କଟକ : ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ଫେଲ୍। କିନ୍ତୁ ବ୍ୟାଙ୍କ୍ରୁ ଠକିନେଇଛି ଦେଢ କୋଟିରୁ ଅଧିକ ଟଙ୍କା। ଜମି ମାଲିକଙ୍କ କାଗଜପତ୍ର ଜାଲ୍ କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେବା ଅଭିଯୋଗରେ ଲାଲବାଗ ଥାନା ପୁଲିସ ଏଭଳି ଏକ ଠକକୁୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାଦାମବାଡ଼ି ଥାନା ଖାନନଗର ଅଞ୍ଚଳର ପ୍ରଶାନ୍ତ ଗୁରୁ। ଆଜି ତାକୁ ପୁଲିସ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ ଜଗତସିଂହପୁର ଅଞ୍ଚଳର ରଞ୍ଜନ କୁମାର ପଲେଇ ତାଙ୍କ ଜମିର ଜେରକ୍ସ କାଗଜପତ୍ର ସିଡିଏରେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ। ଏହି କାଗଜପତ୍ରକୁ କୌଶଳକ୍ରମେ ପ୍ରଶାନ୍ତ ଗୁରୁ ଚୋରି କରିନେଇଥିଲା। ସେହି ଜେରକ୍ସ କାଗଜ ଆଧାରରେ ଓରିଜିନାଲ୍ ଦେଖାଯାଉଥିବା ଆଉ ଏକ କାଗଜପତ୍ର ପ୍ରସ୍ତୁତ କରିଥିଲା। କଟକ ଏଚ୍ଡିଏଫ୍ସି ବ୍ୟାଙ୍କରେ ରଞ୍ଜନଙ୍କ ନାମରେ ଏକ ଜାଲ୍ ଜମା ଖାତା ଖୋଲି ସେଠୁ ୧୫ ଲକ୍ଷ ଟଙ୍କାର ଋଣ ଉଠାଇଥିଲା। ଜଣେ ବୃଦ୍ଧବ୍ୟକ୍ତିଙ୍କୁ ରଞ୍ଜନ ପଲେଇ ନାଁରେ ରେଜିଷ୍ଟ୍ରି ଅଫିସ୍ରେ ଦର୍ଶାଇ ପ୍ରଶାନ୍ତ ଉକ୍ତ ଜମିକୁ ନିଜ ନାମରେ କରି ଦେଇଥିଲା। ଅନ୍ୟପଟେ ବ୍ୟାଙ୍କର ଋଣ ଟଙ୍କା ସୁଝା ନହେବାରୁ ରଞ୍ଜନଙ୍କ ଜମି ନିଲାମ ପାଇଁ ବ୍ୟାଙ୍କ ପକ୍ଷରୁ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରଞ୍ଜନ ଋଣ ସମ୍ପର୍କରେ କିଛି ଜାଣି ନଥିବାରୁ ତୁରନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ରେଜିଷ୍ଟ୍ରି ଅଫିସ୍ ସହିତ ଯୋଗାଯୋଗ କରିଥିଲେ । ତାଙ୍କ ନାମରେ ନକଲି କାଗଜପତ୍ର ପ୍ରସ୍ତୁତ କରାଇ କେହି ଦୁର୍ବୃତ୍ତ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ସେ ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ରଶାନ୍ତକୁ ଠାବ କରିଥିଲା। ସେ ପୂର୍ବରୁ ଚାଉଳିଆଗଞ୍ଜ ଶ୍ରୀରାମ୍ ଫାଇନାନ୍ସରେ ମଧ୍ୟରେ ରଞ୍ଜନଙ୍କ ନକଲି ଜମି କାଗଜପତ୍ର ଜମା କରି ୪୦ ଲକ୍ଷ ଉଠାଇ ନେଇଥିଲା । ଏଭଳି ମୋଟ ୫ଟି ଠକେଇ ଘଟଣାରେ ପାଖାପାଖି ଦେଢ଼ କୋଟିରୁ ଅଧିକ ଟଙ୍କା ସେ ଠକିନେଇଥିବା ପୁଲିସ ଜାଣିବାକୁ ପାଇଛି। ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିଭିନ୍ନ ବ୍ୟାଙ୍କର ଅଧିକାରୀଙ୍କର ଲାଲବାଗ ଥାନାକୁ ଧାଡ଼ି ଲାଗିଛି।