ବେଲେଶ୍ବର ଡବଲ ମର୍ଡର; ଜଣେ ସନ୍ଦିଗ୍ଧକୁ ଉଠାଇ ଜେରା

କଟକ: ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ମାମଲାରେ କଟକ କମିସନରେଟ୍‌ ପୁଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ସମ୍ପୃକ୍ତ ବ୍ୟକ୍ତିର ହତ୍ୟାକାଣ୍ତ ସହିତ ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଜେରା ଜାରି ରଖିଛି। ସହରର ଏକ ଅଜ୍ଞାତ ସ୍ଥାନରେ ରଖି ତାକୁ ଜେରା କରାଯାଉଥିବା ବେଳେ ସେହି ହତ୍ୟାକାଣ୍ତରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳୁଛି। ସୂଚନା ଅନୁଯାୟୀ, ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ମଧୁପାଟଣା ବେଲେଶ୍ବର ଅଞ୍ଚଳରେ ଶ୍ରୀନାଥ ସାମଲ ଓ ବିଦ୍ୟୁଲତା ସାମଲଙ୍କୁ ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିଥିଲେ।

ଏହି ଘଟଣାରେ ୩ରୁ ୪ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା। ଶ୍ରୀନାଥଙ୍କ ସୁଧ କାରବାର ଏବ˚ ପାରିବାରିକ ଶତ୍ରୁତାକୁ ନେଇ ବିଭିନ୍ନ ଚର୍ଚ୍ଚା ସାମନାକୁ ଆସୁଥିବା ବେଳେ ବ୍ରହ୍ମପୁରର ଏକ ଭଡ଼ାଟିଆ ଦମ୍ପତିଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ପ୍ରାୟ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ବି କରିସାରିଛି। ତନିଘରିଆ ଅଞ୍ଚଳର ଜଣେ ଠିକାଦାରଙ୍କୁ ଥାନାକୁ ଡାକି ପୁଲିସ ଜେରା କରିଥିବା ବେଳେ କାମବାଲି ବି ପୁଲିସର ଜେରାର ସାମନା କରି ସାରିଛି। ପୁଣି ଏବେ ଜଣେ ସନ୍ଦିଗ୍ଧକୁ ପୁଲିସ ଉଠାଇ ନେଇ ଜେରା କରିବା ଘଟଣା ଦୁଇ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ତକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର