୧୦୭ ସିସି କ୍ୟାମେରା ନଜରରେ କଟକ ସହର, ଡିସିପି ଅଫିସ୍‌ରୁ ୨୪ ଘଣ୍ଟିଆ ନଜ଼ର ରଖିବାକୁ ବ୍ୟବସ୍ଥା

ମହାନଦୀବିହାର: କଟକ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିଛି ୧୦୭ଟି ସିସି କ୍ୟାମେରା। ସହରରେ ଅପରାଧ ନିୟନ୍ତ୍ରଣ, ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିବା, ଦୁର୍ଘଟଣାର ଦୋଷୀଙ୍କୁ ଚିହ୍ନଟ କରିବା ଭଳି ବିଭିନ୍ନ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ବେଆଇନ ଗାଡି ପାର୍କିଙ୍ଗ ଓ ବେପରୱା ଗାଡ଼ି ଚାଲାଣ କଲେ ମଧ୍ୟ ଲୋକଙ୍କୁ ଚିହ୍ନଟ କରାଯାଇ ଜରିମାନା ଆଦାୟ କରାଯିବ। ଏହି ଅତ୍ୟାଧୁନିକ ବୁଲେଟ୍ କ୍ୟାମେରା ଜରିଆରେ ୩ଶହ ମିଟର ପର୍ଯ୍ୟନ୍ତ ଲୋକଙ୍କୁ ସ୍ପଷ୍ଟ ଚିହ୍ନି ହେବ। ଏ ସଂପର୍କରେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଏହି କ୍ୟାମେରା ଜରିଆରେ ସାରା ସହର ଉପରେ ପ୍ରତ୍ୟେକ ମୁହୂର୍ତ୍ତରେ ନଜର ରଖାଯିବ। ଏହି ସିସି କ୍ୟାମେରା ଗୁଡିକର ନିୟନ୍ତ୍ରଣ ଏବଂ ଅନୁଧ୍ୟାନ ବ୍ୟବସ୍ଥା ଡିସିପିଙ୍କ ଅଫିସରେ ରହିଥିବା ବେଳେ ଏଥିପାଇଁ ପ୍ରାୟ ୫୦ ଜଣ କର୍ମଚାରୀ ବିଭିନ୍ନ ସିଫ୍ଟରେ ରାତି ଦିନ ନିୟୋଜନ ହୋଇଛନ୍ତି। ଏଥିପାଇଁ ଏକ ଉନ୍ନତ ଧରଣର ସି ସି ବ୍ୟାଚ ଟିମ୍‌ ଗଠନ କରାଯାଇଛି। ଯେ କୌଣସି ଜାଗାରେ ସନ୍ଦେହ ହେଲେ ତୁରନ୍ତ ଏହି ବ୍ୟାଚ୍‌ ଟିମ୍‌ ସି ସି କ୍ୟାମେରା ଲାଗିଥିବା ଥାନା ଅଞ୍ଚଳକୁ ଜଣାଇବ। ପ୍ରତି ଥାନାରେ ଜଣେ ଅଫିସର ଏହି ଦାୟିତ୍ୱରେ ରହିବେ।

Sambad

କଟକର ଦରଘାବଜ଼ାରରେ ୫, ମଙ୍ଗଳାବାଗରେ ୫, ମଣିସାହୁ ଛକରେ ୩, ରାଣୀହାଟରେ ୪, ହିନ୍ଦ ସିନେମା ନିକଟରେ ୫, ପ୍ରେସ ଛକରେ ୩, ହରିପୁରରେ ୧୨, ଦୋଳମୁଣ୍ଡାଇରେ ୬, ମାଲଗୋଦାମରେ ୪, ବେଲଭିଉରେ ୪, ସତୀଚୌରାରେ ୪, ଚହଟାରେ ୪, ବିଜୁ ପଟ୍ଟନାୟକ ଛକରେ ୬, ନୟାସଡ଼କରେ ୬, ଚୌଧୁରୀ ବଜ଼ାରରେ ୪, ବକ୍ସିବଜ଼ାରରେ ୧୭, ଚଣ୍ଡୀ ଛକରେ ୬, ବାଦାମବାଡ଼ିରେ ୩, ଓ ଏମ ପି ଛକରେ ୪ଟି ସିସି କ୍ୟାମେରା ଲଗାଯାଇଛି। ଆଗାମୀ ଦିନରେ କମିସନରେଟ ପୁଲିସ ପକ୍ଷରୁ ଆହୁରି ୧୦୦ ସିସି କ୍ୟାମେରା ଲଗାଇବା ପାଇଁ ଜାଗା ଚିହ୍ନଟ ସରିଥିବା ବେଳେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଥାନା ଅଧୀନରେ ଲଗା ଯାଇଥିବା କ୍ୟାମେରାକୁ ଥାନାର ଦୁଇ ଜଣ ଅଫିସର ମନିଟରରେ ଦେଖିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବ୍ୟାଚ୍‌ ରୁମ୍‌ରେ ପ୍ରାୟ ୩୦ରୁ ଅଧିକ ମନିଟର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର