କଟକ: କଟକ ମାଲଗୋଦାମରୁ ନକଲି ମସଲା କାରଖାନା ଠାବ ମାମଲା। ଆଜି ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତକୁ ମାଲଗୋଦାମ ଥାନା ପୁଲିସ କରିଛି ଗିରଫ। ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ଏହି ନକଲି ମସଲା କାରଖାନା ଠାବ ହୋଇଥିଲା । ସିଏମସି ଓ ମାଲଗୋଦାମ ଥାନା ପୁଲିସ ମିଳିତ ଚଢାଉ କରି ୨୦ ବସ୍ତା ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଥିଲେ। ଏହା ସହ ଚାଉଳ ଚୁନା ଓ ରାସାୟନିକ ରଙ୍ଗ ମଧ୍ୟ ଜବତ କରାଯାଇଥିଲା। ତେବେ ଏହା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ସୂଚନା ଏସିପି ଅରୁଣ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

Advertisment

ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ବ୍ୟବଧାନ ପରେ ଗତକାଲି ମାଲଗୋଦାମ ଅଂଚଳରୁ ୨୦ କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଜବତ କରାଯାଇଥିଲା | ସବୁ ଗୁଣ୍ଡରେ ଚାଉଳ, ରଙ୍ଗ , କେମିକାଲ ମିଶାଯାଉଥିବାବେଳେ ଅନେକ ବର୍ଷ ଧରି ବ୍ୟବସାୟୀ ଜଣଙ୍କ ଅରୁଣ କୁମାର ଗନ୍ତାୟତ ଖୁଲମଖୁଲା ବ୍ୟବସାୟ କରୁଥିବାର ଜଣାପଡିଛି | ତେବେ ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ଜଣାପଡିଛି । ତେବେ ପୂର୍ବରୁ ଅପମିଶ୍ରଣର ଠିକଣା ପାଲଟି ସାରିଛି ସିଲଭରସିଟି । ପ୍ରଥମେ ସସ, ଚା, ଘିଅ, ସୋୟାବିନ, ଗୁଟଖା ଆଦି ନକଲି ସାମଗ୍ରୀ ଚିହ୍ନଟ ହୋଇଥିବାବେଳେ ଏବେ ପୁଣି ନକଲି ମସଲା ଜବତ ହୋଇଛି ।