିଆ ବେହେରା। ବୟସ ୭୨ ଟପିଲାଣି। ୨୦୧୮ରେ ସ୍ବାମୀ ଟୁବୁଲା ବେହେରା କର୍କଟ ରୋଗରେ ଆଖି ବୁଜିଲେ। ବୟସର ଅପରାହ୍‌ଣରେ ବି ଧନିଆ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ପର ଘରେ ବାସନ ମାଜି କାଟୁଛନ୍ତି ଜୀବନ। ଧନିଆଙ୍କ ଭଳି ୩୩ ନମ୍ବର ୱାର୍ଡ ନାୟକସାହି, ଘାସିଆସାହି ଆଦି ଅଞ୍ଚଳର ବହୁ ବିଧବା, ବୟସ୍କା, ଅସହାୟ ମହିଳା ଭତ୍ତାକୁ ଚାତକ ଭଳି ଚାହିଁଛନ୍ତି। ୨୦୧୯ରୁ ଭତ୍ତା ପାଇଁ ସିଏମ୍‌ସିରେ ଆବେଦନ କରିଥିଲେ ମଧ୍ୟ ଏଯାଏ ଭତ୍ତାକାର୍ଡ ଖଣ୍ଡେ ସେମାନଙ୍କ ପାଇଁ ସାତ ସପନ ହୋଇଛି। ଏବେ ଯଦି ଭତ୍ତା ନ ମିଳେ ଆଉ ଆଖିବୁଝିଲା ପରେ କ’ଣ ସରକାର ଭତ୍ତାକାର୍ଡ ଦେବେ ବୋଲି କହୁଛନ୍ତି ଏହି ଅସହାୟ ମହିଳାମାନେ।
୩୩ ନଂ ୱାର୍ଡ ଅନ୍ତର୍ଗତ ନାୟକସାହି, ଘାସିଆସାହି ଆଦି ଅଞ୍ଚଳରେ ଶତାଧିକ ବୟସ୍କ‌ ବ୍ୟକ୍ତି ବିଧବା, ବାର୍ଦ୍ଧକ୍ୟ ଆଦି ଭତ୍ତା ପାଇବାକୁ ଯୋଗ୍ୟ ଅଟନ୍ତି। ଏମାନେ ୨୦୧୯ରୁ ସିଏମ୍‌ସି ଅଫିସରେ ଭତ୍ତା ପାଇଁ ଆବେଦନ କରିଛନ୍ତି। ଭତ୍ତା ପାଇବାକୁ ଅନେକ ଥର ସିଏମ୍‌ସି ଅଫିସକୁ ଧାଇଁଲେଣି। କିଛି ଫଳ ନମିଳିବାରୁ ଭାଗ୍ୟକୁ ଆଦରି ଜୀବନ କାଟୁଛନ୍ତି ଏହି ମହିଳାମାନେ। ଘାସିଆ ସାହିର ପ୍ରମିଳା ଅଧିକାରୀ(୪୫ବର୍ଷ)ଙ୍କର ଅଢ଼େଇ ବର୍ଷ ତଳେ ସ୍ବାମୀ ଦିବାକର ଅଧିକାରୀଙ୍କ ପରଲୋକ ଘଟିଲା। ତାଙ୍କର ଚଳିବାକୁ କିଛି ଉପାୟ ନଥିବାରୁ ୨୦୧୯ରେ ସେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଏଯାଏ କୌଣସି ସହାୟତା ମିଳିନାହିଁ। ଘାସିଆସାହିର କାଞ୍ଚନ ନାୟକ(୭୫ବର୍ଷ)ଙ୍କର ସ୍ବାମୀ, ପିଲାଛୁଆ କେହି ନାହାନ୍ତି। କାଞ୍ଚନ ଭତାକାର୍ଡ ପାଇବା ସହିତ ଗୋଟିଏ ମାସର ଭତ୍ତା ୫ଶହ ଟଙ୍କା ମଧ୍ୟ ପାଇଛନ୍ତି। କିନ୍ତୁ ଆଉ ତାଙ୍କୁ କିଛି ମିଳୁନାହିଁ। କାଞ୍ଚନଙ୍କ କହିବା ଅନୁସାରେ, ବର୍ଷେ ତଳେ ଗୋଟିଏ ମାସର ଭତ୍ତା ଟଙ୍କା ମିଳିଥିଲା। କିନ୍ତୁ ପରେ ଅଫିସ୍ ‌ଦୌଡି ଦୌଡି ଅଭିଯୋଗ କଲେ ମଧ୍ୟ କେହି କିଛି ଶୁଣୁ ନାହାନ୍ତି ବୋଲି କୁହନ୍ତି କାଞ୍ଚନ। ବି‌.କାନ୍ତାଙ୍କୁ ୭୫ବର୍ଷ ହେଲାଣି। କାନ୍ତାଙ୍କ ସ୍ବାମୀ ଆପାରାଓଙ୍କ ପରଲୋକ ପରେ ତାଙ୍କୁ ଦେଖାଶୁଣା କରିବାକୁ କେହି ନାହିଁ। ତାଙ୍କର ଭୋଟର କାର୍ଡ, ଆଧାର କାର୍ଡ ଆଦି ସବୁ ପ୍ରମାଣପତ୍ର ରହିଛି। ସେ ୨୦୧୯ରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷା କରିଛନ୍ତି। କାନ୍ତାଙ୍କ କହିବା ଅନୁସାରେ, ଆମେ ଆଉ କେତେ ଦିନ ବଞ୍ଚିବୁ ଯେ ସରକାର ଆମକୁ ଭତ୍ତା ଦେଉ ନାହାନ୍ତି। ଆମେ ମଲା ପରେ ସରକାର ଆମକୁ ଭତ୍ତା ଦେବେ ବୋଲି କାନ୍ତା କ୍ଷୋଭ ପ୍ରକାଶ କରି କହିଛନ୍ତି।

ଏ ସଂକ୍ରାନ୍ତରେ ସମାଜସେବୀ ରବୀନ୍ଦ୍ର ସାହୁ କହିଛନ୍ତି, ୩୩ ନମ୍ବର ୱାର୍ଡରେ ଏଭଳି ଶତାଧିକ ଅସହାୟ ଲୋକ ରହିଛନ୍ତି। ଏମାନଙ୍କ ପାଇଁ ଆମେ ଭତ୍ତା କାର୍ଡ ଆବେଦନ କରି ସିଏମ୍‌ସି ଅଫିସ୍ ଦୌଡୁଛୁ। କିନ୍ତୁ ‌ଅଫିସ୍ ପକ୍ଷରୁ କୋଟା ନାହିଁ କହି ଏଯାଏ କାହାକୁ ଭତ୍ତା କାର୍ଡ ପ୍ରଦାନ କରାଯାଇନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ବିଚରା ଲୋକମାନେ ଏ ବୟସରେ ବାସନ ମାଜି, ମାଗିଯାଚି ଚଳୁଥିବା ଶ୍ରୀ ସାହୁ କହିଛନ୍ତି। ପ୍ରସଙ୍ଗକୁ ନେଇ ସିଏମ୍‌ସି ଏସ୍‌ଆଇଓ ତଥା ଡେପୁଟି କମିସନର ଅମ୍ରିତ୍ ସରକାର କହିଛନ୍ତି ଯେ ସହରରେ ଯେଉଁମାନେ ଭତ୍ତା ପାଉଥିଲେ ଏବଂ ଏବେ ମରିଯାଇଛନ୍ତି, ସେମାନଙ୍କ ଏକ ଚିଠା ଆମେ ସରକାରଙ୍କ ପାଖକୁ ପଠାଇଛୁ। ଏହା ଅନୁମ‌ୋଦନ ହୋଇ ଆସିବା ପରେ ସେହି ସ୍ଥାନରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଭତ୍ତା ପ୍ରଦାନ କରାଯିବ। କିନ୍ତୁ ସରକାରଙ୍କ ପକ୍ଷରୁ ‌ଆଉ ନୂଆ ଭତ୍ତା କାର୍ଡ ଦେବା ପାଇଁ କିଛି ନିର୍ଦ୍ଦେଶନାମା ନାହିଁ ‌ବୋଲି ଡେପୁଟି କମିସନର ଶ୍ରୀ ସରକାର ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର