କଟକ: ଟ୍ରକ୍‌କୁ ପଛରୁ ଧକ୍କାଦେଇ ଜୀଅନ୍ତା ଜଳିଗଲେ ବାଇକ୍‌ ଆରୋହୀ

କଟକ/ଖୁଣ୍ଟୁଣୀ: ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଜଣେ ବାଇକ୍‌ ଆରୋହୀ ବୁଧବାର ସନ୍ଧ୍ୟାରେ ଜୀଅନ୍ତା ଜଳି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ଆଠଗଡ଼ ବ୍ଲକର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗରିଆ ଛକଠାରେ ଏହି ଅଭାବନୀୟ ଘଟଣା ଆଜି ରାତି ପ୍ରାୟ ୭ଟାରେ ଘଟିଛି। ଖୁଣ୍ଟୁଣୀ-ଘଣ୍ଟିଖାଳ ପୂର୍ତ୍ତ ବିଭାଗ ରାସ୍ତାରେ ଯାଉଥିବା ଟ୍ରକ୍‌କୁ ରାଧେଶ୍ୟାମପୁର ଗ୍ରାମର ଭାଗବତ ନାଏକ(୪୯) ଧକ୍କା ଦେଇଥିଲେ। ଦୁର୍ଘଟଣାର ଅଳ୍ପ ସମୟ ମଧ୍ୟରେ ଭାଗବତ ବାଇକ୍‌ ସହିତ ଜଳି ଯାଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତା ଅବରୋଧ କରିବା ପରେ ସ୍ଥାନୀୟ ଉପଜିଲ୍ଲାପାଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ୧୦,୦୦୦ ଟଙ୍କା ସହାୟତା ରାଶି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଟ୍ରକ୍‌କୁ ଜବତ କରିଛି।

 

ସମ୍ବନ୍ଧିତ ଖବର