କଟକ: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋଲିଥିବା ‘କ୍ଲଥ୍ ବ୍ୟାଙ୍କ୍’କୁ ମାସେ ପୂରିଛି। ଏହି ‘କ୍ଲଥ୍ ବ୍ୟାଙ୍କ୍’ ମାଧ୍ୟମରେ ମାସକ ମଧ୍ୟରେ ୧୦ ହଜାରରୁ ଅଧିକ ଅସହାୟ ଲୋକଙ୍କୁ ପୋଷାକ ବଣ୍ଟାଯାଇଛି। ଏହା ଦ୍ବାରା ପୋଷାକ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଦିନ ବ୍ୟାଙ୍କ୍ରେ ପୁରୁଣା ଆଉ ନୂଆ ପୋଷାକ ଜମା ହେଉଛି। ଆଉ ପାଖାପାଖି ୫ ହଜାର ଲୋକଙ୍କର ବିତରଣ କଲା ଭଳି ପୋଷାକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ’ ଗଚ୍ଛିତ ରଖିଛି। ଏଭଳି ଅଭିନବ ପ୍ରୟାସ ପାଇଁ ଉଭୟ ଗରିବ ଅସହାୟ ଲୋକ ଓ ସହରର ଧନୀଶ୍ରେଣୀରେ ଲୋକ ଫାଉଣ୍ଡେସନକୁ ପ୍ରଶଂସା କରିଛନ୍ତି। ଲୋକେ ପୋଷାକ ସହ ପାଠ୍ୟଉପକରଣ, ମୋବାଇଲ ଫୋନ୍, ଲ୍ୟାପ୍ଟପ୍ ମଧ୍ୟ ଦାନ କରୁଥିବା ଫାଉଣ୍ଡେସନ ସୂତ୍ରରୁ ଜଣାପଡ଼ିଛି। ସହର ତଥା ସହରତଳି ବିଭିନ୍ନ ବସ୍ତିରେ ରହୁଥିବା ଅସହାୟ ଲୋକଙ୍କୁ ପୋଷାକ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ମେ’ ୧୧ତାରିଖରେ ‘ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ’ ପକ୍ଷରୁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘କ୍ଲଥ୍ ବ୍ୟାଙ୍କ୍’ ଖୋଲା ଯାଇଥିଲା। ଏଥିରେ ଥିଲାବାଲା ବା ବିତ୍ତଶାଳୀ ପରିବାର ବ୍ୟବହାର ହୋଇଥିବା ପୋଷାକକୁ ଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ‘କେଶବ ଫାଉଣ୍ଡେସନ’ର ଅଧ୍ୟକ୍ଷା ରଶ୍ମିତା ମିଶ୍ର ପ୍ରଥମେ ପୋଷାକ ପ୍ରଦାନ କରି ’କ୍ଲଥ୍ ବ୍ୟାଙ୍କ୍’ର ଶୁଭାରମ୍ଭ କରିଥିଲେ। ଏହା ମଧ୍ୟରେ ଟାଟା ଏସିରେ ୬/୭ଟ୍ରିପ୍ ପୋଷାକ ସଂଗ୍ରହ କରାଯାଇ ୪୨ମୌଜା ଅଞ୍ଚଳ, କାଠଯୋଡ଼ି ବିହାର, ସିଡିଏ, ବିଡ଼ାନାସୀ ଆଦି ଅଞ୍ଚଳରେ ଥିବା ବସ୍ତିରେ ପୋଷାକ ବଣ୍ଟନ କରାଯାଇଛି।
ଅନୁଷ୍ଠାନ ପକ୍ଷରୁ ପ୍ରାୟ ୧୦ହଜାରରୁ ଅଧିକ ଗରିବ, ଅସହାୟ ଲୋକଙ୍କୁ ପୋଷାକ ବଣ୍ଟନ କରାଯାଇଛି। ଆଉ ମଧ୍ୟ ୩ଟ୍ରିପ୍ ପୋଷାକ ପ୍ରାୟ ୫ହଜାର ଲୋକଙ୍କ ବଣ୍ଟାଗଲା ଭଳି ପୋଷାକ ଗଚ୍ଛିତ ରହିଛି। କେବଳ ପୋଷାକ ନୁହେଁ, ଲୋକେ ବହି, ପେନ୍, ପେନସିଲ, ସେକେଣ୍ଡ ହ୍ୟାଣ୍ଡ ମୋବାଇଲ, ଲ୍ୟାପ୍ଟପ୍ ଆଦିକୁ ମଧ୍ୟ କ୍ଲଥ୍ ବ୍ୟାଙ୍କ୍ ଜରିଆରେ ପ୍ରଦାନ କରିଛନ୍ତି। ‘ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଂଧାରାଣୀ ଦଳେଇଙ୍କ କହିବା ଅନୁସାରେ, ପ୍ରଥମେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଘରକୁ ଘର ବୁଲି ପୋଷାକ ସଂଗ୍ରହ କରି ଗରିବ ଲୋକଙ୍କୁ ବାଣ୍ଟୁ ଥିଲେ। ‘ଫାଉଣ୍ଡେସନ’ର ସଭାନେତ୍ରୀ ମଧୁମିତା ରାୟଚୌଧୁରୀ, ସଂପାଦକ ଟୁକୁନା ସ୍ୱାଇଁ, ଉପଦେଷ୍ଟା ଗୀତାଞ୍ଜଳି ବେହୁରା, ରଘୁନାଥ ବରାଳ, କେଶବ ଫାଉଣ୍ଡେସନ ଅଧ୍ୟକ୍ଷା ସମାଜସେବୀ ରଶ୍ମିତା ମିଶ୍ରଙ୍କ ସହ ଆଲୋଚନା ପରେ ମେ’ ୧୧ତାରିଖରେ ହାଇକୋର୍ଟ ଗଡ଼ାରେ ‘କ୍ଲଥ୍ ବ୍ୟାଙ୍କ’ର ଶୁଭାରମ୍ଭ ହେଲା। ଏବେ ଲୋକେ ନିଜ ସୁବିଧା ଅନୁସାରେ ବହୁ ପରିମାଣରେ ପୋଷାକ ବ୍ୟାଙ୍କ୍ରେ ଜମା କରୁଛନ୍ତି। ଏଯାଏ ୧୦ହଜାରରୁ ଅଧିକ ଲୋକଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ଆଉ ୫ହଜାର ଲୋକଙ୍କ ପାଇଁ ପୋଷାକ ରହିଛି ବୋଲି ପ୍ରତିଷ୍ଠାତା ସଂଧ୍ୟାରାଣୀ ଦଳେଇ କହିଛନ୍ତି।