୧୫ ବର୍ଷ ହେଲା ସିଏମ୍‌ସିରେ ଜଣେ ମେକାନିକାଲ୍‌ ଇଂଜିନିୟର

୩ ଜଣଙ୍କ ସ୍ଥାନରେ ଅଛନ୍ତି ଜଣେ; ଗାଡ଼ି ମରାମତିରୁ ତେଲ ଆବଣ୍ଟନ ତାଙ୍କରି ହାତରେ

କଟକ: ସହରର ରାସ୍ତା ସଫେଇରୁ ଜଳ ନିଷ୍କାସନ କାମ ମହାନଗର ନିଗମର ବିଭିନ୍ନ ମେସିନ୍‌ ଦ୍ବାରା କରାଯାଉଛି। ମାତ୍ର ସେଗୁଡ଼ିକର ସୁପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ସଂଖ୍ୟକ ମେକାନିକାଲ୍‌ ଇଂଜିନିୟର। ସିଏମ୍‌ସିରେ ମେକାନିକାଲ୍‌ ଇଂଜିନିୟର ପଦବି ୩ଟି ଥିବା ବେଳେ ୧୫ବର୍ଷରୁ ଅଧିକ ଦିନ ଧରି ଜଣେ ଇଂଜିନୟରଙ୍କ ଦ୍ବାରା ସବୁକାମ କରାଯାଉଛି। ଜଣେ ଅଧିକାରୀଙ୍କ ଦ୍ବାରା ନିଗମର ସମସ୍ତ ଯନ୍ତ୍ରପାତିର ମରାମତିରୁ ଆରମ୍ଭ କରି ତେଲ ଆବଣ୍ଟନ କରାଯାଉଥିବାରୁ ବିଭିନ୍ନ ସମୟରେ ଏଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ମହାନଗର ନିଗମରେ ନାହାନ୍ତି ଆବଶ୍ୟକୀୟ ସଂଖ୍ୟାର ମେକାନିକାଲ୍‌ ଇଂଜିନିୟର। ଗତ ୧୫ବର୍ଷ ଧରି ନିଗମର ସମସ୍ତ ଯନ୍ତ୍ରାଂଶ ମରାମତି କାମ ଜଣେ ଇଂଜିନିୟରଙ୍କ ଦାୟିତ୍ବରେ ରହିଛି। ଏହା ସହିତ ଉକ୍ତ ଇଂଜିନୟଙ୍କୁ ନିଗମର ବିଭିନ୍ନ ଗାଡ଼ିରେ ତେଲ ବଣ୍ଟନ ଦାୟିତ୍ବ ବି ଦିଆଯାଇଛି। ପ୍ରତିବର୍ଷ ବର୍ଷାଦିନରେ ସହରର ବିଭିନ୍ନ ସ୍ଥାନରେ ଦେଢ଼ଶହ ପାଣି ପମ୍ପ୍‌ ବସିବା ଓ ସେଗୁଡ଼ିକୁ ତେଲ ଦେବାର ଭାର ମଧ୍ୟ ଉକ୍ତ ଅଧିକାରୀଙ୍କ ଉପରେ ରହିଛି। ନିଗମ ନିକଟରେ ଥିବା ୨ଟି ବଡ଼ ଏକ୍ସାଭେଟ୍‌ର, ୩ଟି ସେସ୍‌ପୁଲ୍‌, ୩ଟି ଇଲେକ୍ଟ୍ରିକ ଲ୍ୟାଡର, ୩ଟି ଜେସିବି, ୪ଟି ପିକ୍‌ଅପ ଭ୍ୟାନ, ୪ଟି ଜିପ୍‌, ୬ଟି ମିନି ଏକ୍ସାଭେଟ୍‌ର ପରି ୪୦ରୁ ଅଧିକ ଗାଡ଼ିର ମରାମତି ଓ ତେଲ ବଣ୍ଟନ କାମ ମଧ୍ୟ ଉକ୍ତ ମେକାନିକାଲ୍‌ ଇଂଜିନିୟରଙ୍କ ଦ୍ବାରା କରାଯାଉଛି। ୩ଶହରୁ ଅଧିକ ପାଣିପମ୍ପ୍‌ର ମରାମତି ପ୍ରତିବର୍ଷ କରାଯାଉଥିବା ବେଳେ ଏହାର ଦାୟିତ୍ବ ମଧ୍ୟ ଉକ୍ତ ଇଂଜିନିୟରଙ୍କ ଉପରେ ରହିଛି।

ଏହି ସବୁ ଗାଡି ଓ ଯନ୍ତ୍ରଶଂର ମରାମତି ଓ ତେଲ ବାଣ୍ଟିବା କାମ ଜଣଙ୍କ ଅଧୀନରେ କରାଯାଉଥିବା ବେଳେ ଏଥିରେ ବିଭିନ୍ନ ସମୟରେ ମିଥ୍ୟା ବିଲ୍‌ କରାଯାଇ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ନିଗମରେ ଅଧିକ ସଂଖ୍ୟାର ମେକାନିକାଲ୍‌ ଇଂଜିନିୟର ଆବଶ୍ୟକ ଥିବା ବେଳେ ଦୀର୍ଘ ବର୍ଷ ଧରି କର୍ତ୍ତୃପକ୍ଷ ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନାହାନ୍ତି। ଜଣେ ଇଂଜିନିୟରଙ୍କ ଦ୍ବାରା ବର୍ଷକୁ କୋଟି କୋଟି ଟଙ୍କାର ଯନ୍ତ୍ରାଶଂ ମରାମତି ଓ ତେଲ ଆବଣ୍ଟନ କରାଯାଉଥିବାବେଳେ ଅଧିକ ମେକାନିକାଲ୍‌ ଇଂଜିନିୟରଙ୍କ ନିଯୁକ୍ତି ପାଇଁ ଚେଷ୍ଟା କରା ନଯିବା ପଛରେ ନିଗମ କର୍ତ୍ତୃପକ୍ଷଙ୍କ କି ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର